ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡ଼ି ଯାଞ୍ଚ

21

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଓ ସେମାନଙ୍କର ନେତାମାନେ ଆପ୍ରାଣ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ବିଶେଷ କରି ବିଜେପି, ବିଜେଡି ଓ କଂଗ୍ରେସର ରାଜ୍ୟସ୍ତରୀୟ ନେତାମାନେ ଧାମନଗର ନିର୍ବାଚନ ମଣ୍ଡଳୀରେ ଡେରା ପକାଇ ପ୍ରଚାର କାର୍ଯ୍ୟ କରୁଛନ୍ତି । ଅପରପକ୍ଷରେ ନିର୍ବାଚନକୁ କୌଣସି ପ୍ରକାର ପ୍ରଭାବମୁକ୍ତ କରିବା ପାଇଁ ପ୍ରଶାସନ ମଧ୍ୟ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ନେତା, ବିଧାୟକ ଓ ମନ୍ତ୍ରୀଙ୍କର ଗାଡ଼ି ଯାଞ୍ଚ କରିବାରେ ଲାଗିଛନ୍ତି । ବାଲେଶ୍ୱର ସାଂସଦ ପ୍ରତାପ ଷଢ଼ଙ୍ଗୀ ଗତକାଲି ତିହିଡ଼ି ବ୍ଲକ ଅଧୀନ କାଁପଡ଼ା ପଞ୍ଚାୟତରେ ନିର୍ବାଚନ ପ୍ରଚାର ଶେଷ କରି ଫେରୁଥିବା ବେଳେ ରାସ୍ତାରେ ଜଗିରହିଥିବା ଅଧିକାରୀ ତାଙ୍କ ଗାଡ଼ିକୁ ଅଟକାଇଥିଲେ । ଭୋଟରଙ୍କୁ ବଣ୍ଟନ କରିବା ପାଇଁ ଟଙ୍କା ଗାଡ଼ିରେ ଯାଉଛି କି ନାହିଁ ତାହା ଯାଞ୍ଚ କରିବା ପାଇଁ ପ୍ରଶାସନ ଗାଡ଼ି ଅଟକାଇଥିଲା । ତେବେ ଚର୍ଚ୍ଚାରେ ଥିବା ସାଂସଦ ପ୍ରତାପଙ୍କ ଗାଡ଼ିରୁ ଯାହା ବାହାରିଲା ତାହାକୁ ଦେଖି ଯାଞ୍ଚ ଅଧିକାରୀ ଓ ଉପସ୍ଥିତ ପୁଲିସ ତାଜୁବ । ଡିକି ଖୋଲିଲା ପରେ କିଛି ବ୍ରାହ୍ମି ଗଛ, ଗୋଟେ ପ୍ୟାକେଟ ବ୍ରିଟାନିଆ ବିସ୍କୁଟ ଓ କିଛି ଆପେଲ । ‘ଆମେ ଜାଣିଥିଲୁ ଆମେ ଯେଉଁ ସନ୍ଦେହରେ ଯାଞ୍ଚ କରୁଛୁ ସେପରି କିଛି ଆପଣଙ୍କ ଗାଡ଼ିରୁ ବାହାରିବ ନାହିଁ’ ବୋଲି ଯାଞ୍ଚ ଅଧିକାରୀ ବିନମ୍ରତାର ସହ କହିଥିଲେ । ସାଂସଦ ମଧ୍ୟ ବିନୀତ ଭାବେ କହିଥିଲେ, ସିଟ ତଳ ମଧ୍ୟ ଯାଞ୍ଚ କରିନିଅନ୍ତୁ, ସେଠାରେ କିଛି ଥାଇପାରେ । ଏହି ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚର କେନ୍ଦ୍ରବିନ୍ଦୁ ସାଜିଛି ।

Comments are closed, but trackbacks and pingbacks are open.