ନାଗ ଦମ୍ପତ୍ତି ପ୍ରସଙ୍ଗରେ ଘେରିଲେ ବିରୋଧୀ

25

ଭୁବନେଶ୍ୱର: ବିଧାନସଭାର ଶୀତ ଅଧିବେଶନର ପ୍ରଥମ ଦିବସ ଭଳି ଚତୁର୍ଥ ଦିବସରେ ବି ନାଗ ଦମ୍ପତ୍ତି ପ୍ରସଙ୍ଗରେ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଥିଲେ । ଏହି କେଳେଙ୍କାରୀରେ ଶାସକ ଦଳର ବହୁ ମନ୍ତ୍ରୀ, ବିଧାୟକ ସଂପୃକ୍ତ ଓ ପ୍ରଶାସକ ସଂପୃକ୍ତ ଥିବା କଥା ବଜେପି ଅଭିଯୋଗ କରିଥିଲାବେଳେ କଂଗ୍ରେସ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲା । ଫଳରେ ଗୃହରେ ବାତାବରଣ ଉଷ୍ଣ ହୋଇଥିଲା ।ଶାସକ ସଭ୍ୟ ବିରୋଧୀଙ୍କ ସବୁ ଅଭିଯୋଗକୁ ଅସ୍ୱୀକାର କରିଥିଲାବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ନାଗ ଦମ୍ପତ୍ତି ଘଟଣାରେ ସଂପୃକ୍ତି ଥିବା କାହାକୁ ଛଡ଼ାଯିବ ନାହିଁ ବୋଲି ପ୍ରକାଶ କରିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ପୁଲିସ୍ ନିକଟରେ କୌଣସି ବ୍ଲାକ୍ ମେଲିଂ ଅଭିଯୋଗ ନାହିଁ ସେ ଗୃହକୁ ଅବଗତ କରିଥିଲେ ।
ସୋମବାର ବିରୋଧୀ ବିଜେପି ପକ୍ଷରୁ ଆସିଥିଲା ମୁଲତବୀ ପ୍ରସ୍ତାବ । ଏହାର ଶୀର୍ଷକ ଥିଲା ‘ସବୁଠି ଏବେ ଗୋଟିଏ କଥା, ସରକାର ଅପରାଧୀଙ୍କ ସୁରକ୍ଷାଦାତ୍ତା, କୋଟିଏରୁ ଗୋଟିଏ ଅର୍ଚ୍ଚନା ନାଗ୍ ଅପରାଧ ଖିଅ ଟିଏ’ । ଏହି ମୁଲତବୀ ପ୍ରସ୍ତାବ ଆଲୋଚନାରେ ବହୁଚର୍ଚ୍ଚିତ ନାଗ ଦମ୍ପତି ପ୍ରସଙ୍ଗରେ ଗୃହରେ ତାତି ଦେଖା ଦେଇଥିଲା । ବିଜେପି ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଆଲୋଚନାରେ ଉକ୍ତ ଦଳର ସଭ୍ୟମାନେ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ ।
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ସରକାରଙ୍କୁ ସମାଲୋଚନା କରି କହିଥିଲେ, ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକାଶିତ ଶ୍ୱେତପତ୍ର ଅନୁଯାୟୀ ରାଜ୍ୟରେ ଅପରାଧ ବଢ଼ିଚାଲିଛି । ହତ୍ୟା, ଲୁଟ୍‌ତରାଜ, ଧର୍ଷଣ, ଠକେଇ ଚରମସୀମାରେ । ଅର୍ଚ୍ଚନା ନାଗ ପ୍ରସଙ୍ଗ ଏକ ବଡ଼ ସେକ୍ସ ସ୍କାଣ୍ଡଲ୍ । ଏଥିରେ ଆର୍ôଥକ ଅପରାଧ କାରବାର ହୋଇଛି । ଶାସକ ଦଳର ଅନେକ ନେତା ମନ୍ତ୍ରୀ, ବିଧାୟକ ଓ ସରକାରୀ ଅଧିକାରୀଙ୍କ ଏଥିରେ ସମ୍ପୃକ୍ତି ରହିଛି । ତାର ମେଲ୍ ଆଇଡିରୁ ୬୪ ଜଣଙ୍କ ଫଟୋ ମିଳିଛି । ୫ଟି ଡ଼ାଏରି, ୪ଟି ଲାପଟପ୍ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । କିନ୍ତୁ ଅପରାଧୀକୁ ଖସେଇ ଦେବାକୁ ଉଦ୍ୟମ ହେଉଛି । ଏହି ଘଟଣା ମୁଖ୍ୟମନ୍ତ୍ରୀ ଚୁପ୍ ରହିବା କେତେ ଦୂର ଉଚିତ । ଇଡିକୁ ରାଜ୍ୟ ପୋଲିସ୍ ସହଯୋଗ କରୁଛି କି ଏବଂ ପୋଲିସ ଓ ଗୁଇନ୍ଦା ବିଭାଗ ମଉନବ୍ରତରେ ଶୋଇଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି । ଶ୍ରୀ ମାଝୀ କହିଥିଲେ, ଏହି ଘଟଣାରେ ଆରମ୍ଭରୁ ନିଜ ଅଧିକାରୀ ଓ ନେତାକୁ ସରକାର ଲୁଚେଇ ରଖିଲେ । ନାଗ ଦମ୍ପତ୍ତିଙ୍କର ଟେଣ୍ଡର ଫିକ୍ସିଂ, ଠିକାଦାରୀ ଭଳି କାମରେ ମଧ୍ୟ ହାତ ରଖିଥିଲା । ସରକାରୀ କଳରେ ବି ତାଙ୍କର ଲମ୍ବା ହାତ ଥିଲା । ଅର୍ଚ୍ଚନାର ସହଯୋଗୀ ଶ୍ରଦ୍ଧାଞ୍ଜଳି ଏତଲାରେ ସମସ୍ତ ନାଁ ଉଲ୍ଳେଖ କରିଥିଲେ ବି କାହିଁକି ଜଗବନ୍ଧୁ ଖାଲି ପଚାରି କି ଛାଡ଼ିିଦିଆଗଲା ଏବଂ ପ୍ରମାଣ ନଷ୍ଟ ପାଇଁ ଜଗବନ୍ଧୁକୁ ଛାଡ଼ିି ଦିଆ ଯାଇନଥିଲା ତ ବୋଲି ସେ ପୁଣି ପ୍ରଶ୍ନ ଉତ୍ଥାପନ କରିଥିଲେ । ସରକାରୀ ଦଳର ବିଧାୟକଙ୍କ ଭାଇଙ୍କୁ ବି ଇଡ଼ି ଡାକିଛି । କିନ୍ତୁ ତାଙ୍କୁ ଘଣ୍ଟ ଘୋଡ଼ାଇବାକୁ ବି ଚାହୁଁଥିଲେ ରାଜ୍ୟ ସରକାର । ତେଣୁ ନାଗ ଦମ୍ପତ୍ତି ଘଟଣା ଉପରେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନୀରବତା ଭାଙ୍ଗି ଗୃହରେ ବିବୃତ୍ତି ରଖନ୍ତୁ ବୋଲି ଶ୍ରୀ ମାଝୀ ଦାବି କରିଥିଲେ ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଅର୍ଚ୍ଚନା ଘଟଣାରେ କାହିଁକି ମୁଖ୍ୟମନ୍ତ୍ରୀ ନିରବ । କ’ଣ ବ୍ଲାକମେଲ୍ ହୋଇଛି ତାହା ସମସ୍ତ ଜାଣିବାକୁ ଚାହୁଁଛନ୍ତି । ଏହି ଘଟଣାରେ ଅନେକ ବଡ଼ ବଡ଼ିଆଙ୍କ ସମ୍ପୃକ୍ତି ରହିଛି । ଅନେକ ଫଟୋ ବାହାରକୁ ଆସିଥିଲେ ହେଁ ତାଙ୍କୁ ପୋଲିସ୍ ଥରୁଟିଏ ବି ଡାକିନାହିଁ । ଘଟଣାକୁ ଚାପି ଦେବାକୁ ଉଦ୍ୟମ କରାଯାଉଛି । ତେଣୁ ଏହି ଘଟଣା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛି କଂଗ୍ରେସ । ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ସଠିକ୍ ତଥ୍ୟ ଆଣି ଗୃହରେ ଉପସ୍ଥାପନ କରନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଥିଲେ । ବିଜେପି ବିଧାୟକ ସନାତନ ବିଜୁଳି କହିଥିଲେ, ନାଗ ଦମ୍ପତ୍ତି ଘଟଣା ପାଇଁ ଆମକୁ ଲଜ୍ଜା ଲାଗୁଛି । ଓଡ଼ିଶାର ସମ୍ମାନ ନଷ୍ଟ ହୋଇଛି । ବିନା ସରକାରୀ ସହାୟତାରେ ନାଗ ଦମ୍ପତ୍ତି ୧୦୦ କୋଟି ଟଙ୍କାର ସମ୍ପତ୍ତି ମାଲିକ ହୋଇପାରି ନଥାନ୍ତେ । ଏଥିରେ ନେତା, ମନ୍ତ୍ରୀ, ବିଧାୟକ, ପ୍ରଶାସକ ସଂପୃକ୍ତ । ନିଆଁ ନଥିଲେ ଧୂଆଁ ବାହାରନ୍ତା ନାହିଁ । ଇଡି ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି । ଏତେ ପରେ ବି ମୁଖ୍ୟମନ୍ତ୍ରୀ ମୁହଁ ଖୋଲୁନାହାନ୍ତି । ଏହାଦ୍ୱାରା ରାଜ୍ୟର ସ୍ୱାଭିମାନ ନଷ୍ଟ ହୋଇଛି ବୋଲି ସେ କହିଥିଲେ ।
ଶାସକଦଳ ସଭ୍ୟ ଅମର ପ୍ରସାଦ ଶତପଥୀ କହିଥିଲେ, ରାଜ୍ୟରେ ଆଇନ ଶୃଙ୍ଖଳା ଠିକ ରହିଛି ଓ ନାଗ ଦାମ୍ପତ୍ତି ଏକ ସମ୍ବେଦନଶୀଳ ଘଟଣା । ରାଜ୍ୟ ସରକାର ଯେଉଁ ସୁରକ୍ଷା ଦେବା କଥା ବିରୋଧୀ ଅଭିଯୋଗ କରୁଛନ୍ତି ତାହା ସମ୍ପୂର୍ଣ୍ଣ ମିଛ । ଅପରାଧୀ ରାଜ୍ୟ ବାହାରେ ଥିଲେ ମଧ୍ୟ ତାକୁ ଗିରଫ୍ କରି ରାଜ୍ୟକୁ ଅଣାଯାଉଛି । ଦୋଷୀ ସଠିକ୍ ସମୟରେ ଆଇନ ଅନୁସାରେ ଦଣ୍ଡିତ ହେବେ ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ଶାସକ ବିଧାୟକ ରାଜ କିଶୋର ଦାସ, ମିନାକ୍ଷୀ ମହନ୍ତ, ସୁନନ୍ଦା ଦାସ, ବିଜେପି ବିଧାୟକ କେ ନାରାୟଣ ରାଓ, ପ୍ରମୁଖ ନିଜ ନିଜ ମତ ରଖିଥିଲେ ।
ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ, ବିରୋଧୀ ଦଳ ପକ୍ଷରୁ ଯେଉଁ ଅପରାଧୀଙ୍କୁ ସୁରକ୍ଷା ନେଇ ଅଭିଯୋଗ ଆସିଛି, ତାହା ସମ୍ପୂର୍ଣ ଭିତ୍ତିହୀନ, ଅସତ୍ୟ । ଆଇନ୍‌ର କେହି ଉର୍ଦ୍ଧ୍ୱରେ ନାହାନ୍ତି । ମୁଖ୍ୟମନ୍ତ୍ରୀ କେବେବି ଦୋଷୀଙ୍କୁ ପ୍ରଶୟ ଦେଇନାହାନ୍ତି । ସବୁ ମାମଲାରେ ଦଣ୍ଡବିଧାନ କରାଯାଇଛି । ନାଗ ଦମ୍ପତି ମାମଲାରେ ଖଣ୍ଡଗିରି ଓ ନୟାପଲ୍ଲୀ ଥାନାରେ ଦୁଇଟି ମାମଲା ରୁଜୁ ହୋଇ ତଦନ୍ତ କରାଯାଉଛି । ନୟାପଲ୍ଲୀ ଥାନାରେ ଅକ୍ଷୟ ପରିଜାଙ୍କ ଏତଲା ଆଧାରରେ ମାମଲା ରୁଜୁ ହୋଇ ଆଇଆଇସିଙ୍କ ଦ୍ୱାରା ତଦନ୍ତ ଚାଲିଛି । ଖଣ୍ଡଗିରି ଥାନାର ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଏତଲା ଆଧାରରେ ତଦନ୍ତ ଚାଲିଛି ।

Comments are closed, but trackbacks and pingbacks are open.