ଭୁବନେଶ୍ୱର: ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବାକୁ ଆଗେଇ ଚାଲିଥିବା ବେଳେ ଦେଶ ସମ୍ମୁଖରେ ଏବେ ବି ଅନେକ ଆହ୍ୱାନ ରହିଛି ବୋଲି ଭାରତର ପୂର୍ବତନ ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଗୋପାଳ ବଲ୍ଳଭ ପଟ୍ଟନାୟକ କହିଛନ୍ତି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଶିକ୍ଷା ଓ ଅନୁସନ୍ଧାନ ବକ୍ତୃତା ପ୍ରଦାନ କରିବା ଅବସରରେ ନ୍ୟାୟମୂର୍ତୀ ପଟ୍ଟନାୟକ କର୍ମ ଯୋଗାଣରେ ବୃଦ୍ଧି ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସଶକ୍ତ କରିବା ଉପରେ ଦେଶକୁ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ମନ୍ତବ୍ୟ ଦେବା ସହ ଡିଜିଟାଲ ଟେକ୍ନୋଲଜିକୁ ଅଧିକ ପ୍ରସାରିତ କରିବାକୁ ହେବ ବୋଲି କହିଥିଲେ। ଭାରତ ଏକ ବିକଶିତ ଦେଶ ହୋଇପାରିବ କି ନାହିଁ ତାହା ବର୍ତ୍ତମାନ ପ୍ରଶ୍ନ ନୁହେଁ। ଆମେ ଏଥି ନିମନ୍ତେ କିପରି ଆବଶ୍ୟକୀୟ ପ୍ରଚେଷ୍ଟା କରିପାରିବା ତାହା ଗୁରୁତ୍ୱ ରଖେ ବୋଲି ସେ କହିଥିଲେ। ଯଦିଓ ଭାରତର ଭିତ୍ତିଭୂମି ବୃଦ୍ଧି ପାଉଛି, ଡିଜିଟାଲ୍ ଟେକ୍ନୋଲଜି ଲକ୍ଷ ଲକ୍ଷ ଲୋକଙ୍କୁ ସଶକ୍ତ କରୁଛି ଏବଂ ବୈଜ୍ଞାନିକ ସଫଳତା ଶିଖର ଛୁଇଁଛି ତଥାପି ଆମକୁ ବୃହତର ଚିତ୍ରକୁ ଗୁରୁତ୍ୱ ଦେବାକୁ ପଡ଼ିବ। ଭାରତର ଭବିଷ୍ୟତ କେବଳ ସଂସଦ କିମ୍ବା ନୀତି ନିର୍ଦ୍ଧାରଣରେ ସୀମିତ ନୁହେଁ ବରଂ ଏହା ଶ୍ରେଣୀ ଗୃହ, ଲାବୋରେଟୋରୀ, ବିଚାରାଳୟ, ଡାକ୍ତରଖାନା, ଗ୍ରାମ ଏବଂ ଷ୍ଟାର୍ଟଅପ୍ ଗୁଡ଼ିକରେ ସନ୍ନିହିତ ଅଟେ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ସୁପ୍ରିମ୍ କୋର୍ଟ ଅଫ୍ ଇଣ୍ଡିଆର ପୂର୍ବତନ ବିଚାରପତି ଏବଂ ଦେଶର ପ୍ରଥମ ଲୋକପାଳ ନ୍ୟାୟମୂର୍ତ୍ତି ପିନାକୀ ଚନ୍ଦ୍ର ଘୋଷ ମଧ୍ୟ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିଥିଲେ। ‘ଷ୍ଟୁଡେଂଟସ ଆଜ ନ୍ୟାସ୍ନ ବିଲ୍ଡର -ଦ ପାୱାର ଅଫ୍ ୟଙ୍ଗ ମାଇଣ୍ଡ ଇନ୍ ସେପିଙ୍ଗ ଦ ଫ୍ୟୁଚର’ (ରାଷ୍ଟ୍ର ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା- ଭବିଷ୍ୟତ ନିର୍ମାଣରେ ଯୁବଶକ୍ତି) ଶୀର୍ଷକ ପ୍ରସଙ୍ଗରେ ବକ୍ତବ୍ୟ ରଖିବା ଅବସରରେ ନ୍ୟାୟମୂର୍ତୀ ପଟ୍ଟନାୟକ କହିଥିଲେ ଯେ ଶିକ୍ଷା କେବଳ ପରୀକ୍ଷାର ମାର୍କ, ଡିଗ୍ରୀ କିମ୍ବା ପ୍ଲେସମେଂଟରେ ସୀମିତ ନୁହେଁ ମାତ୍ର ଏହା ହେଉଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଶ୍ଳେଷଣାତ୍ମକ ବିଚାରର ବିକାଶ, ନିଜ ଦାୟିତ୍ୱକୁ ହୃଦୟଙ୍ଗମ କରିବା ଏବଂ ସଠିକ ଚିନ୍ତା ନେଇ ଛିଡ଼ା ହେବାର ମାର୍ଗ। ଛାତ୍ରଛାତ୍ରୀମାନଙ୍କୁ ସେ କହିଥିଲେ ଯେ କ୍ଲାସ୍ ରୁମ୍ରୁ ହିଁ ରାଷ୍ଟ୍ର ଗଠନର ଆରମ୍ଭ ହୋଇଥାଏ। ଦେଶ କଂକ୍ରିଟରେ ନୁହେଁ ଚରିତ୍ର ଦ୍ୱାରା ଗଠନ ହୋଇଥାଏ ବୋଲି ସେ କହିଥିଲେ। ଭାରତରେ ମୂଲ୍ୟବୋଧ ବିହୀନ ଟପ୍ପରମାନଙ୍କର ଆବଶ୍ୟକତା ନାହିଁ ବରଂ ସଚ୍ଚୋଟ ସରକାରୀ ଅଧିକାରୀ, କରୁଣାମୟ ଡାକ୍ତର, ନୈତିକ ମୂଲ୍ୟବୋଧ ଥିବା ଆଇନଜୀବି, ସାହସୀ ସାମ୍ବାଦିକ, ଦାୟିତ୍ୱବାନ ବୈଜ୍ଞାନିକ ଏବଂ ସଚ୍ଚୋଟ ନୀତିନିର୍ଦ୍ଧାରକଙ୍କର ଆବଶ୍ୟକତା ରହିଛି ବୋଲି ନ୍ୟାୟମୂର୍ତୀ ପଟ୍ଟନାୟକ କହିଥିଲେ।
Comments are closed, but trackbacks and pingbacks are open.