ଭୁବନେଶ୍ବର: ସୋମବାର ଶକ୍ତି ପଦର୍ଶନ କରିବେ ମହମ୍ମଦ ମୋକିମ। ଏଥିପାଇଁ ଭୁବନେଶ୍ଵରରେ ଆୟୋଜିତ ହେବ ଯୁବ ସମାବେଶ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରୁ ୧୨୦୦ରୁ ଉର୍ଦ୍ଧ୍ଵ ଯୁବ ନେତା ଓ ଯୁବକ କାର୍ଯ୍ୟକ୍ରମରେ ଯୋଗ ଦେବେ । ୨୦୩୬ ମସିହାରେ ଓଡିଶାକୁ ଶହେ ବର୍ଷ ପୂର୍ତ୍ତ ହେବ। ସେନେଇ ଯୁବକ ମାନେ ଓଡିଶାକୁ କିପରି ଦେଖୁଛନ୍ତି ସେ ନେଇ ହେବ ଆଲୋଚନା। ‘ଫୁଣି ଫେରିବ ଗୌରବ ଦରକାର ଆଉ ଏକ ବିପ୍ଳବ’ ଏହି ପ୍ରସଙ୍ଗରେ ଆଲୋଚନା ହେବ। ମାର୍ଚ୍ଚ ମାସ ଶେଷ ସୁଦ୍ଧା ନୂଆ ଦଳ ଘୋଷଣା କରାଯିବ ବୋଲି କହିଛନ୍ତି ମହମ୍ମଦ ମୋକିମ। ଉଲ୍ଲେଖନୀୟ କଂଗ୍ରେସରେ ବିଦା ହେବା ପରେ ମହମ୍ମଦ ମୋକିମ ରାଜ୍ୟରେ ନୂଆ ଆଞ୍ଚଳିକ ଦଳ ଗଠନ ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ବିଗତ ଦିନରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ଏହା ସହ ଅନେକ ଅସନ୍ତୁଷ୍ଟ ବିଜେଡି ନେତାଙ୍କ ସହ ଆଲୋଚନା ବି କରିଥିଲେ। ତେବେ ଏବେ ନିଜେ ପାର୍ଟି ଗଠନ ପାଇଁ ପୂରା ଦମରେ ଲାଗି ପଡ଼ିଛନ୍ତି ମୋକିମ୍ମ। ଏହା ସହିତ ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ପାର୍ଟି ଗଠନ ନେଇ ସମୟସୀମା ସ୍ଥିର କରିଛନ୍ତି। ସୂଚନାଯୋଗ୍ୟ, ପିସିସି ସଭାପତି ଭକ୍ତଚରଣ ଦାସଙ୍କ ପ୍ରତି ବିଷୋଦଗାର କରିଥିଲେ ମୋକିମ। ଏପରିକି ସେ ରାଜ୍ୟ କଂଗ୍ରେସର ସ୍ଥିତିକୁ ନେଇ ଏଆଇସିସିର ହାଇକମାଣ୍ଡଙ୍କ ନିକଟକୁ ଚିଠି ଲେଖିଥିଲେ। ସେ ସିଧାସଳଖ ଭକ୍ତ ଦାସଙ୍କୁ ଟାର୍ଗେଟ୍ କରିଥିଲେ। ଦଳୀୟ ଆଚରଣ ଉଲ୍ଲଂଘନ ଅଭିଯୋଗରେ ମୋକିମଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଥିଲା। ଏହା ପରେ ସେ କଂଗ୍ରେସର ସ୍ଥିତି ପାଇଁ ଦଳର ଶୀର୍ଷ ନେତୃତ୍ଵକୁ ଦାୟୀ କରିଥିଲେ। ଆଉ ଏବେ ରାଜ୍ୟରେ ନୂଆ ଏକ ଆଞ୍ଚଳିକ ଦଳ ଗଠନ ପାଇଁ ଅଣ୍ଟା ଭିଡିଛନ୍ତି ମୋକିମ।
Comments are closed, but trackbacks and pingbacks are open.