୧୭ରୁ ତୃତୀୟରୁ ନବମ ଶ୍ରେଣୀ ପିଲାଙ୍କ ମିଡ୍‌-ଟର୍ମ ଆସେସ୍‌ମେଣ୍ଟ

16

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ତୃତୀୟରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ମିଡ୍‌-ଟର୍ମ ଆସେସମେଣ୍ଟ ଆସନ୍ତା ୧୭ତାରିଖରୁ ଆରମ୍ଭ ହେବ । ଏନେଇ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ସୋମବାର ସମସ୍ତ ଜିଲା ଶିକ୍ଷାଧିକାରୀ, ଅତିରିକ୍ତ ଜିଲା ଶିକ୍ଷାଧିକାରୀ(ଏକାଡେମିକ) ଏବଂ ସମଗ୍ର ଶିକ୍ଷାକୁ ଚିଠି ଲେଖିଛନ୍ତି । ୧୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପରୀକ୍ଷା ନେଇ ସମସ୍ତ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଜଣାଇବା ପାଇଁ କୁହାଯାଇଛି । ଛାତ୍ରଛାତ୍ରୀଙ୍କ ରେଜଲ୍ଟ ଏକ ପ୍ରୋଗ୍ରେସ କାର୍ଡରେ ଦିଆଯିବ ଏବଂ ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ(ଏଲ୍‌ଆର୍‌ପି) ଡ୍ୟାସ୍‌ବୋର୍ଡରେ ଅପ୍‌ଲୋଡ୍ କରାଯିବ । ତେବେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ରକୁ ସୁରକ୍ଷିତ ଭାବେ ରଖିବା ଏବଂ ପରୀକ୍ଷାକୁ ସୁପରିଚାଳନା କରିବା ପାଇଁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ମିଡ୍‌-ଟର୍ମ ଆସେସମେଣ୍ଟ ପ୍ରସ୍ତୁତି ନେଇ ଜିଲ୍ଲାସ୍ତରରେ ଏକ ସମୀକ୍ଷା ବୈଠକ କରିବା ପାଇଁ ଉକ୍ତ ଚିଠିରେ କୁହାଯାଇଛି । ସୂଚନାଯୋଗ୍ୟ, ୧୭ତାରିଖରେ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଆ ଓ ଚତୁର୍ଥରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଇଂରାଜୀ ପରୀକ୍ଷା ହେବ । ସେହିପରି ୧୮ ତାରିଖରେ ତୃତୀୟରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଗଣିତ ଏବଂ ୧୯ରେ ତୃତୀୟରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଇଭିଏସ୍ ଓ ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ବିଜ୍ଞାନ ବିଷୟ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ ।

Comments are closed, but trackbacks and pingbacks are open.