ସୁପ୍ରିମ୍ ଛାଟ ପରେ ନରିମିଲେ ଆଇନଜୀବୀ: ଓକିଲ ଆନ୍ଦୋଳନ ଆନ୍ଦୋଳନ ସ୍ଥଗିତ

31

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ଛାଟ ପରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଚଳାଇଥିବା ଓକିଲମାନେ ଆଜି ନରମିଛନ୍ତି । କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ନିଷ୍ପତ୍ତିକ୍ରମେ ଓକିଲଙ୍କ ଧର୍ମଘଟ ସ୍ଥଗିତ ରଖାଯାଇଛି । ଏହା ଘୋଷଣା କରିଛି ପଶ୍ଚିମ ଓଡ଼ିଶାର ସମସ୍ତ ବାର ଆସୋସିଏସନ୍‌କୁ ନେଇ ଗଠିତ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଏହି ନିଷ୍ପତ୍ତି ନିଆଯାଇଥିବା କମିଟି ସ୍ପଷ୍ଟ କରିଛି । କମିଟି ସୁପ୍ରିମକୋର୍ଟ, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଉପରେ ସମ୍ପୂର୍ଣ୍ଣ ଆସ୍ଥା ପ୍ରକଟ କରିଛି ବୋଲି କହିଛି । ଅନ୍ୟପକ୍ଷରେ ଆଜି ପୁଣି୧୪ ଜଣ ଓକିଲଙ୍କ ଳାଇସେନ୍ସ ଅଠର ମାସ ପାଇଁ ସସ୍‌ପେଣ୍ଟ କରିଛି ବାର୍ ଆସୋସିଏସନ ଅଫ୍ ଇଣ୍ଡିଆ । ସୁପ୍ରିମକୋର୍ଟଙ୍କ ତାଗିଦ ପରେ ପୁଲିସ ପ୍ରଶାସନ ମଧ୍ୟ ତତ୍‌ପର ହୋଇ ଉଠିଛି । ଗତକାଲିର ହିଂସାକାଣ୍ଡରେ ସଂପୃକ୍ତ ଥିବା ୧୭ ଓକିଲଙ୍କୁ ଆଜି ଗିରିଫ କରାଯାଇଛି । ସେମାନଙ୍କ ମଧ୍ୟରୁ ୯ ଜଣଙ୍କୁ କୋର୍ଟରେ ହାଜର କରାଯିବା ପରେ କୋର୍ଟ ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦେଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ସମ୍ବଲପୁର ସହରରେ ୨୧ ପ୍ଳାଟୁନ୍ ଫୋର୍ସ ମୁତୟନ କରାଯାଇଛି । ବୁଧବାର ଡିଜିପି ଓ ସମ୍ବଲପୁର ଆଇଜି ଭିଡିଓ କନଫରେନ୍ସିଂ ଜରିଆରେ ସୁପ୍ରିମକୋର୍ଟରେ ହାଜର ହେବେ ବୋଲି ଜଣାପଡ଼ିଛି । ସମ୍ବଲପୁରରେ ଆଇନ୍‌ଜୀବୀଙ୍କ ଆନ୍ଦୋଳନ ସୋମବାର ଠାରୁ ହିଂସାତ୍ମକ ରୂପ ନେଇଥିଲା । ସୁପ୍ରିମକୋର୍ଟଙ୍କ ଚେତାବନୀ ପରେ ବି ଆଇନଜୀବୀମାନେ କୋର୍ଟ ପରିସରରେ ପଶି ଭଙ୍ଗାରୁଜା କରିବା ସହ ଜିଲ୍ଲା ଜଜଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ । ଜଣେ ବିଚାରପତିଙ୍କୁ କୋର୍ଟ ପରିସରରୁ ବାହାର କରିଦେଇଥିଲେ । ଏଥିରେ ସୁପ୍ରିମକୋର୍ଟ ଭୀଷଣ କ୍ଷୁବ୍ଧ ହେବା ସହ ଆନ୍ଦୋଳନରତ ଓକିଲଙ୍କୁ ତୁରନ୍ତ ଗିରଫ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ଓଡ଼ିଶା ଡିଜିପି ଓ ସମ୍ବଲପୁର ଆଇଜିଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା କରିବା ସହ ଆବଶ୍ୟକ ହେଲେ କେନ୍ଦ୍ରୀୟ ଅର୍ଦ୍ଧସାମରିକି ବାହିନୀ ମୁତୟନ ହେବ ବୋଲି ଚେତାବନୀ ଦେଇଥିଲେ । ଏହା ପରେ ଓଡ଼ିଶା ପୁଲିସ୍ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । କୋର୍ଟ ପରିସରରେ ୧୪୪ ଧାରା ଲାଗୁ କରାଯାଇଥିବାବେଳେ ୨୧ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ । ପରେ ପୁଲିସ୍ ୧୭ ଓକିଲଙ୍କୁ ଗିରିଫ୍ କରିବା ସହ ୯ ଜଣଙ୍କୁ କୋର୍ଟ ଚାଲାଣ କରିଥିଲା । ସମ୍ବଲପୁର ଜିଲ୍ଲା ବାର୍ ଆସୋସିଏସନ୍‌ର ସଂପାଦକ ବିଜିତେନ୍ଦ୍ରୀୟ ପ୍ରଧାନ ଓ ସୁନ୍ଦରଗଡ଼ ଜିଲ୍ଲା ବାର୍ ଆସୋସିଏସନ୍‌ର ଆବାହକ ଅଶୋକ କୁମାର ଦାଶ ଗଣମାଧ୍ୟମକୁ କହିଛନ୍ତି ଯେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେବା ନେଇ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ସଂପୂର୍ଣ୍ଣ ଆଶାବାଦୀ ରହିଛି । ଏନେଇ କେନ୍ଦ୍ର ଓ ରାଜ୍ୟ ସରକାର ଓ ସମସ୍ତ ସାମ୍ବିଧାନିକ ସଂସ୍ଥାଠାରୁ ସହଯୋଗ ମିଳିବ ବୋଲି ଆମେ ଆଶା କରିଛୁ । କେନ୍ଦ୍ରୀୟ କମିଟିର ନିଷ୍ପତ୍ତି ଅନୁସାରେ ଆନ୍ଦୋଳନ ସ୍ଥଗିତ ରଖିବା ସହ ସୁପ୍ରିମକୋର୍ଟ, ହାଇକୋର୍ଟଙ୍କ ଉପରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଛୁ ବୋଲି ପ୍ରକାଶ କରିଛନ୍ତି ।
ଉଲ୍ଲେଖନୀୟ ଯେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଚାଲିଥିବା ଆନ୍ଦୋଳନ ନେଇ ସୁପ୍ରିମକୋର୍ଟ ୧୪ ନଭେମ୍ବରରେ ଏକ ଐତିହାସିକ ରାୟ ଦେଇଥିଲେ । ଜଷ୍ଟିସ୍ ସଞ୍ଜୟ କିଶାନ୍ କାଉଲ୍ ଏବଂ ଜଷ୍ଟିସ୍ ଅଭୟ ଏସ୍ ଓକାଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡିପୀଠ ରାୟ ଶୁଣାଇଥିଲେ ଯେ ‘ଆନ୍ଦୋଳନ ବନ୍ଦ୍ କର । ପୂର୍ବପରି କୋର୍ଟ ଚାଲୁ । ତୁରନ୍ତ କାର୍ଯ୍ୟରେ ସହଯୋଗ କର । ନହେଲେ ଅଦାଲତ ଅବମାନନା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆବଶ୍ୟକ ପଡ଼ିଲେ ଲାଇସେନ୍ସ ବି ରଦ୍ଦ ହେବ ।’ ଜଷ୍ଟିସ୍ କାଉଲ୍ ନିଜର ଅସନ୍ତୋଷ ବ୍ୟକ୍ତ କରି କହିଥିଲେ, ‘ଜାନୁଆରୀ ୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ ଧର୍ମଘଟ୍ ଯୋଗୁଁ ଅଧିନସ୍ଥ ଅଦାଲତରେ ୨,୧୪,୧୭୬ ନ୍ୟାୟିକ କାର୍ଯ୍ୟ ସମୟ ନଷ୍ଟ ହୋଇଛି । ଏହା ଠିକ୍ ନୁହେଁ । ଆବଶ୍ୟକ ପଡ଼ିଲେ ଆମେ ୨୦୦ରୁ ୩୦୦ ଓକିଲଙ୍କୁ ନିଲମ୍ବନ କରିପାରିବୁ । ଓକିଲଙ୍କ ସମସ୍ତ ପଞ୍ଜୀକରଣ ବାତିଲ୍ କରିବାକୁ ରାଜ୍ୟ ବାର୍ ପରିଷଦକୁ କହିବୁ । ହେଲେ ଆମକୁ ବାଧ୍ୟ କରନ୍ତୁ ନାହିଁ ।’ ଅନ୍ୟପକ୍ଷରେ ଜଷ୍ଟିସ ଅଭୟ ଏସ୍ ଓକା କହଥିଲେ, କେବଳ ମୋକଦ୍ଦମାକାରୀ ନୁହଁନ୍ତି, ବାରର୍ ଜୁନିଅର ସଦସ୍ୟମାନେ ମଧ୍ୟ ଏହି ଭଳି ଧର୍ମଘଟ ଯୋଗୁଁ ଯନ୍ତ୍ରଣା ଭୋଗୁଛନ୍ତି । ଧର୍ମଘଟକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ଗତ ୧୩ ନଭେମ୍ବର ୨୦୨୨ରେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷଙ୍କ ଦ୍ୱାରା କିଛି ସଦସ୍ୟ ନିଲମ୍ବନ ହୋଇଥିବା କଥା କୋର୍ଟଙ୍କୁ ଅବଗତ କରାଯାଇଛି । ଏହା ସତ୍ତ୍ୱେ ବି ଆନ୍ଦୋଳନ ଜାରି ରଖାଯାଇଛି । କିଛି ସଙ୍ଗଠନ ଓ ଆଇନଜୀବୀଙ୍କ ଆଚରଣ ସନ୍ତୋଷଜନକ ନୁହେଁ । ଏଥିପାଇଁ ତୁରନ୍ତ କାର୍ଯ୍ୟାରମ୍ଭ କରିବାକୁ ହେବ ବୋଲି ଜଷ୍ଟିସ ଓକା ନିଜ ରାୟରେ ଶୁଣାଇଥିଲେ ।

Comments are closed, but trackbacks and pingbacks are open.