ପୌର ନିର୍ବାଚନ : ୫୦% ଭିତରେ ରହିବ ସଂରକ୍ଷଣ

25

ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ସଂରକ୍ଷଣ ହାର ୫୦% ମଧ୍ୟରେ ରହିବ । ନୂଆ ପୌର ନିର୍ବାଚନ ଆଇନରେ ସଂଶୋଧନକୁ ରାଜ୍ୟପାଳ ଅନୁମୋଦନ ଦେଲା ପରେ ଆଇନ ବିଭାଗ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି। ସଂଶୋଧିତ ଆଇନ ଅନୁଯାୟୀ ଏଣିକି ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ମଧ୍ୟ ସଂରକ୍ଷଣ ସର୍ବାଧିକ ୫୦% ଭିତରେ ସୀମିତ ରଖାଯିବ। ନୂଆ ସଂରକ୍ଷଣ ଆଇନ ଅନୁସାରେ ଏବେ ପଞ୍ଚାୟତ ନିର୍ବାଚନ ଲାଗି ପ୍ରସ୍ତୁତି ଚାଲିଥିବା ବେଳେ ପୌର ନିର୍ବାଚନ ଆଇନ ବିଜ୍ଞପ୍ତି ପ୍ରକାଶ ପାଇବାକୁ ନେଇ ତେଜିଛି ରାଜ୍ୟ ରାଜନୀତି । ଏବେ ନଗର ଉନ୍ନୟନ ବିଭାଗ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିବ I
ପଞ୍ଚାୟତ ନିର୍ବାଚନ ରେ ସଂରକ୍ଷଣ ହାର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆସନ୍ତା ୩୦ ତାରିଖ ସୁଦ୍ଧା ସରକାର ସଂରକ୍ଷଣ ସଂକ୍ରାନ୍ତ ଚୂଡାନ୍ତ ତାଲିକା ରାଜ୍ୟ ନିର୍ବାଚନ ଆୟୋଗ ଙ୍କୁ ପ୍ରଦାନ କରିବେ I ଏହାପରେ ଆୟୋଗ ଭୋଟର ତାଲିକା ପ୍ରସ୍ତୁତ କରିବ I ଏଥିପାଇଁ ପ୍ରାୟ ଦୁଇ ମାସ ସମୟ ଲାଗିବ ବୋଲି କୁହାଯାଇଛି I
ସେହିପରି ପୌର ନିର୍ବାଚନ ପାଇଁ ନଗର ଉନ୍ନୟନ ବିଭାଗ କାର୍ଯ୍ୟକ୍ରମ ଚୂଡାନ୍ତ କରିବ I ପଛୁଆ ବର୍ଗଙ୍କ ପାଇଁ କାଉନସିଲର, କର୍ପୋରେଟର ପଦବୀରେ ୨୭ ପ୍ରତିଶତ ସଂରକ୍ଷଣ ରହିବ । ସେହିପରି ମହାନଗର ନିଗମ ମେୟର ଓ ପୌର ସଂସ୍ଥାର ଅଧ୍ୟକ୍ଷ ପଦବି ପାଇଁ ମଧ୍ୟ ୨୭ ପ୍ରତିଶତ ସଂରକ୍ଷଣ ରଖାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ସେପଟେ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ପ୍ରକ୍ରିୟା ସରିବା ପରେ ପୌର ନିର୍ବାଚନ ଲାଗି ସରକାର ପ୍ରକ୍ରିୟା କରିବେ ।
ରାଜ୍ୟରେ ୫ଟି ମହାନଗର ନିଗମ, ୪୮ଟି ପୌରପାଳିକା ଓ ୬୧ ଟି ବିଜ୍ଞପିତ ଅଞ୍ଚଳ ପରିଷଦ କୁ ମିଶାଇ ୧୧୪ଟି ଅର୍ବାନ ବଡି ରହିଛି । ସେଥିରୁ ଢେଙ୍କାନାଳର ହିନ୍ଦୋଳ ଓ ବରଗଡର ଅତାବିରା ପୌରାଞ୍ଚଳକୁ ଛାଡିଦେଲେ ବାକି ୧୧୨ଟି ପୌରାଞ୍ଚଳରେ ନିର୍ବାଚନ ଅବଧି ସରିଛି । ୨୦୧୮ରେ ୯୧ଟି କାର୍ଯ୍ୟକାଳ ସରିଥିବାବେଳେ ପରକୁ ପର ଆଉ ସବୁ ନିର୍ବାଚନ ଅବଧି ବି ପୁରିଲାଣି । ପାଖା ପାଖି ୩ ବର୍ଷ ହେବ ପୌର ପରିଷଦ ଗୁଡିକ ଖାଲି ପଡିଥିବାରୁ ଏହାକୁ ନେଇ ସରକାରଙ୍କୁ ସମାଲୋଚନା କରୁଥିଲେ ବିରୋଧୀ । ସରକାର ଜାଣି ଶୁଣି ନିର୍ବାଚନ କରୁ ନାହାନ୍ତି ବୋଲି ଆରୋପ ଆଣୁଥିଲେ । ବିଶେଷକରି ସରକାର ପଞ୍ଚାୟତ ନିର୍ବାଚନ ଠିକ ସମୟରେ କରିବାକୁ ଇଶାରା ଦେବା ପରେ ବିରୋଧୀଙ୍କ ସ୍ଵର ତ୍ରୀବ୍ର ହୋଇଥିଲା । ପଞ୍ଚାୟତ ନିର୍ବାଚନ ସହ ପୌର ନିର୍ବାଚନ କରିବାକୁ ଦାବି କରି ବିରୋଧୀ କୋର୍ଟକୁ ଯାଇଥିଲେ । ଆଉ ଏବେ ପୌର ନିର୍ବାଚନ ଲାଗି ବାଟ ଖୋଲିଥିବାରୁ ବିରୋଧୀ କହିଛନ୍ତି କେବଳ ବିଜ୍ଞପ୍ତି ପ୍ରକାଶ କରି ନୁହେଁ ପଞ୍ଚାୟତ ପରେ ପରେ କିପରି ପୌର ଭୋଟ ହେବ ସେନେଇ ସରକାର ତୁରନ୍ତ ପ୍ରକ୍ରିୟା କରନ୍ତୁ ଯାହାର ଜବାବ ରଖିଛି ବିଜେଡି ।
୨୦୧୮ ମସିହାରୁ ପର୍ଯ୍ୟାୟକ୍ରମେ ରାଜ୍ୟର ପୌରାଞ୍ଚଳରେ ନିର୍ବାଚିତ ପରିଷଦର କାର୍ଯ୍ୟକାଳ ଶେଷ ହୋଇଛି। କିନ୍ତୁ ନିର୍ବାଚନ ହେଉ ନ ଥିବାରୁ ସବୁଠି ପ୍ରଶାସକ ନିଯୁକ୍ତି ଦିଆଯାଇଛି।
ସେପଟେ ସରକାର ଙ୍କ ପକ୍ଷରୁ କୁହାଯାଇଛି କି ୱାର୍ଡ ପୁନର୍ଗଠନ ସହ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ ଏଥିପାଇଁ ପ୍ରାୟ ତିନି ମାସ ସମୟ ଲାଗିବ Iଏହାପରେ ନିର୍ବାଚନ ଆୟୋଗ ଭୋଟର ତାଲିକା ପ୍ରସ୍ତୁତ କରିବାପରେ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିବେ

Leave A Reply

Your email address will not be published.