ମନ୍ତ୍ରୀସ୍ତରୀୟ ବୈଠକ ସମୟରେ ବିଧାୟକଙ୍କ ମୃତ୍ୟୁ

253

ନୂଆଦିଲ୍ଲୀ: ବରେଲି ଜିଲ୍ଲାର ଫରିଦପୁର (ସଂରକ୍ଷିତ) ବିଧାନସଭା ନିର୍ବାଚନମଣ୍ଡଳୀର ଭାରତୀୟ ଜନତା ପାର୍ଟି (ବିଜେପି) ବିଧାୟକ ଡକ୍ଟର ଶ୍ୟାମ ବିହାରୀ ଲାଲଙ୍କ ଆଜି ଅପରାହ୍ନରେ ହୃଦଘାତରେ ମୃତ୍ୟୁ ଘଟିଛି। ଦଳ ଏବଂ ପରିବାର ପକ୍ଷରୁ ଏହା ନିଶ୍ଚିତ କରାଯାଇଛି। ଡକ୍ଟର ଶ୍ୟାମ ବିହାରୀ ଲାଲ ସର୍କିଟ ହାଉସରେ ପଶୁସମ୍ପଦ ବିକାଶ ମନ୍ତ୍ରୀ ଧରମପାଲ ସିଂହଙ୍କ ସହିତ ଏକ ବିକାଶ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ସେ ଗୁରୁବାର ତାଙ୍କର ୬୦ ତମ ଜନ୍ମଦିନ ପାଳନ କରିଥିଲେ। ଜଣେ ଦଳୀୟ କର୍ମୀ ସୂଚନା ଦେଇଛନ୍ତି ଯେ, ପଶୁସମ୍ପଦ ମନ୍ତ୍ରୀ ସର୍କିଟ ହାଉସରେ ଏକ ବୈଠକ କରୁଥିଲେ, ଯେଉଁଥିରେ ବିଧାୟକ ଶ୍ୟାମ ବିହାରୀ ଲାଲ ମଧ୍ୟ ଉପସ୍ଥିତ ଥିଲେ। ଅପରାହ୍ନ ପ୍ରାୟ ୨:୧୫ ସମୟରେ ହଠାତ୍ ଶ୍ୟାମ ବିହାରୀ ଲାଲଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। ତାଙ୍କ ସହକର୍ମୀମାନେ ତୁରନ୍ତ ତାଙ୍କୁ ମେଡିସିଟି ହସ୍ପିଟାଲକୁ ନେଇଗଲେ, ଯେଉଁଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ତାଙ୍କ ଅବସ୍ଥା ଆହୁରି ଖରାପ ହେବାକୁ ଲାଗିଲା ଏବଂ ଅପରାହ୍ନ ପ୍ରାୟ ୩ ଟାରେ ତାଙ୍କର ମୃତ୍ୟୁ ଘଟିଥିଲା।

Comments are closed, but trackbacks and pingbacks are open.