କୋର୍ଟ ସାମ୍ନାରେ ଯୁବକଙ୍କୁ ହତ୍ୟା

189

ଭଞ୍ଜନଗର: ସର୍ବସାଧାରଣଙ୍କ ଗହଳ ଚହଳ ଲାଗି ରହିଥିବା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ କୋର୍ଟ ସାମ୍ନାରେ ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଫାର୍ସାରେ ହାଣି ହତ୍ୟା କରାଯାଇଛି । ଏଭଳି ଏକ ହତ୍ୟାକାଣ୍ଡ ସାଧାରଣ ଲୋକଙ୍କ ନିଦ ହଜାଇ ଦେଇଛି।
ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନ ସାଢେ ୨ଟା ସମୟରେ ଭଞ୍ଜନଗର ଥାନା ଅନ୍ତର୍ଗତ ବୁଦୁଲି ଗ୍ରାମର ରାମନାଥ ସ୍ବାଇଁଙ୍କ ପୁଅ ଅଶୋକ (୪୫) ଏକ କେଶ ମାମଲାର ବାଇଦାରେ ହାଜର ହେବାକୁ କୋର୍ଟକୁ ଆସୁଥିଲେ । ଏହି ସମୟରେ ଥାନା ଅନ୍ତର୍ଗତ ଡିହ ପଢାଳ ଗ୍ରାମର ଦିଲ୍ଲୀପ ଜେନା(୪୫) ନାମକ ଜଣେ ଯୁବକ ଅତର୍କିତ ଅଶୋକକୁ ଫାର୍ସାରେ ଚୋଟ ପରେ ଚୋଟ ପକାଇଥିଲା। ଅଶୋକଙ୍କ ଶରୀରର ଦେହ ମୁଣ୍ଡ ସବୁଠି ୨୦ରୁ ଊର୍ଦ୍ଧ୍ବ ଚୋଟ ମାରିବା ପରେ ଦିଲ୍ଲୀପକୁ କୋର୍ଟ ପରିସରରେ ଥିବା ପୁଲିସ କାବୁ କରି ଥାନାକୁ ନେଇଥିଲେ। ସେହିପରି ଘଟଣାସ୍ଥଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଅଶୋକକୁ ପାଖରେ ଥିବା ମେଡ଼ିକାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ଦିଲ୍ଲୀପ ପୂର୍ବରୁ ଅଶୋକ ନାମରେ ଟଙ୍କା ପଇସା ଦେଣନେଣ ମାମଲା ସହ ଅନେକ ସଂଗୀନ ଆରୋପ କରିଥିଲେ। ପୁଲିସ ଅଶୋକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଶୋକ କୋର୍ଟରୁ ଜାମିନରେ ଆସି ଆଜି କୋର୍ଟରେ ହାଜର ହେବାକୁ ଆସିଥିବାବେଳେ ଦିଲ୍ଲୀପଙ୍କ ଆକ୍ରମଣରେ ମୃତ୍ୟୁ ହୋଇଛି । ଏଭଳି ଘଟଣା ପୂରା ସହରରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Comments are closed, but trackbacks and pingbacks are open.