ଆସନ୍ତା ମାର୍ଚ୍ଚ ୨୪ରେ ହେବ ପୌର ନିର୍ବାଚନ: ରାଜ୍ୟ ନିର୍ବାଚନ କମିଶନର

19

ରାଜ୍ୟରେ ତ୍ରି ସ୍ତରୀୟ ନିର୍ବାଚନ ର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି I ଆସନ୍ତା କାଲିଠାରୁ ଭୋଟ ଗଣତି ଆରମ୍ଭ ହେବ I ଏହା ପୂର୍ବରୁ ଆଜି ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଆସନ୍ତା ମାର୍ଚ୍ଚ ୨୪ତାରିଖରେ ରାଜ୍ୟର ୧୦୬ଟି ପୌର ପରିଷଦ ଓ ଏନଏସି ଏବଂ ୩ଟି ମହାନଗର ନିଗମ ପାଇଁ ଅନୁଷ୍ଠିତ ହେବ ଭୋଟ ଗ୍ରହଣ I ଏନେଇ ଆୟୋଜିତ ପ୍ରେସମିଟରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାନ ପାଢ଼ୀ ଘୋଷଣା କରିଛନ୍ତି । ଏହି ପୌର ନିର୍ବାଚନ ସମଗ୍ର ରାଜ୍ୟରେ ଗୋଟିଏ ଦିନରେ ହେବ ଓ ଭୋଟ ଗଣତି ମାର୍ଚ୍ଚ ୨୬ତାରିଖରେ ହେବ । ଚଳିତଥର ପୌର ପରିଷଦ ଓ ଏନଏସି ଅଧ୍ୟକ୍ଷ ପଦବୀ ଓ ମହାନଗର ନିଗମରେ ମେୟର ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେବ ।ପୌର ନିର୍ବାଚନ ପାଇଁ ଫେବ୍ରୁଆରୀ ୨୮ରେ ବିଜ୍ଞପ୍ତି ପ୍ରକାଶ ପାଇବ । ମାର୍ଚ୍ଚ ୨ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ମନୋନୟକ ପତ୍ର ଦାଖଲ, ମାର୍ଚ୍ଚ ୯ରେ ନାମାଙ୍କନପତ୍ର ଯାଞ୍ଚ ଓ ୧୪ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ତାରିଖ ରହିଛି ।

ସେହିପରି ଏପ୍ରିଲ ୭ତାରିଖରେ ପୌର ପରିଷଦ ଓ ଏନଏଏସି ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହେବ । ଏପ୍ରିଲ ୮ତାରିଖରେ ଡେପୁଟି ମେୟର ନିମନ୍ତେ ନିର୍ବାଚନ ହେବ । ଏଥର ନିର୍ବାଚନରେ ଭୋଟରମାନେ ଇଭିଏମ ମାଧ୍ୟମରେ ନିଜର ମତାଧିକାର ସାବ୍ୟସ୍ତ କରିବେ । ପୌରାଂଚଳ ଓ ଏନଏସିର ଅଧ୍ୟକ୍ଷ ପଦବୀ ଓ ମହାନଗରର ମେୟର ପଦବୀ ନିମନ୍ତେ ହଳଦିଆ ବାଲାଟ ପେପର ଏବଂ କାଉନସିଲର ଓ କର୍ପୋରେଟରଙ୍କ ପାଇଁ ଗୋଲାପୀ ରଙ୍ଗର ବାଲାଟ ପେପର ଉଦ୍ଦିଷ୍ଟ ରହିବ । ଏଥର ଭୋଟର୍ ଚାହିଁଲେ, ନିଜ ପସନ୍ଦରେ ନୋଟା (ନନ୍ ଅଫ୍ ଦି ଏଭବ୍)ର ଉପଯୋଗ ମଧ୍ୟ କରିପାରିବେ।

Comments are closed, but trackbacks and pingbacks are open.