ନୂଆଦିଲ୍ଲୀ: ଚଳିତ ବର୍ଷର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ । ଏହି ଅଧିବେଶନ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ । କାରଣ ଏଥିରେ ବିରୋଧୀ ଦଳଗୁଡ଼ିକ ଜନସାଧାରଣଙ୍କ ସମସ୍ୟାକୁ ନେଇ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଥିବା ବେଳେ ସରକାର ନିଜର ବିକାଶମୂଳକ ଏଜେଣ୍ଡା ଓ ମେଗା ଆଇନଗତ ସଂସ୍କାରକୁ ଆଗକୁ ବଢ଼ାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଅଧିବେଶନର ପ୍ରଥମ ଦିନରେ ‘ଇଣ୍ଡିଆ’ ମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଗୃହରେ ବିରୋଧୀ ଦଳର ପ୍ରଥମ ପ୍ରସଙ୍ଗ NEET-UG ଓ ପେପର ଲିକ୍ ଦୁର୍ନୀତି । ପରୀକ୍ଷାରେ ହେଉଥିବା ବ୍ୟାପକ ଅନିୟମିତତା ଏବଂ କୋଟି କୋଟି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଶିକ୍ଷା ମନ୍ତ୍ରଣାଳୟକୁ ଘେରିବେ ବିରୋଧୀ। ସେହିପରି ରାମ ମନ୍ଦିର ପାଣ୍ଠିର ବ୍ୟବହାରକୁ ନେଇ ଉଠିଥିବା ଦୁର୍ନୀତି ଅଭିଯୋଗ ଉପରେ ଦାବି । ନିର୍ବାଚନର ସ୍ୱଚ୍ଛତା ଏବଂ ଭୋଟର ତାଲିକାରେ ହେଉଥିବା ହେରଫେର ଆଶଙ୍କାକୁ ସଂସଦରେ ଉଠାଯିବ। ସୀମା ନିର୍ଦ୍ଧାରଣ ବିଲ୍ , ବିକଶିତ ଭାରତ ଶିକ୍ଷା ପ୍ରତିଷ୍ଠାନ ବିଲ୍ ଏବଂ FCRA ସଂଶୋଧନକୁ ଜୋରଦାର ବିରୋଧ କରାଯିବ। ଆକାଶଛୁଆଁ ମହଙ୍ଗା ମାଡ଼, ବେକାରୀ ସମସ୍ୟା, ଚାଷୀଙ୍କ ସଙ୍କଟ ଏବଂ ଦେଶର ବିଭିନ୍ନ ପ୍ରାନ୍ତରେ ହୋଇଥିବା ବନ୍ୟାର ଭୟଙ୍କର ସ୍ଥିତିକୁ ନେଇ ସରକାରଙ୍କୁ ଘେରିବେ ବିରୋଧୀ । ଶିକ୍ଷା, ନ୍ୟାୟିକ ପ୍ରଶାସନ, ନିୟାମକ ବ୍ୟବସ୍ଥା ଏବଂକ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିକାଶ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ବିଲ୍ ଗୁଡ଼ିକୁ ଯେକୌଣସି ପରିସ୍ଥିତିରେ ପାସ୍ କରାଇବା ରହିବ ସରକାରଙ୍କ ଏଜେଣ୍ଡା । ଚଳିତ ମୌସୁମୀ ଅଧିବେଶନ କେବଳ ସଂଖ୍ୟା ଗରିଷ୍ଠତାର ଖେଳ ନୁହେଁ, ବରଂ ଏହା ଉଭୟ ପକ୍ଷର ରାଜନୈତିକ ପରିପକ୍ୱତାର ପରୀକ୍ଷା ।
Comments are closed, but trackbacks and pingbacks are open.