ଦିନିକିଆ ଓଡ଼ିିଶା ଗସ୍ତରେ ଆସି ନଡ୍ଡାଙ୍କ ପ୍ରଶ୍ନ: ମହିଳା ବିରୋଧୀ ହିଂସା ଦ୍ୱିଗୁଣିତ ହୋଇଛି

36

ଭୁବନେଶ୍ୱର: ଓଡ଼ିିଶାରେ ରାଜନୀତିରେ ଅପରାଧୀକରଣ ଚରମ ସୀମାରେ ପହଞ୍ଛିଛି । ରାଜ୍ୟରେ ମହିଳା ଉତ୍ପୀଡ଼ନ ସମସ୍ତ ସୀମା ଅତିକ୍ରମ କରିଛି । ମହିଳା ବିରୋଧୀ ହିଂସା ଦ୍ୱିଗୁଣିତ ହୋଇଛି । ମହିଳା ଓ ଶିଶୁ ଅପହରଣ ଏବଂ ଚାଲାଣରେ ରାଜ୍ୟର ସ୍ଥାନ ସର୍ବାଗ୍ରେ । ଦଳିତ ଓ ଆଦିବାସୀଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇଚାଲିଛି । ଓଡ଼ିିଶା ପୁଲିସ ଉପରେ ଅପରାଧୀମାନଙ୍କ ପ୍ରଭାବ ଓ ଆକ୍ରମଣ ବୃଦ୍ଧି ପାଉଛି । ରାଜ୍ୟ ସରକାରଙ୍କୁ କି’ଏ ଚଳାଉଛି, ତାହା ଜଣାପଡ଼ୁନାହିଁ । ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ସଭାପତି ଜଗତ୍ ପ୍ରକାଶ ନଡ୍ଡା ରାଜ୍ୟ ସରକାରଙ୍କୁ ଏଭଳି ଢଙ୍ଗରେ କଟାକ୍ଷ କରିଛନ୍ତି ।
ବୁଧବାର କନ୍ଧମାଳ ଲୋକସଭାର ତୁମୁଡ଼ିବନ୍ଧ ଓ ପୁରୀ ଲୋକସଭାର ବାଣପୁରଠାରେ ଅନୁଷ୍ଠିତ ବିଶାଳ ଜନସଭାକୁ ସମ୍ବୋଧନ କରି ଶ୍ରୀ ନଡ୍ଡା କହିଛନ୍ତି ଯେ ରାଜ୍ୟ ସରକାର ସବୁ କ୍ଷେତ୍ରରେ ଫେଲ୍ ମାରିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରକୁ ବିଜେଡି ସରକାର କାହିଁକି ସୁରକ୍ଷିତ ରଖୁନାହାନ୍ତି । ରତ୍ନଭଣ୍ଡାରର ଅସଲି ଚାବି କେଉଁଠି ଓ କେମିତି ହଜିଲା ବୋଲି ସେ ପ୍ରଶ୍ନକରି କହିଛନ୍ତି ଯେ ସରକାର ନକଲି ଚାବି ଧରି ବୁଲୁଛନ୍ତି । ନିଜେ ରାଜ୍ୟ ସରକାର ଅସଲି କି ନକଲି ଜଣା ପଡୁନାହିଁ । ଏହାର ଜବାବ୍ ମିଳିବା ଉଚିତ୍ । ସେହିପରି ଓଡ଼ିଶାରେ ଏକ ନୂତନ ଓଡ଼ିିଆ ବିଶ୍ୱବିଦ୍ୟାଳୟ ଖୋଲିବାର ଘୋଷଣା କରିଥିଲେ ସରକାର । ଘୋଷଣାକୁ ୪ ବର୍ଷ ପୂରଣ ହୋଇ ୫ ବର୍ଷ ଅତିକ୍ରମ କରିଥିଲେ ସୁଦ୍ଧା ଏହା ସମ୍ଭବ ହୋଇପାରିଲା ନାହିଁ । ସରକାରଙ୍କ ପ୍ରତିଶ୍ରୁତି ପାଣିର ଗାର ହୋଇଛି । ନୟାଗଡ଼ସ୍ଥିତ ଚିନିକଳକୁ ପୁନଃ କାର୍ଯ୍ୟକ୍ରମ କରିବାର ଘୋଷଣା କରିଥିଲେ ସୁଦ୍ଧା ବର୍ତ୍ତମାନ ମଧ୍ୟ ଏହା ସମ୍ଭବ ହୋଇପାରିଲା ନାହିଁ । ଏପରିକି ସେଠାକାର କର୍ମଚାରୀମାନଙ୍କୁ ଦରମା ଦିଆଗଲା ନାହିଁ କି ଆଖୁ ଚାଷୀଙ୍କୁ ତାଙ୍କ ବକେୟା ଟଙ୍କା ମିଳିଲା ନାହିଁ । ଗୋଟିଏ ପଟେ ସରକାର ନିଜ ପ୍ରତିଶ୍ରୁତିକୁ ପୂରଣ କରିବାରେ ବିଫଳ ହୋଇଥିବାବେଳେ ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିିଶାରେ ଆଇଆଇଏମ୍‌, ଆଇଜର୍ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଶାସନ କାଳରେ ଏମ୍ସ ମେଡିକାଲ ପ୍ରତିଷ୍ଠା କରାଇଛନ୍ତି ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ମତ ପ୍ରକାଶ କରିଛନ୍ତି ।
ରାଜ୍ୟରେ ସୃଷ୍ଟି ହୋଇଥିବା ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପ୍ରସଙ୍ଗରେ ମତ ରଖି ଶ୍ରୀ ନଡ୍ଡା କହିଛନ୍ତି ଯେ ଓଡ଼ିଶା ପୁଲିସ୍ ନିଜକୁ ସୁରକ୍ଷିତ ରଖିବାରେ ଅସମର୍ଥ । ତେଣୁ ରାଜ୍ୟବାସୀ ଅସୁରକ୍ଷିତ । ମୋଦୀ ସରକାର ଆୟୁଷ୍ମାନ ଭାରତ ଯୋଜନାରେ ୫୫ କୋଟି ଦେଶବାସୀଙ୍କୁ ମାଗଣା ସ୍ୱସ୍ଥ୍ୟସେବା ଯୋଗାଇ ଦେଉଛନ୍ତ । ହେଲେ ଓଡ଼ିଶାବାସୀଙ୍କ ପାଇଁ ବାଧକ ସାଜିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ । ଓଡ଼ିିଶାର ସାମଗ୍ରିକ ବିକାଶ ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ ଓ ଏଥିପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି । ବିକାଶକୁ ପ୍ରତ୍ୟେକ ଘରେ ଘରେ ପହଞ୍ଚାଇବାର କାର୍ଯ୍ୟ ହେଉଛି । ପକ୍କା ଘର, ଶୈାଚାଳୟ, ପାଇପ୍ ଯୋଗେ ପାନୀୟ ଜଳ, ମାଗଣା ରୋଷେଇ ଗ୍ୟାସ ସଂଯୋଗୀକରଣ, କୃଷକଙ୍କୁ ବାର୍ଷିକ ୬ ହଜାର ଟଙ୍କାର ଆର୍ôଥକ ସହାୟତା ପ୍ରଦାନ, ସଏଲ ହେଲ୍‌ଥ କାର୍ଡ଼, ପିଏମ୍ ଫସଲ ବୀମା ଯୋଜନା, ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ୮୭ଟି ଏକଲବ୍ୟ ବିଦ୍ୟାଳୟର ସ୍ଥାପନା ଭଳି ଅନେକ କଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରୀ କରାଇଛନ୍ତି । ରାଷ୍ଟ୍ରୀୟ ରାଜପଥ ଓ ରେଳପଥର ବିକାଶ ତ୍ୱରାନ୍ୱିତ ହୋଇଛି । ପୁରୀ, ଭୁବନେଶ୍ୱର ସମେତ ରାଜ୍ୟର ଅନେକ ରେଳ ଷ୍ଟେସନର ଉନ୍ନତିକରଣ ହୋଇଛି । ପୁରୀଠାରେ ନୂତନ ଜଗନ୍ନାଥ ଷ୍ଟାଡିୟମ ଏବଂ ଜଗନ୍ନାଥ ମେଡିକାଲ କଲେଜର ନିର୍ମାଣ କରାଯାଉଛି । ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟର ସ୍ଥାପନା କରାଯାଉଛି । ପ୍ରାୟ ୮ହଜାର କୋଟି ବ୍ୟୟରେ କୋଷ୍ଟାଲ ରାଜପଥ ନିର୍ମାଣ ହେଉଛି । ରୋଜଗାର ମେଳ ଜରିଆରେ ପ୍ରଧାନମନ୍ତ୍ରୀ ପ୍ରାୟ ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରୁଛନ୍ତି । ନୂତନ ଶିକ୍ଷା ନୀତି ଜରିଆରେ ଗରୀବ ଛାତ୍ରଛାତ୍ରୀମାନେ ନିଜ ନିଜ ମାତୃଭାଷାରେ ମେଡିକାଲ ଓ ଇଂଜିନିୟରିଂ ଶିକ୍ଷା ଲାଭ କରିପାରିବେ । ଦେଶରେ ପ୍ରାୟ ୭୦ହଜାର ନୂତନ ଷ୍ଟାର୍ଟ ଅପ୍ ଆରମ୍ଭ ହୋଇଥିବାବେଳେ ଏଥି ମଧ୍ୟରୁ ୧୦୦ରୁ ଊର୍ଦ୍ଧ୍ୱ କେବଳ ୟୁନିକର୍ଣ୍ଣ ରହିଛି । କେମିକାଲ ରପ୍ତାନୀରେ ସମଗ୍ର ବିଶ୍ୱରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାବେଳେ ଷ୍ଟିଲ୍ ଉତ୍ପାଦନ ଏବଂ ମୋବାଇଲ୍ ନିର୍ମାଣରେ ମଧ୍ୟ ଦ୍ୱିତୀୟ ସ୍ଥାନ ହାସଲ କରିବାରେ ସଫଳ ହୋଇଛି । ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରରେ ୪ର୍ଥ ଏବଂ ଫାର୍ମାସିଉଟିକାଲ୍ସ କ୍ଷେତ୍ରରେ ଉତ୍କୃଷ୍ଟ ସ୍ଥାନ ହାସଲ କରିଛି ।ଅନ୍ୟପଟେ ରାଜ୍ୟରେ ବିଜେଡି ସରକାର ଚଞ୍ଚକତା କରି ପ୍ରଧାନମନ୍ତ୍ରୀ ଆବାସ୍ ଯୋଜନାକୁ ବିଜୁ ପକ୍କା ଘରର ଆଖ୍ୟା ଦେଇଛନ୍ତି । ଏମିତି ଅପାରଗ ରାଜ୍ୟ ସରକାରଙ୍କ ଶାସନ କ୍ଷମତାରେ ରହିବାର କୈାଣସି ଅଧିକାର ନାହିଁ । ରାଜ୍ୟର ସଠିକ୍ ବିକାଶ ପାଇଁ ରାଜ୍ୟରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧିନ ବିଜେପି ସରକାରକୁ ଲୋକସଭା ଠାରୁ ଆରମ୍ଭ କରି ବିଧାନସଭାରେ ପଦ୍ମ ଫୁଲରେ ଚିହ୍ନରେ ମୋହର୍ ମାରି ବିଜେପିକୁ ଶାସନ କ୍ଷମତା ପ୍ରଦାନ କରିବାକୁ ହେବ ବୋଲି ଶ୍ରୀ ନଡ୍ଡା ଆହ୍ୱାନ ଦେଇଛନ୍ତି ।
ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଦୁଇ ଦିନ ତଳେ ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତା ଜରିଆରେ ଓଡ଼ିଶା ପାଇଁ ଜାତୀୟ ଦଳ ମାନଙ୍କର ଦାୟିତ୍ୱ ନଥିବା କଥା କହିଥିଲେ । ପ୍ରଜାତନ୍ତ୍ରରେ ଏଭଳି ଦମ୍ଭ ଓ ଅହଙ୍କାର ଶୋଭନୀୟ ନୁହେଁ । ମୁଖ୍ୟମନ୍ତ୍ରୀ ନେତୃତ୍ୱ ନେଉଥିବା ଦୀର୍ଘ ୨୨ ବର୍ଷର ଶାସନରେ ନାରୀ ନିର୍ଯ୍ୟାତନା ଚରମ ସୀମାରେ ପହଞ୍ଚିଥିବା ଓଡ଼ିଶା ବିଧାନସଭା ତଥ୍ୟରୁ ଜଣାପଡ଼ିଛି । କଳାହାଣ୍ଡି ଜିଲ୍ଲାର ଶିକ୍ଷୟିତ୍ରୀ ମମିତା ମେହେର ମୃତ୍ୟୁର କାରଣ ଏବଂ ତଦନ୍ତର ସ୍ଥିତାବସ୍ଥା କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ବିଜେପିର ବହୁ ବରିଷ୍ଠ ନେତା ଦୁଇ ସଭାରେ ନିଜ ନିଜର ମତ ରଖିଥିଲେ ।
ବୁଧବାର ସକାଳେ ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡ୍ଡା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଠ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବରିଷ୍ଠ ନେତା ମନମୋହନ ସାମଲ, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ସୁକେଶୀ ଓରାମ, ଅନୀତା ଶୁଭଦର୍ଶିନୀ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ ପ୍ରମୁଖ ସ୍ୱାଗତ ଜଣାଇଥିଲେ । ଶ୍ରୀ ନଡ୍ଡା ସିଧାସଳଖ କନ୍ଧମାଳର ତୁମୁଡିବନ୍ଧ ଅଭିମୁଖେ ଗସ୍ତ କରି ସାଧାରଣ ସଭାରେ ଯୋଗଦେବା ସହିତ ଜଳେଶ୍‌ପଟ୍ଟା ଆଶ୍ରମରେ ନବନିର୍ମିତ କନ୍ୟାଶ୍ରମର ଉଦ୍‌ଘାଟନ କରିଥିଲେ । ଏହା ପରେ ପୁରୀ ଲୋକସଭାର ବାଣପୁର ଠାରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗ ଦେବା ସହିତ ମାଁ ଭଗବତୀଙ୍କୁ ଦର୍ଶନ କରିଥିଲେ । ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀର ନାଚୁଣୀଠାରେ ଅନୁଷ୍ଠିତ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଇ ଶ୍ରୀ ନଡ୍ଡା ଭୂବନେଶ୍ୱର ଫେରିଆସି ଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

Comments are closed, but trackbacks and pingbacks are open.