କୋଟିପତି ଏସିଏଫ ଗିରଫ

207

ଭୁବନେଶ୍ୱର: ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ ରେବତିରମଣ ଯୋଶୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଶ୍ରୀ ଯୋଶୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରାଯାଇଥିବାବେଳେ ଆଜି ତାଙ୍କୁ ଗିରଫ କରାଯାଇଛି । ଚଢ଼ଉବେଳେ ସମ୍ବଲପୁର ଟାଉନରୁ ଏକ ୩ ମହଲା ସମତେ ୩ଟି କୋଠା ମିଳିଛି । ସମ୍ବଲପୁର ଓ ବରଗଡ଼ରେ ୭ଟି ପ୍ଲଟ ଓ ୪ଟି ଫ୍ଲାଟ ଠାବ ହୋଇଛି । ରେଡବେଳେ ୧୪.୭୧ ଲକ୍ଷ ନଗଦ କ୍ୟାସ ମିଳିଛି । ଶୁକ୍ରବାର ସକାଳେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଏସିଏଫ୍‌ ରେବତୀ ରମଣ ଯୋଶୀଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ବନ ଅଧିକାରୀ ଶ୍ରୀ ଯୋଶୀଙ୍କ ବିରୋଧରେ ଅଭିଯୋଗ ମିଳିବା ପରେ ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ୱାରେଣ୍ଟ ବଳରେ ତାଙ୍କର ସମ୍ବଲପୁର ସ୍ଥିତ ସରକାରୀ କାର୍ୟ୍ୟାଳୟ ଚାମ୍ବର, ବାସଭବନ, ଅଇଁଠାପାଲି ସ୍ଥିତ ଘର, ଚର୍ଚ୍ଚ ଛକସ୍ଥିତ ୨ଟି ଫ୍ଲାଟ, ଫାର୍ମ ରୋଡରେ ଥିବା ଆପାର୍ଟମେଣ୍ଟ, ମାଲିପାଲିରେ ଥିବା ବ୍ୟବସାୟିକ ଘର, ବରଗଡ଼଼ ଜିଲା ପଦ୍ମପୁରରେ ଥିବା ଏକ ଘର, ବରଗଡ଼଼ ଜିଲା ବିଜେପୁର ବଲଣ୍ଡା ଗ୍ରାମରେ ଥିବା ପୈତୃକ ଘର ଉପରେ ଚଢ଼ଉ କରାଯାଇଥିଲା। ସମ୍ବଲପୁର ଅଇଁଠାପାଲି ଅଞ୍ଚଳରେ ୯୭୦୦ ବର୍ଗଫୁଟର ୩ ମହଲା ବିଶିଷ୍ଟ କୋଠା, ସମ୍ବଲପୁର ମାଲିପାଲିରେ ଭଡାରେ ଦିଆଯାଇଥିବା ଏକ ବ୍ୟବସାୟିକ ପ୍ରତିଷ୍ଠାନ, ପଦ୍ମପୁରରେ ଥିବା ଏକ ଘର, ଭୁବନେଶ୍ୱର ଘାଟକିଆସ୍ଥିତ ସତ୍ୟମ ରୟାଲ ଆପାର୍ଟମେଣ୍ଟରେ ଏକ ଫ୍ଲାଟ, ସମ୍ବଲପୁର ଫାର୍ମରୋଡ ସ୍ଥିତ ସିଟି ପ୍ରାଇଡ ଆପାର୍ଟମେଣ୍ଟରେ ଏକ ଫ୍ଲାଟ, ଚର୍ଚ୍ଚଛକ ବ୍ରିଜଧାମ ସୋସାଇଟିରେ ୨ଟି ଫ୍ଲାଟ, ସମ୍ବଲପୁରର ୪ଟି ପ୍ରମୁଖ ସ୍ଥାନରେ ମୂଲ୍ୟବାନ ଜମି, ବରଗଡ଼ ଜିଲା ପଦ୍ମପୁରର ୩ଟି ସ୍ଥାନରେ ମୂଲ୍ୟବାନ ଜମି ରହିଥିବା ଜଣାପଡିଛି।  ଏଥିସହ ସୁନାଗହଣା ୧୫୦ ଗ୍ରାମ, ରୁପା ଗହଣା ୩୦୦ ଗ୍ରାମ, ବ୍ୟାଙ୍କ ଓ ଇନସ୍ୟୁରାନ୍ସ ଆଦି ଜମା ୩୧ ଲକ୍ଷ ୩୧ ହଜାର ୮୪୯ ଟଙ୍କା, ନଗଦ ୧୪ ଲକ୍ଷ ୭୧ ହଜାର ୨ ଶହ ଟଙ୍କା, ଗୋଟିଏ ଦୁଇଚକିଆ ଯାନ ଏବଂ ଅନ୍ୟାନ୍ୟ ଘରକରଣା ସାମଗ୍ରୀ ଜବତ କରାଯାଇଛି।

Comments are closed, but trackbacks and pingbacks are open.