ଭାରତ ଓ ଦକ୍ଷିଣ ଏସିଆରେ ଭଲିବଲ୍‍ର ପ୍ରସାର ନିମନ୍ତେ କିସ୍‍ ଓ ଏଫ୍‍ଆଇଭିବି ମଧ୍ୟରେ ବୁଝାମଣା

26

ଭୁବନେଶ୍ୱର, ୧୩ା୧୨: ଭାରତ ଓ ଦକ୍ଷିଣ ଏସିଆରେ ଭଲିବଲ୍‍ର ପ୍ରସାର ନିମନ୍ତେ କିସ୍‍ ଓ ଅନ୍ତର୍ଜାତୀୟ ଭଲିବଲ୍‍ ସଂଘ (ଏଫ୍‍ଆଇଭିବି) ମଧ୍ୟରେ ସୋମବାର ସୁଇଜରଲାଣ୍ଡଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। କିସ୍‍ ପକ୍ଷରୁ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିବା ବେଳେ ଏଫ୍‍ଆଇଭିବି ପକ୍ଷରୁ ଏଫ୍‍ଆଇଭିବିର ସଭାପତି ଆରି ଗ୍ରାକା ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ଏହି ବୁଝାମଣା ଅନୁସାରେ ଭାରତ ଓ ଦକ୍ଷିଣ ଏସିଆରେ ଭଲିବଲର ପ୍ରସାର ନିମନ୍ତେ କିସ୍‍ ନୋଡାଲ୍‍ ଏଜେନ୍‍ସୀ ଭାବେ କାର୍ଯ୍ୟ କରିବ। କିସ୍‍ ଓ ଏଫ୍‍ଆଇଭିବି ମିଳିତ ଭାବେ ଭାରତ ଓ ଦକ୍ଷିଣ ଏସିଆରେ ବିଦ୍ୟାଳୟସ୍ତରରେ ଭଲିବଲର ପ୍ରସାର ଦିଗରେ କାର୍ଯ୍ୟ କରିବେ। ଏହା ସହିତ କିସ୍‍ ଭଲିବଲ୍‍ ତାଲିମ୍‍ ଓ ଅନ୍ୟ କ୍ରୀଡ଼ା ସମ୍ପର୍କିତ ଶିକ୍ଷା ସୁବିଧାର ନଲେଜ ହବ୍‍ରେ ପରିଣତ ହେବ। କିସ୍‍ ମଧ୍ୟ ରାଷ୍ଟ୍ରୀୟ ଭଲିବଲ୍‍ ଦଳଗୁଡ଼ିକ ପାଇଁ ତାଲିମ୍‍ ଓ ଶିକ୍ଷା କାର୍ଯ୍ୟକ୍ରମ ଯୋଗାଇ ଦେବା ପରେ ଏହା ଭଲିବଲ୍‍ ତାଲିମ୍‍ ହବ୍‍ରେ ପରିଣତ ହେବ। କୌଣସି ଶିକ୍ଷାନୁଷ୍ଠାନ ସହ ଏଭଳି ବୁଝାମଣା କରିବାରେ କିସ୍‍ ବିଶ୍ୱର ପ୍ରଥମ ଅନୁଷ୍ଠାନ। ଏଫ୍‍ଆଇଭିବି ଭଲିବଲ୍‍ ପାଇଁ ସମସ୍ତ କ୍ରୀଡ଼ା ଉପକରଣ ଯୋଗାଇ ଦେବ।
ବୁଝାମଣା ଅବସରରେ ଅନ୍ତର୍ଜାତୀୟ ଭଲିବଲ୍‍ ସଂଘର ସଭାପତି ଆରି ଗ୍ରାକା କହିଲେ, ଭାରତ ଓ ଦକ୍ଷିଣ ଏସିଆରେ ଭଲିବଲ୍‍ ଓ ବିଚ୍‍ ଭଲିବଲ୍‍ର ପ୍ରସାର ନିମନ୍ତେ କିସ୍‍ ସହ ମିଶି କାମ କରିବାର ସୁଯୋଗ ମିଳିଲା। ଏହି ଉଦ୍ୟମ ଦ୍ୱାରା ଭଲିବଲ୍‍ ମାଧ୍ୟମରେ ବିଶ୍ୱର ବିଭିନ୍ନ ଦେଶ ଓ ବିଶେଷ କରି ପିଲାମାନଙ୍କୁ ଏକାଠି କରାଯାଇପାରିବ। କିସ୍‍କୁ ଏଥିପାଇଁ ନୋଡାଲ୍‍ ଏଜେନ୍‍ସୀ କରାଯାଇଥିବାରୁ ଶ୍ରୀ ସାମନ୍ତ ଆରି ଗ୍ରାକା ଓ ଅନ୍ତର୍ଜାତୀୟ ଭଲିବଲ୍‍ ସଂଘକୁ ଧନ୍ୟବାଦ ଜଣାଇଥିଲେ। ଶ୍ରୀ ସାମନ୍ତ କହିଲେ, ଏହା ଦ୍ୱାରା ଭାରତ ବିଶେଷ କରି ଓଡ଼ିଶାର ବାଳିକାମାନେ କିଭଳି ଅଧିକରୁ ଅଧିକ ଭଲବଲ୍‍ ଖେଳିବେ ସେ ଦିଗରେ ଗୁରୁତ୍ୱ ଦିଆଯିବ। ଓଡ଼ିଶା ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ କାର୍ଯ୍ୟଧାରାକୁ ପ୍ରଶଂସା କରି ସେ କହିଲେ, ମୁଖ୍ୟମନ୍ତ୍ରୀ କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କୁ ସର୍ବଦା ପ୍ରୋତ୍ସାହିତ କରିଆସୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱରା ଅନୁପ୍ରେରିତ ହୋଇ ଆମେ ଏଭଳି କାର୍ଯ୍ୟ ସବୁ କରିପାରୁଛୁ ବୋଲି ଶ୍ରୀ ସାମନ୍ତ କହିଥିଲେ।
ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ମାସରେ ନେଦରଲାଣ୍ଡରେ ଏଫ୍‍ଆଇଭିବିର ୩୮ତମ ବିଶ୍ୱ କଂଗ୍ରେସରେ ଯୋଗଦେଇ ଭାରତ, ବିଶେଷ କରି ଓଡ଼ିଶାରେ ଭଲିବଲ୍‍ର ପ୍ରସାର ଏବଂ କିସ୍‍କୁ ଏଫ୍‍ଆଇଭିବି ଭଲିବଲ୍‍ ଫର ସ୍କୁଲ୍‍ର ନୋଡାଲ୍‍ ଏଜେନ୍‍ସୀ କରିବା ପାଇଁ ଶ୍ରୀ ସାମନ୍ତ ଏଫଆଇଭିବିକୁ ପ୍ରସ୍ତାବ ଦେଇଥିଲେ। କିଛି ଦିନ ତଳେ ଅନ୍ତର୍ଜାତୀୟ ଭଲିବଲ୍‍ ସଂଘର ଜେନେରାଲ୍‍ ଡାଇରେକ୍ଟର ଫାବିଓ ଆଜେଭେଦୋ କିସ୍‍ ଓ କିଟ୍‍ ପରିଦର୍ଶନ କରି ଏଠାରେ ଥିବା କ୍ରୀଡ଼ା ଭିତ୍ତିଭୂମି ବୁଲି ଦେଖିଥିଲେ। କିଟ୍‍ ଓ କିସ୍‍ର କ୍ରୀଡ଼ା ଭିତ୍ତିଭୂମି ଦେଖି ସେ ଆନନ୍ଦ ପ୍ରକାଶ କରିବା ସହ ଭାରତ ଓ ଦକ୍ଷିଣ ଏସିଆରେ ଭଲିବଲ୍‍ର ପ୍ରସାର ନିମନ୍ତେ କିସ୍‍କୁ ନୋଡାଲ୍‍ ଏଜେନ୍‍ସୀ କରିବା ନେଇ ପ୍ରୟାସ ଆରମ୍ଭ କରିଥିଲେ। ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଏହା ସଫଳ ହୋଇଥିବାରୁ ଫାବିଓ ଆନନ୍ଦ ପ୍ରକାଶ କରିବା ସହ କିସ୍‍ର କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ।

Comments are closed, but trackbacks and pingbacks are open.