କିସରେ ମାଣ୍ଡିଆ ଦିବସ

32

ଭୁବନେଶ୍ୱର,୧୦ ।୧୧: କିସରେ ଗୁରୁବାର ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି। ଏହାକୁ ଉଦ୍‍ଘାଟନ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓଡ଼ିଶା ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ଶ୍ରୀ ସାମନ୍ତ କହିଲେ, ସମଗ୍ର ରାଜ୍ୟରେ ଆଜି ମାଣ୍ଡିଆ ଦିବସ ପାଳନ ହେଉଛି। ମାଣ୍ଡିଆ ଏକ ସ୍ୱାସ୍ଥ୍ୟକର ଖାଦ୍ୟ। ଜନଜାତି ବର୍ଗର ଲୋକେ ଏହାକୁ ବହୁ ପୂର୍ବରୁ ସେମାନଙ୍କ ଅନ୍ୟତମ ମୁଖ୍ୟ ଖାଦ୍ୟ ରୂପେ ଖାଇ ଆସୁଛନ୍ତି। ସ୍ୱାସ୍ଥ୍ୟ ଦୃଷ୍ଟିର ମାଣ୍ଡିଆ ହିତକର ହୋଇଥିବାରୁ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ଥିବା ଲୋକଙ୍କ ପାଇଁ ଏହା ଏବେ ପ୍ରିୟ ଖାଦ୍ୟରେ ପରିଣତ ହୋଇଛି। ତେବେ ମାଣ୍ଡିଆକୁ ଏକ ସ୍ୱତନ୍ତ୍ର ପରିଚୟ ଦେବା ଏବଂ ଏହାର ପ୍ରସାର ଓ ପ୍ରଚାର କରିବା ତଥା ରାଜ୍ୟ ତଥା ରାଜ୍ୟ ବାହାରେ ମାଣ୍ଡିଆକୁ ଆଦୃତି କରାଇବା ଦିଗରେ ରାଜ୍ୟ ସରକାରଙ୍କ ପ୍ରୟାସ ସ୍ୱାଗତଯୋଗ୍ୟ ବୋଲି ଶ୍ରୀ ସାମନ୍ତ କହିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କ ଏହି ଉତ୍ତମ ପଦକ୍ଷେପ ନିଶ୍ଚିତ ଭାବେ ଅନ୍ୟମାନଙ୍କ ଉପରେ ପ୍ରଭାବ ପକାଇବ। ଏହା ଦ୍ୱାରା ଉଭୟ ମାଣ୍ଡିଆ ଚାଷୀ ଓ ଉପଭୋକ୍ତା ଉପକୃତ ହେବେ। ଏବେ ମାଣ୍ଡିଆରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ ହୋଇପାରୁଛି। କିସରେ ମଧ୍ୟ ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ମାଣ୍ଡିଆ ଦିଆଯାଉଥିଲା। କିନ୍ତୁ ଚଳିତବର୍ଷଠାରୁ ସପ୍ତାହକୁ ଥରେ ୩୦ ହଜାର ପିଲାଙ୍କୁ ବାଧ୍ୟତାମୂଳକ ଭାବେ ମାଣ୍ଡିଆ ଖାଇବାକୁ ଦିଆଯିବ ବୋଲି କିସ୍‍ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଶ୍ରୀ ସାମନ୍ତ ସୂଚନା ଦେଇଥିଲେ।

Comments are closed, but trackbacks and pingbacks are open.