ଜନତା ମୈଦାନ ଶକ୍ତି ସମାବେଶରେ ନଡ୍ଡାଙ୍କ ରାଜ୍ୟ ସରକାରଙ୍କୁ ଆକ୍ରମଣ

24

ଭୁବନେଶ୍ୱର: ଓଡ଼ିଶାର ବିଜେଡି ସରକାର ତାଳରୁ ତଳିପା ଦୁର୍ନୀତିରେ ଉବୁଟୁବୁ । ଶାସକ ଦଳର ନେତାଙ୍କ ସହଭାଗୀତା ବିନା ଦୁର୍ନୀତି ସମ୍ଭବ ନୁହେଁ । ସରକାରର ତିନିଜଣ ମନ୍ତ୍ରୀ ହତ୍ୟା ଅଭିଯୋଗର ସ୍କାନରରେ ଆସିଛନ୍ତି । ତେଣୁ ସରକାରରେ କୁଶାସନର ମୂଳ କେତେ ଗଭୀର ଏଇଥିରୁ ଅନୁମେୟ । ଅନ୍ୟପକ୍ଷରେ କେବଳ ଠପ୍ପା ମାରିବାରେ ବ୍ୟସ୍ତ । ଲେବଲ୍ ଲଗାଇବାର ସରକାର । ମୋଦୀ ସରକାର ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ଅନ୍ତର୍ଗତ ଗରିବ ଲୋକଙ୍କ ଘର ପାଇଁ ରାଜ୍ୟ ସରକାରଙ୍କୁ ଟଙ୍କା ଦିଅନ୍ତି । ଅଥଚ ଓଡ଼ିଶାରେ ବିଜେଡି ସରକାର ଏହି ଯୋଜନାରେ ନିଜର ଷ୍ଟାମ୍ପ୍ ଲଗାଇ ବିଜୁ ପକ୍କା ଘର ନାମରେ ଚଞ୍ଚକତା କରନ୍ତି । ତେଣୁ ଲୋକେ ଖପ୍ପା । ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଏଠାକାର ଲୋକମାନେ ନିଷ୍ପତ୍ତି ନେଇଛନ୍ତି ।
ଗୁରୁବାର ଜନତା ମୈଦାନରେ ବିଜେପିର ବିଶାଳ ଶକ୍ତି ସମାବେଶରେ ଯୋଗ ଦେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ସରକାରଙ୍କ ବିରୋଧରେ ବିଶୋଦ୍‌ଗାର କରିଛନ୍ତି । ସାରା ରାଜ୍ୟରୁ ଆସିଥିବା ଉପସ୍ଥିତ ଦଳର ନେତା ଓ କର୍ମୀଙ୍କୁ ଶ୍ରୀ ନଡ୍ଡା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ଓଡ଼ିଶାର ପରିଚୟ ତଥା ରାଜ୍ୟ ବିକାଶର ଯତ୍ନ ନେଇଛି । ଓଡ଼ିିଶାର ବିକାଶ ଆମର ପ୍ରାଥମିକତା । ହେଲେ ଏଠାରେ ଡବଲ ଇଞ୍ଜିନ ସରକାର ନଥିବାରୁ ସମସ୍ୟା ଉପୁଜିଛି । ଏବେ ଲୋକେ ତାହା ଚାହୁଁଛନ୍ତି । ରାଜ୍ୟରେ ବ୍ୟାପକ ଦୁର୍ନିତି ଯେଗୁଁ ବିକାଶ ବାଧାପ୍ରାପ୍ତ ହୋଇଛି । ଓଡ଼ିଶାକୁ ଯେତେବେଳେ ଆବଶ୍ୟକ ହୁଏ, ମୋଦୀ ସରକାର ହାତ ଖୋଲି ସାହାଯ୍ୟ କରିଥାନ୍ତି । କିନ୍ତୁ ସବୁ କ୍ଷେତ୍ରରେ ବ୍ୟତିକ୍ରମ ଦେଖୁଛୁ । ଏଠି ମହିଳା ରାସ୍ତାରେ ସନ୍ତାନ ଜନ୍ମ ଦେଇଛନ୍ତି, ମୃତଦେହ ଓ ରୋଗୀଙ୍କୁ ଟ୍ରଲିରେ ନିଆଯାଉଛି ଭଳି ଖବର ଆମକୁ ବିଚଳିତ କରିଦେଉଛି । ଆୟୁଷ୍ମାନ ଭାରତଙ୍କ ଅଧୀନରେ ଦେଶର ୫୦ କୋଟିରୁ ଅଧିକ ଲୋକ ସ୍ୱାସ୍ଥ୍ୟ ସୁବିଧା ପାଇଥିବାବେଳେ ଓଡ଼ିିଶାରେ ପ୍ରାୟ ୬୦ ଲକ୍ଷ ପରିବାର ଏଥିରୁ ବଞ୍ଚିତ । ଏହା ଓଡ଼ିଶାର ଗରିବ ଲୋକଙ୍କ ପ୍ରତି ସମ୍ପୂର୍ଣ୍ଣ ଅନ୍ୟାୟ ।
ଶ୍ରୀ ନଡ୍ଡା କହିଛନ୍ତି ଯେ, ମନେରଗା ଅଧୀନରେ ମୋଦୀ ସରକାର ଓଡ଼ିଶାକୁ ୧୫,୪୯୦ କୋଟି ଟଙ୍କା ଦେଇଛନ୍ତି । କିନ୍ତୁ ଜାଲ୍ ବିଲ୍ କରି ଏଠାରେ ଟଙ୍କା ହଡ଼ପ୍ କରାଯାଉଛି । ରାଜ୍ୟରେ ୩୫୪ ଜନଧନ କେନ୍ଦ୍ର ଖୋଲାଯାଇଛି । ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ଅଧୀନରେ ରାଜ୍ୟରେ ୨୪ ଲକ୍ଷରୁ ଅଧିକ ଘର ନିର୍ମାଣ କରାଯାଇଥିଲା । ହର ଘର ନଲ ପେ ଜଳ ମିଶନ୍ ଅଧୀନରେ ରାଜ୍ୟର ପ୍ରାୟ ୪୩ ଲକ୍ଷ ପରିବାରଙ୍କୁ ଟ୍ୟାପ୍ ପାଣି ଯୋଗାଇ ଦିଆଯାଇଥିଲା । ସ୍ୱଚ୍ଛ ଭାରତ ଅଭିଯାନ୍ ଅଧୀନରେ ଓଡିଶାରେ ପ୍ରାୟ ୭୨ ଲକ୍ଷ ସମ୍ମାନଜନକ ଗୃହ ନିର୍ମାଣ କରାଯାଇଛି । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ଓଡ଼ିଶାର ୪୦ ଲକ୍ଷରୁ ଅଧିକ ଚାଷୀଙ୍କୁ ୬,୦୦୦ କୋଟି ଟଙ୍କା ବଣ୍ଟନ କରାଯାଇଛି । ଭୁବନେଶ୍ୱର ରେଳ ଷ୍ଟେସନକୁ ମଧ୍ୟ ୩୦୦ କୋଟି ଟଙ୍କା ସହିତ ନବୀକରଣ କରାଯାଉଛି । ପ୍ରାୟ ୨୦୨୦ କୋଟି ଟଙ୍କା ବ୍ୟୟରେ ମହାନଦୀ ବସ୍ତିରେ ତୈଳ ଓ ଗ୍ୟାସ୍ ଅନୁସନ୍ଧାନ ପାଇଁ ସର୍ଭେ ଅଭିଯାନ ଆରମ୍ଭ ହୋଇଛି । ଦେଶରେ ନିର୍ମାଣ ହେଉଥିବା ୮୭ ଏକଲବ୍ୟ ବିଦ୍ୟାଳୟରେ ଓଡ଼ିିଶାର ସର୍ବାଧିକ ସଂଖ୍ୟା ରହିଛି । ପ୍ରାୟ ୪୦୧ କୋଟି ଟଙ୍କା ବ୍ୟୟରେ ବାଲେଶ୍ୱରରେ କ୍ୟାମ୍ପସ ନିର୍ମାଣ କରାଯାଉଛି । ୧୫୮୨ କୋଟି ଟଙ୍କା ବ୍ୟୟରେ ଓଡ଼ିିଶାର ବ୍ରହ୍ମପୁରରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ପ୍ରତିଷ୍ଠା କରାଯାଇଛି ।ଓଡ଼ିଶାରେ ପ୍ରାୟ ୧୩୦୦ କିଲୋମିଟର ଜାତୀୟ ରାଜପଥକୁ ନବୀକରଣ କରାଯାଉଛି । ଏଥିସହ ପ୍ରାୟ ୯,୦୦୦ କୋଟି ଟଙ୍କା ବ୍ୟୟରେ ୧,୨୧୪ କିଲୋମିଟର ନୂତନ ରାଜପଥ ନିର୍ମାଣ କରାଯାଉଛି । ସଫ୍ଟୱେର୍ ଟେକ୍ନୋଲୋଜି ପାର୍କରେ କାମ ମଧ୍ୟ ଦ୍ରୁତ ଗତିରେ ଅଗ୍ରଗତି କରୁଛି ।
ଶ୍ରୀ ନଡ୍ଡା କହିଛନ୍ତି ଯେ, ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁ ମଧ୍ୟ ଓଡ଼ିିଶାର ମାଟିରୁ ନିର୍ବାଚିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ସର୍ବଦା ଏହି ଲକ୍ଷ୍ୟ ରହିଆସିଛି – ସମାଜର ଶେଷ ପର୍ଯ୍ୟାୟରେ ଠିଆ ହୋଇଥିବା ଶେଷ ବ୍ୟକ୍ତିଙ୍କୁ ସଶକ୍ତ କରିବା ଏବଂ ତାଙ୍କୁ ବିକାଶର ମୁଖ୍ୟ ସ୍ରୋତରେ ଅନ୍ତର୍ଭୁକ୍ତ କରିବା । କଂଗ୍ରେସ ଯୁଗରେ ଦଳୀୟ ଆଧାରେର ନିଜ ଲୋକଙ୍କୁ ପଦ୍ମ ପୁରସ୍କାର ବଣ୍ଟନ କରାଯାଉଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାଗ୍ୟ ଲୋକଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରି ଏହି ପୁରସ୍କାରର ଗୁରୁତ୍ୱ ବଢ଼ାଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଧାରା ୩୭୦ ଉଚ୍ଛେଦ ସହ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଏକ ମହାନ ମନ୍ଦିର ନିର୍ମାଣ ପାଇଁ ରାସ୍ତା ପଥ ପରିସ୍ମାର କରିଛନ୍ତି । ତେଣୁ ଏକାତ୍ମ ମାନବବାଦ ଏବଂ ଅନ୍ତୋଦ୍ୟୋୟ ନୀତି ‘ସବକା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ହିଁ ବିଜେପିର ମୂଳମନ୍ତ୍ର ହୋଇଛି ବୋଲି ପ୍ରକାଶ କରିଛନ୍ତି ।
ଦୁଇ ଦିନିଆ ଓଡ଼ିିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗୁରୁବାର ପୂର୍ବାହ୍ନ ୧୦ଟାରେ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଉ୍‌ଚ୍ଛ୍ୱସିତ ସ୍ୱାଗତ କରିବା ପରେ ବାଇକ୍ ରାଲି କରି ଜନତା ମୈଦାନକୁ ପାଛୋଟି ନିଆଯାଇଥିଲା । ସାରା ରାଜ୍ୟରୁ ହଜାର ହଜାର ନେତା ଓ କର୍ମୀ ଯୋଗ ଦେଇଥିଲେ । ଉକ୍ତ ଶକ୍ତି ସମାବେଶରେ ନଡ୍ଡାଙ୍କ ବ୍ୟତୀତ ବିଜେପିର ବହୁ ନେତା ଭାଷଣ ଦେଇଥିଲେ ।

Comments are closed, but trackbacks and pingbacks are open.