ବିଶ୍ୱେଶ୍ୱରଙ୍କ ସିଟ୍ ଉପରେ ବିଧାୟକଙ୍କ ନଜର!

17

ବିଜେପି ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ଦଳ ୧୯୫ ସିଟ୍ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ୧୬ ରାଜ୍ୟ ଏବଂ ୨ କେନ୍ଦ୍ର ଶାସିତ ଅଞ୍ଚଳରୁ ୧୯୫ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । କିନ୍ତୁ ଏହି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶା ନାହିଁ । ଓଡ଼ିଶାର କୌଣସି ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିନି ବିଜେପି । ଆଉ ଖୁବ୍ ଶୀଘ୍ର ଦଳ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବ । ତେବେ ସେଥିରେ ଓଡ଼ିଶାରୁ ଦଳ କାହାର ନାଁ ଘୋଷଣା କରିବ କି ନାହିଁ ସେଥିଲାଗି ବିଭିନ୍ନ ଆଲୋଚନା ହେବାରେ ଲାଗିଛି ।

ଆଉ ଏହି ସବୁ ଭିତରେ ମୟୁରଭଞ୍ଜ ସଂସଦୀୟ କ୍ଷେତ୍ରକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ତାହା ହେଉଛି ବିଜେପିରୁ କିଏ ହେବ ପ୍ରାର୍ଥୀ । ଗତ ନିର୍ବାଚନରେ ବିଜେଡିରୁ ହାଟ୍ରିକ୍ ମାରିବା ଲକ୍ଷରେ ବ୍ରେକ୍ ଲଗାଇଥିଲେ ବିଜେପି ପ୍ରାର୍ଥୀ ବିଶେଶ୍ୱର ଟୁଡୁ । ବିଶ୍ୱେଶ୍ୱର ଗତ ନିର୍ବାଚନରେ ଖାଲି ବାଜି ମାରିନଥିଲେ, ପ୍ରତିଦ୍ୱନ୍ଦି ରାଜନୈତିକ ଦଳମାନଙ୍କୁ ମଧ୍ୟ ଚମ୍‌କାଇ ଦେଇଥିଲେ । ସଂଘ ପରିବାରରୁ ଆସିଥିବାରୁ ତାଙ୍କୁ ଆରଏସ୍‌ଏସ୍‌ରୁ ପୂର୍ଣ୍ଣ ସମର୍ଥନ ମିଳିଥିଲା ଓ ଏଥିପାଇଁ ତାଙ୍କ ବିଜୟ ସହଜସାଧ୍ୟ ହେଲା ବୋଲି କୁହାଯାଏ । କିନ୍ତୁ ଏଥର ଏହି ଆସନରେ ଚିତ୍ର ପୁରା ବଦଳିଛି । ଏବେ ଚର୍ଚ୍ଚା ହେଉଛି ଗତ ପାଞ୍ଚବର୍ଷ ମଧ୍ୟରେ ବିଶ୍ୱେଶ୍ୱରଙ୍କ କାର୍ଯ୍ୟଶୈଳୀକୁ ନେଇ ସଂଘ ପରିବାର କୁଆଡ଼େ ଅସନ୍ତୁଷ୍ଟ ରହିଛି । କୁଡ଼ୁମୀ ବିରୋଧୀ ମନ୍ତବ୍ୟ, ଦଳୀୟ ନେତା ଓ କର୍ମୀଙ୍କୁ ଅଣଦେଖା ଏବଂ ଅଧିକାଂଶ ସମୟରେ ବିବାଦୀୟ ବୟାନ ମଧ୍ୟ ବିଶ୍ୱେଶ୍ୱରଙ୍କ ବାଜି ଆସନ୍ତା ନିର୍ବାଚନରେ ବିଗାଡ଼ି ଦେଇପାରେ ବୋଲି ଏବେ ଶୁଣାଯାଉଛି । ଅନ୍ୟପକ୍ଷରେ ବିଶେଶ୍ୱର ଏହି ଆସନ ଉପରେ ତଥା ସାଂସଦ ଟିକେଟ୍ ପାଇଁ କିଛି ଦଳୀୟ ନେତା ମଧ୍ୟ ଉଦ୍ୟମ ଚଳାଇଛନ୍ତି ।

ବିଶେଷ କରି ରାଇରଙ୍ଗପୁର ବିଧାୟକ ନବଚରଣ ମାଝିଙ୍କ କୁଆଡ଼େ ଆଶା ରହିଛି ଏହି ଆସନ ଉପରେ । ଅନ୍ୟପକ୍ଷରେ ବରିଷ୍ଠ ନେତା ନରେନ୍ଦ୍ର ସିଂ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ୍‌ଙ୍କ ଟିକେଟ୍ ଲବିରେ ଥିବା ଚର୍ଚ୍ଚା ହେଉଛି । ଅନ୍ୟପଟେ ବିଜେପି ଖୁବ୍ ଶୀଘ୍ର ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକ ଘୋଷଣା କରିବାକୁ ଯାଉଛି । ତେବେ ଏହି ସଂସଦୀୟ କ୍ଷେତ୍ରରେ ଦଳର ଶୀର୍ଷ ନେତୃତ୍ୱ କାହା ଉପରେ କରିବେ ଭରସରା ତାହା ଦେଖିବାକୁ ଅପେକ୍ଷା ।

Comments are closed, but trackbacks and pingbacks are open.