ଭୋଟ୍ କିଣାବିକା ନେଇ ଶାସକ ଦଳ ବିରୁଦ୍ଧରେ ସାଂସଦ ଅପରାଜିତାଙ୍କ ସଂଗୀନ ଅଭିଯୋଗ

14

ରାଜ୍ୟରେ ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ହେବ ପୌର ନିର୍ବାଚନ । ୨ ତାରିଖରୁ ଆରମ୍ଭ ହୋଇ ୭ ତାରିଖ ରେ ସରିଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା I ୯ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହୋଇ ୧୪ ରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ Iଏ ଭିତରେ ଭୋଟ ପାଇଁ ନୋଟ କାରବାର ଚାଲିଛି ବୋଲି ଶାସକ ଦଳ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ I ହେଲେ ପ୍ରମାଣ କିଛି ଦେଇ ନାହାନ୍ତି, କହିଛନ୍ତି, ଠିକ ସମୟରେ ଏହାର ଖୁଲାସା କରିବେ । ସାଂସଦ ଙ୍କ ଅଭିଯୋଗ ଅନୁସାରେ ଶାସକ ଦଳ ବସ୍ତି ବାସିନ୍ଦା ଙ୍କୁ ପ୍ରଲୋଭିତ କରି ପ୍ରତି ଭୋଟ ପିଛା ୫୦୦ ରୁ ୧୦୦୦ ଟଙ୍କା ଖର୍ଚ୍ଚ କରୁଛି I ଅର୍ଥାତ ବସ୍ତି ବାସିନ୍ଦା ଙ୍କ ଠାରୁ ପଇସା ବଦଳ ରେ ସିଧା ସଳଖ ଭୋଟ କିଣି ନେଉଛି ବିଜେଡି I
ତେବେ ପୌର ପ୍ରଚାର ଆରମ୍ଭ ନ ହେଉଣୁ ଆରମ୍ଭ ହେଇଗଲାଣି କାଦୁଅ ଫିଙ୍ଗା ରାଜନୀତି । ଏ ଭଳି ସଂଗୀନ ଅଭିଯୋଗ ପରେ ମୁହାଁମୁହିଁ ହୋଇଛନ୍ତି ଭୁବନେଶ୍ୱର ସାଂସଦ ଓ ଏକାମ୍ର ବିଧାୟକ । ଏକାମ୍ର ବିଧାୟକ ଶ୍ରୀଯୁକ୍ତ ଅଶୋକ ପଣ୍ଡା ଏହି ଅଭିଯୋଗ କୁ ଖଣ୍ଡନ କରି କହିଛନ୍ତି ପଞ୍ଚାୟତ ନିର୍ବାଚନ ଫଳଫଳାକୁ ବରଦାସ୍ତ କରି ନ ପାରି ବିଜେପି ‘ଔଷଧ ବିକଳରେ ତାଟିଆ କାମୁଡୁଛି’ ଏହା ସହିତ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ସାଂସଦ ଏଭଳି ଅଭିଯୋଗ ନକରି ନିଜ ଦଳ କିପରି ଭଲ କରିବ ସେଥିପାଇଁ ଉଦ୍ୟମ କରନ୍ତୁ ।ସେପଟେ ଉଭୟ ବିଜେଡି ଓ ବିଜେପିର ଭୁବନେଶ୍ୱର ମେୟର ପ୍ରାର୍ଥୀ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ କରିଛନ୍ତି ।

Comments are closed, but trackbacks and pingbacks are open.