ମୋତିହାରି: ଇଟାଭାଟି ଚିମ୍‌ନୀରେ ବିସ୍ଫୋରଣ: ୮ ମୃତ, ୧୦ରୁ ଅଧିକ ନିଖୋଜ

31

ମୋତିହାରି: ବିହାରର ମୋତିହାରି ଶୁକ୍ରବାର ସନ୍ଧ୍ୟାରେ ଏକ ଇଟାଭାଟିର ଟିମ୍‌ନୀରେ ବିସ୍ଫୋରଣ ଘଟିଛି । ଏହାପରେ ଚିମ୍‌ନୀର ଉପର ଅଂଶ ଭାଙ୍ଗି ସେଠାରେ କାମ କରୁଥିବା ଶ୍ରମିକଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା । ଫଳରେ ମାଟିତଳେ ୨୫ ଜଣ ଦବିଯାଇଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ଶ୍ରମିକଙ୍କୁ ମାଟିତଳୁ ଉଦ୍ଧାର କରିଥିଲେ । ଏହା ମଧ୍ୟରୁ ୮ ଜଣଙ୍କର ମୃତ୍ୟୁ ହୋଇଛି । ୧୩ ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ୧୦ ଜଣଙ୍କର ପତ୍ତା ମିଳୁନି । ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି । ଏହି ଦୁର୍ଘଟଣା ରାମଗଡ଼ୱା ଥାନାର ଚମ୍ପାପୁର ଗାଁ ନିକଟରେ ଅପରାହ୍ଣ ପ୍ରାୟ ସାଢ଼େ ୪ଟା ବେଳେ ଘଟିଛି । ସ୍ଥାନୀୟ ଲୋକଙ୍କ ଅନୁସାରେ ଚିମ୍‌ନୀରେ ଚଳିତବର୍ଷ ପ୍ରଥମ ଥର ଇଟା ପୋଡ଼ାଯାଉଥିଲା । ଏଥିପାଇଁ ଶୁକ୍ରବାର ସନ୍ଧ୍ୟାରେ ଭୋଜିର ଆୟୋଜନ ହୋଇଥିଲା । ଚିମ୍‌ନୀରେ ପ୍ରାୟ ସାଢ଼େଇ ଦୁଇଟା ବେଳେ ନିଆଁ ଲଗାଯାଇଥିଲା । ଏହି ଖୁସିରେ ଗ୍ରାମବାସଙ୍କ ସହିତ ଅନ୍ୟ ଲୋକମାନେ ମଧ୍ୟ ସେଠାରେ ଜମା ହୋଇଥିଲେ । ତେବେ ଚିମ୍‌ନୀରୁ ଧୂଆଁ ବାହାରିବା ମାତ୍ରେ ହିଁ ବିସ୍ଫୋରଣ ଘଟିଥିଲା ଏବଂ ଉପର ଅଂଶର ପ୍ରାୟ ୩୦-୪୦ ଫୁଟ ଭାଙ୍ଗି ତଳେ ପଡ଼ିଥିଲା । ଫଳରେ ତଳେ ଥିବା ଲୋକମାନେ ଚାପି ହୋଇଯାଇଥିଲେ । କେତେକ ଲୋକଙ୍କ ରାମଗଡ଼ୱା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିôବା ବେଳେ ଗୁରୁତର ଆହତଙ୍କୁ ରକ୍ସୌଲର ଏସ୍‌ଆର୍‌ପି ହସ୍ପିଟାଲ୍ ସ୍ଥାନାନ୍ତର କରାଯାଇଛି । ଜଣେ ଆହତ କହିଛନ୍ତି, ଦୁର୍ଘଟଣା ବେଳେ ସେଠାରେ ୫୦-୬୦ ଲୋକ କାମ କରୁଥିଲେ । ଜିଲ୍ଲା କଲେକ୍ଟର ଏସ୍‌କେ ଅଶୋକ କହିଛନ୍ତି, ଦୁର୍ଘଟଣାରେ ୮ ଜଣଙ୍କୁ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ନିଖୋଜ ହୋଇଥିବା ଆଶଙ୍କା କରାଯାଉଛି । ଉଦ୍ଧାରକାରୀ ଟିମ୍ ଅଭିଯାନ ଜାରି ରଖିଛନ୍ତି । ଚିମ୍‌ନୀ ଦୁର୍ବଳ କାରଣରୁ ଏହି ବିସ୍ଫୋରଣ ହୋଇ ଭୁଶୁଡ଼ି ପଡ଼ିଥାଇପାରେ ବୋଲି ସେ କହିଛନ୍ତି । ମୃତକଙ୍କ ମଧ୍ୟରୁ ଚିମ୍‌ନୀ ମାଲିକ ମହମ୍ମଦ ଇର୍‌ଶାଦ୍ ଏବଂ ନାରିରଗିର ଗାଁର ଅନୀଲ୍ ବୈଠାଙ୍କ ଚିହ୍ନଟ ହୋଇଥିବା ବେଳେ ଅନ୍ୟମାନଙ୍କ ପରିଚୟ ମିଳିପାରି ନାହିଁ ।

Comments are closed, but trackbacks and pingbacks are open.