ହାତୀ ମୁହଁରୁ ଜୀବନ ବଞ୍ଚାଇଦେଲା ମୋବାଇଲ୍‌

25

ଭୁବନେଶ୍ବର:  ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଗୁହାଳିଆ ଗ୍ରାମରେ ଘଟିଛି ଏକ ଲୋମଟାଙ୍କୁରା ଘଟଣା। ମୋବାଇଲ୍‌ ପାଇଁ ହାତୀ କବଳରୁ ବର୍ତ୍ତିଯାଇଛି ଜଣେ ମହିଳାଙ୍କ ଜୀବନ। ରାତି ଅଧରେ ଦୁଆର ମୁହଁରେ ଛିଡ଼ା ହୋଇଥିଲା ହାତୀ। କିଛି ଶବ୍ଦ ଶୁଣି ଘରୁ ଗୋଡ଼ କାଢ଼ୁଥିଲେ ମହିଳା। ହୁଏତ ଆଉ କିଛି ପାଦ ଆଗକୁ ବଢ଼ାଇଥିଲେ ମୃତ୍ୟୁ ସୁନିଶ୍ଚିତ ଥିଲା। ହେଲେ ଠିକ୍‌ ସମୟରେ ବାଜିଲା ମୋବାଇଲ, ଆଉ ବଞ୍ଚିଗଲା ଜୀବନ । ଔପଦା ବ୍ଲକ ଗୁହାଳିଆ ଗ୍ରାମରେ ନିଜ ଘରେ ଏକାକୀ ରୁହନ୍ତି ମଧ୍ୟବୟସ୍କା ମହିଳା ପୁଷ୍ପଲତା ବାରିକ । ତାଙ୍କ ସ୍ୱାମୀ ନାଇଟ୍‌ ବସ୍ ହେଲପର୍‌ ହୋଇଥିବାରୁ ସବୁବେଳେ ବାହାରେ ରୁହନ୍ତି। ପିଲାମାନେ ବି ବାହାରେ ରୁହନ୍ତି। ପୁଷ୍ପଲତାଙ୍କ ଘର କହିଲେ ଇନ୍ଦିରା ଆବାସ ଯୋଜନାରେ ମିଳିଥିବା ୨ ବଖରା ଘର। ହେଲେ କବାଟ ଭଙ୍ଗାଦଦରା ଅବସ୍ଥାରେ ଥିବାରୁ ଯେ କେହି ସହଜେ ପଶିବା ସମ୍ଭବ। ଗୁହାଳିଆ ଗ୍ରାମ ନିକଟରେ ଅଧିକାଂଶ ସମୟରେ ହାତୀପଲ ବୁଲୁଥିବା ବେଳେ ଗତକାଲି ଗାଁ ଭିତରକୁ ଧାନ ଖାଇବାକୁ ପଶିଥିଲେ । ପୁଷ୍ପଲତାଙ୍କ ଘର ବାହାରେ ଧାନଖଳା ଥିବାରୁ ଗତକାଲି ହାତୀ ଧାନ ଖାଇବାକୁ ଆସିଥିଲା। ଏହି ସମୟରେ ରାତି ପ୍ରାୟ ୧ଟା ପରେ ଏକ ହାତୀ ପୁଷ୍ପଲତାଙ୍କ ଘର କବାଟକୁ ଠେଲିବାକୁ ଚେଷ୍ଟା କରିଥିଲା। କିଛି ଶବ୍ଦ ଶୁଣି ନିଦ ଭାଙ୍ଗିଯିବାରୁ ଘରୁ ବାହାରିବାକୁ ଯାଉଥିଲେ ପୁଷ୍ପଲତା। ହୁଏତ ଆଉ କିଛି ପାଦ ଆଗେଇ କବାଟ ଖୋଲି ଦେଇଥିଲେ ଆଜି ସକାଳୁ ପରିବାରରେ କାନ୍ଦ ବୋବାଳି ପଡ଼ିଥାନ୍ତା। ଏହି ସମୟରେ ତାଙ୍କ ମୋବାଇଲ ରିଂ ହେଲା।  ପଡ଼ୋଶୀ ଫୋନ୍‌ କରି ଘର ବାହାରେ ହାତୀ ଥିବାରୁ କବାଟ ନ ଖୋଲିବାକୁ କହିଥିଲେ। ଫଳରେ ଘର ଭିତରେ ରହି ନିଜ ଜୀବନ ବଞ୍ଚାଇ ପାରିଥିଲେ ମହିଳା। ଏହାପରେ ଗାଁ ଲୋକେ ପହଞ୍ଚି ହାତୀ ଘଉଡ଼ାଇବାରୁ ଘରୁ ବାହାରିଥିଲେ ପୁଷ୍ପଲତା। ଏନେଇ ମହିଳା ଜଣକ କହିଛନ୍ତି, ହାତୀ ଘର ଆଗରେ ଛିଡ଼ା ହେବାରୁ ବଞ୍ଚିବି ବୋଲି ଆଶା ନ ଥିଲା। ଫୋନ୍‌ ରିଂ ହେବାରୁ ବଞ୍ଚିଗଲି । ସୁଇଚ ଅଫ୍‌ ଥିଲେ ମରିବା ସୁନିଶ୍ଚିତ ଥିଲା। ହାତୀ ହାବୁଡ଼ରେ ପଡ଼ିଥିଲେ ମୋ’ ଜୀବନ ନ ଥାନ୍ତା। ସବୁବେଳେ ଫୋନ୍‌ ପାଖରେ ରଖିଥାଏ। ଏବେ ସବୁବେଳେ ଫୋନ୍‌ ରିଚାର୍ଜ କରି ରଖିବି।

Comments are closed, but trackbacks and pingbacks are open.