ଓଡ଼ିଶାରେ ମୌସୁମୀ ଦୁର୍ବଳ ,ଶ୍ରାବଣ ରେ ନାହିଁ ବର୍ଷା

15

ଭୁବନେଶ୍ୱର : ୦୨-୦୮-(ପି.ଏନ.ଏ) : ଓଡ଼ିଶାରେ ମୌସୁମୀ ଦୁର୍ବଳ I ଏଥର ଶ୍ରIବଣରେ ଭିଯିବନି ଓଡିଶା I ସ୍ୱାଭାବିକଠାରୁ କମ୍‌ ରହିବ ବର୍ଷା ପରିମାଣ I ଗଜା ମରୁଡି ଆଶଙ୍କା କରି ଚାଷୀକୁଳ ମୁଣ୍ଡରେ ହାତ ଦେଲେଣି Iସେହିଭଳି ଅଗଷ୍ଟ -ସେପ୍ଟେମ୍ବର ରେ ନିଅଣ୍ଟିଆ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କରିଛି I ସେହିପରି ଓ଼ଡ଼ିଶା ସମେତ ପୂର୍ବ-କେନ୍ଦ୍ରୀୟ, ପୂର୍ବ ଓ ଉତ୍ତର-ପୂର୍ବ ଭାରତର ଅଧିକାଂଶ ଅଞ୍ଚଳରେ ବର୍ଷା ପରିମାଣ ସ୍ୱାଭାବିକଠାରୁ କମ୍‌ ରହିବ ବୋଲି କହିଛି ପାଣିପାଗ ବିଭାଗ । ଅଗଷ୍ଟରେ ନିଅଣ୍ଟିଆ ବର୍ଷା ସମ୍ଭାବନା ୪୦% । ତେଣୁ ୟେଲୋ ଜୋନରେ ଆସୁଛି ଓଡ଼ିଶା । ତେବେ ଚଳିତ ମାସରେ ସାରା ଦେଶରେ ସ୍ୱାଭାବିକ ହେବ ବର୍ଷା । ଲଞ୍ଚ ପିରିୟଡ ଆଭରେଜରେ ବର୍ଷା ପରିମାଣ ୯୪ରୁ ୧୦୪ ପ୍ରତିଶତ ଭିତରେ ରହିବ । ଦକ୍ଷିଣ-ପୂର୍ବ ଭାରତ, ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ଭାରତରେ ସ୍ୱାଭାବିକ ବର୍ଷା ସମ୍ଭାବନା ରହିଛି ।
ଦକ୍ଷିଣ ପଶ୍ଚିମ ମୌସୁମୀର ଦ୍ୱିତୀୟ ଭାଗ ଓ ଅଗଷ୍ଟ ମାସ ପାଇଁ ଆଇଏମ୍‌ଡି ଆଜି ବିସ୍ତୃତ ପୂର୍ବାନୁମାନ ଜାରି କରିଛି । ଏହି ପୂର୍ବାନୁମାନ ଅନୁସାରେ, ଦେଶରେ ଅଗଷ୍ଟ ଓ ସେପ୍ଟେମ୍ବର ଦୁଇ ମାସ ମୌସୁମୀ ବର୍ଷା ସ୍ୱାଭାବିକ ରହିବ । ଏହି ସମୟରେ ବିସ୍ତୃତ ବର୍ଷା ସମ୍ଭାବନା ପ୍ରାୟ ୯୪ରୁ ୧୦୬% । ଦେଶର ପଶ୍ଚିମ ତଟ, ପଶ୍ଚିମ ମଧ୍ୟ ଭାଗ ଓ ଉତ୍ତର-ପଶ୍ଚିମ ଭାରତକୁ ଛାଡି ଦକ୍ଷିଣ ଭାରତର ଅଧିକାଂଶ ସ୍ଥାନରେ ସ୍ୱାଭାବିକ ବା ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ରହିଛି । ତେବେ ଓଡ଼ିଶା ସମେତ ପୂର୍ବ ଭାରତରେ ସ୍ୱାଭାବିକଠାରୁ କମ୍‌ ବର୍ଷା ହୋଇପାରେ ବୋଲି ଆଇଏମ୍‌ଡି ସତର୍କ କରାଇଛି । ପୂର୍ବ ଭାରତ ସମେତ ପୂର୍ବ କେନ୍ଦ୍ରୀୟ, ପଶ୍ଚିମ ତଟ ଓ ଦକ୍ଷିଣ ପୂର୍ବ ଭାରତରେ ବି ସ୍ୱାଭାବିକଠାରୁ କମ୍‌ ବର୍ଷା ଆଶଙ୍କା ରହିଛି ।

ସେହିଭଳି ଅଗଷ୍ଟରେ ମୋଟାମୋଟି ଭାବେ ସ୍ୱାଭାବିକ ବର୍ଷା ହେବ ବୋଲି ଆଇଏମ୍‌ଡି ଆକଳନ କରିଛି । ଦକ୍ଷିଣ ପୂର୍ବ ଭାରତ, ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ଭାରତ ସଂଲଗ୍ନ ଅଞ୍ଚଳରେ ସ୍ୱାଭାବିକ ବା ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ରହିଛି । ହେଲେ ଓଡିଶାକୁ ନେଇ ଡରାଇବା ଭଳି ଚିତ୍ର ଦେଇଛି ଆଇଏମ୍‌ଡି । ଅଗଷ୍ଟରେ ଓଡ଼ିଶା ସମେତ ପୂର୍ବାଞ୍ଚଳ, ପୂର୍ବ କେନ୍ଦ୍ରୀୟ ଓ ଉତ୍ତର ପୂର୍ବ ଭାରତରେ ସ୍ୱାଭାବିକଠାରୁ କମ୍‌ ବର୍ଷା ହୋଇପାରେ ବୋଲି ଆକଳନ କରିଛି । ଅଗଷ୍ଟରେ ଓଡିଶାର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ ବୋଲି ମଧ୍ୟ ଆଇଏମ୍‌ଡିର ପୂର୍ବାନୁମାନ କହୁଛି ।

ମୌସୁମୀର ଦ୍ୱିତୀୟ ଭାଗ ପାଇଁ ଆଇଏମ୍‌ଡିର ରିପୋର୍ଟ ଚାଷୀ ପାଇଁ ଚିନ୍ତାଜନକ ପାଲଟିଛି । ରାଜ୍ୟର ଚାଷୀ ମୁଣ୍ଡରେ ଚଡକ ପଡିଛି । ପ୍ରଥମରୁ ବିଳମ୍ବିତ ମୌସୁମୀ ଯୋଗୁ ଚାଷ କାମ ଡେରିରେ ଆରମ୍ଭ ହୋଇଥିଲା । ଆଉ ଏବେ ବିଲରେ ତଳି ପଡ଼ିଥିବା ବେଳେ ବର୍ଷା ଉଭେଇ ଯିବାର ସନ୍ଦେହ ବଢ଼ିଲାଣି ।

ଆଇଏମ୍‌ଡିର ରିପୋର୍ଟ ଅନୁସାରେ, ଅଗଷ୍ଟ ମାସରେ ଜଗତସିଂହପୁର, କେନ୍ଦ୍ରାପଡା, ବଲାଙ୍ଗୀର ଓ ଝାରସୁଗୁଡାରେ ସ୍ୱାଭାବିକ ବା ଏହାଠାରୁ ଅଧିକ ବର୍ଷା ହୋଇପାରେ। କିନ୍ତୁ ବାକି ୨୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ରହିବ । ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ପଶ୍ଚିମ ଓଡିଶାରେ ସେପ୍ଟେମ୍ବର ମାସରେ କମ୍‌ ବର୍ଷା ହେବ।

Comments are closed, but trackbacks and pingbacks are open.