ନୂଆଦିଲ୍ଲୀ: ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଏନ୍. ଚନ୍ଦ୍ରଶେଖରନ । ତାଙ୍କ ଇସ୍ତଫା ଲାଗୁ ହୋଇନାହିଁ । ଫେବ୍ରୁଆରୀ ୨୦୨୭ ଯାଏଁ କାର୍ଯ୍ୟକାଳ ପୂରା କରିବେ । ହେଲେ ଆଉ ପୁଣି ଦାୟିତ୍ୱ ନେବେନି ।ଟାଟା ସନ୍ସର ଅଧ୍ୟକ୍ଷ ଏନ୍. ଚନ୍ଦ୍ରଶେଖରନ ନିଜ ପଦରୁ ହଟିବା ନେଇ ବୋର୍ଡକୁ ଜଣାଇଥିବା ରିପୋର୍ଟ ଆସିଛି । ତେବେ ସେ ତୁରନ୍ତ ପଦ ଛାଡ଼ୁନାହାନ୍ତି । ଫେବ୍ରୁଆରୀ ୨୦୨୭ରେ ତାଙ୍କ ବର୍ତ୍ତମାନର କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ସେ ଦାୟିତ୍ୱରେ ରହିବେ, କିନ୍ତୁ ଆଉ ଏକ କାର୍ଯ୍ୟକାଳ ପାଇଁ ନିଜକୁ ଉପଲବ୍ଧ କରାଇବେ ନାହିଁ । ଏପର୍ଯ୍ୟନ୍ତ ତାଙ୍କ ଉତ୍ତରାଧିକାରୀଙ୍କ ନାଁ ଘୋଷଣା ହୋଇନାହିଁ । ଆସନ୍ତା ଅଗଷ୍ଟ ୧୮ରେ ଟାଟା ସନ୍ସର ବାର୍ଷିକ ସାଧାରଣ ବୈଠକ ବା AGM ହେବାକୁ ଯାଉଛି । ରତନ ଟାଟାଙ୍କ ପରଲୋକ ପରେ ଟାଟା ସନ୍ସ ଓ ଟାଟା ଟ୍ରଷ୍ଟସ୍ ମଧ୍ୟରେ କେତେକ ପ୍ରସଙ୍ଗକୁ ନେଇ ମତଭେଦ ଚର୍ଚ୍ଚାରେ ରହିଆସିଛି । ଗ୍ରୁପ୍ ର ନୂଆ ବ୍ୟବସାୟରେ ବଡ଼ ପୁଞ୍ଜିନିବେଶ, ଭବିଷ୍ୟତ ରଣନୀତି, ବୋର୍ଡରେ ପ୍ରତିନିଧିତ୍ୱ ଏବଂ ଟାଟା ସନ୍ସର ଭବିଷ୍ୟତ ଢାଞ୍ଚାକୁ ନେଇ ଆଭ୍ୟନ୍ତରୀଣ ମତପାର୍ଥକ୍ୟ ଥିବା କୁହାଯାଉଛି ।୬୩ ବର୍ଷୀୟ ଚନ୍ଦ୍ରଶେଖରନଙ୍କ ଟାଟା ଗ୍ରୁପ୍ ସହ ପ୍ରାୟ ଚାରି ଦଶନ୍ଧିର ସମ୍ପର୍କ । ୧୯୮୭ରେ ସେ ଟାଟା ଗ୍ରୁପରେ ଯୋଗ ଦେଇଥିଲେ । ପରେ TCSର CEO ହୋଇଥିଲେ ଏବଂ ୨୦୧୭ରେ ଟାଟା ସନ୍ସର ଅଧ୍ୟକ୍ଷ ଦାୟିତ୍ୱ ନେଇଥିଲେ ।
Comments are closed, but trackbacks and pingbacks are open.