କ୍ଷୁଦ୍ର ଜଳସେଚନ – ଅଧୀକ୍ଷଣ ଯନ୍ତ୍ରୀଙ୍କୁ ମୁଖ୍ୟ ଦାୟିତ୍ୱ

49

ଭୁବନେଶ୍ୱର: ପ୍ରଥମ ଥର ପାଇଁ କ୍ଷୁଦ୍ର ଜଳସେଚନ୍ ଡିଜିଜନର ମୁଖ୍ୟ ଭାବେ ନିର୍ବାହୀ ଯନ୍ତ୍ରୀଙ୍କ ବଦଳରେ ଅଧୀକ୍ଷଣ ଯନ୍ତ୍ରୀ ରହିବେ । ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଏହି ମର୍ମରେ କ୍ଷୁଦ୍ର ଜଳସେଚନ କ୍ୟାଡରରେ ପୁର୍ନଗଠନ କରାଯାଇଛି ଏବଂ ତଦନୁଯାୟୀ ଏଣିକି ଅଧୀକ୍ଷଣ ଯନ୍ତ୍ରୀମାନେ ସମସ୍ତ ୩୦ଟି କ୍ଷୁଦ୍ର ଜଳସେଚନ ଡିଭିଜନର ମୁଖିଆ ଦାୟିତ୍ୱ ତୁଲାଇବେ ।
ବିଭିନ୍ନ ଇଞ୍ଜିନିୟରିଂ ବିଭାଗର କାର୍ଯ୍ୟଭାର ବୃଦ୍ଧିପାଇବା, ପଦୋନ୍ନତି, କାର୍ଯ୍ୟଦକ୍ଷତା ଆଦିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡିଶା ଇଞ୍ଜିନିୟରିଂ ସେବା (ଓଇଏସ୍‍) ଅଧିନରେ ଥିବା କ୍ଷୁଦ୍ର ଜଳସେଚନ କ୍ୟାଡରରେ ପୁର୍ନଗଠନ କରିଛନ୍ତି । ପୂର୍ବରୁ ରାଜ୍ୟ କ୍ୟାବିନେଟ୍‍ ଏହି ପ୍ରସ୍ତାବ ଉପରେ ମୋହର ମାରିଥିବାବେଳେ ଚଳିତମାସ ୩ ତାରିଖରେ କ୍ୟାଡର ପୁର୍ନଗଠନ ବିଜ୍ଞପ୍ତି ପ୍ରକାଶ ପାଇଛି । ଜଳସମ୍ପଦ ବିଭାଗ ଅଧିନରେ ଥିବା କ୍ଷୁଦ୍ର ଜଳସେଚନ ବିଭାଗରେ ଇଞ୍ଜିନିୟରିଂ ସର୍ଭିସ କ୍ୟାଡରରେ ପୂର୍ବରୁ ୨୪୬ଟି ପଦବୀ ରହିଥିଲା । କ୍ୟାଡରରେ ଥିବା ଉପ ଅଧୀକ୍ଷଣ ଯନ୍ତ୍ରୀ ପଦବୀକୁ ଉଚ୍ଛେଦ ସହିତ ଏହାକୁ ସହକାରୀ ଅଧୀକ୍ଷଣ ଯନ୍ତ୍ରୀ ପଦବୀରେ ମିଶାଇ ଦିଆଯାଇଛି । ତେବେ ଉପ ଅଧୀକ୍ଷଣ ଯନ୍ତ୍ରୀମାନେ ପୂର୍ବଭଳି ସେମାନଙ୍କ ଦରମା ପାଇବା ସହିତ ଗ୍ରେଡେସନ ତାଲିକାରେ ବରିଷ୍ଠତା ବଜାୟ ରଖିବେ । ତେବେ ଏଠାରେ ଥିବା ଅଧୀକ୍ଷଣ ଯନ୍ତ୍ରୀ (ପ୍ରଥମ ଓ ଦ୍ୱିତୀୟ ପାହ୍ୟା) ପଦବୀକୁ ଅଧୀକ୍ଷଣ ଯନ୍ତ୍ରୀ ପେ ଲେଭଲ-୧୪ ଭାବେ ବିବେଚନା କରାଯାଇଛି । ଏଥି ସହିତ ପେ ଲେଭଲ-୧୬ରେ ନୂତନ ଭାବେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପଦବୀ ସୃଷ୍ଟି କରାଯାଇଛି । ଏହି ପଦବୀଟି ଅଧୀକ୍ଷଣ ଯନ୍ତ୍ରୀ ଏବଂ ମୁଖ୍ୟଯନ୍ତ୍ରୀ ପଦବୀ ମଝିରେ ରହିବ । ସେହିଭଳି ସବଡିଭିଜନ ମୁଖ୍ୟଭାବେ ସହକାରୀ ନିର୍ବାହୀ ଯନ୍ତ୍ରୀ ଏବଂ ଡିଭିଜନ ମୁଖ୍ୟଭାବେ ଅଧୀକ୍ଷଣ ଯନ୍ତ୍ରୀ ଦାୟିତ୍ୱ ତୁଲାଇବେ । ମୁଖ୍ୟଯନ୍ତ୍ରୀ ପୂର୍ବଭଳି ବିଭାଗର ମୁଖ୍ୟ ଭାବେ ରହିବେ । ଭୁବନେଶ୍ୱର, ବ୍ରହ୍ମପୁର ଏବଂ ସମ୍ବଲପୁର ପାଇଁ ତିନିଟି ମୁଖ୍ୟଯନ୍ତ୍ରୀ ପଦବୀ ସୃଷ୍ଟି ହୋଇଛି । ସେହିଭଳି ପେ ଲେଭଲ-୧୭ରେ ଗୋଟିଏ ସର୍ବୋଚ୍ଚ ଯନ୍ତ୍ରୀ ପଦବୀ ସୃଷ୍ଟି ହୋଇଛି ଯିଏ କି ଅନୁଷ୍ଠାନର ମୁଖ୍ୟ ଦାୟିତ୍ୱରେ ରହିବେ । ସମସ୍ତ ପଦବୀର ପୁର୍ନଗଠନ ହୋଇଥିବାବେଳେ ବରିଷ୍ଠତା ଏବଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉପଯୁକ୍ତ ଅଧିକାରୀଙ୍କ ଦ୍ୱାରା ଏହା ପୂରଣ କରାଯିବ । ତେବେ ପୂର୍ବଭଳି କ୍ଷୁଦ୍ର ଜଳସେଚନ ବିଭାଗରେ ଇଞ୍ଜିନିୟରିଂ ସେବାରେ ୨୪୬ଟି ପଦବୀ ରହିବ । ଡିଗ୍ରୀ ଇଞ୍ଜିନିୟରମାନଙ୍କୁ ପେ ଲେଭଲ -୧୨ରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ନିଯୁକ୍ତି ମିଳିବ ।

Comments are closed, but trackbacks and pingbacks are open.