ନୌସେନା କୁ ଆହୁରି ଶକ୍ତିଶାଳୀ କରିବ MH-60R ସାମୁଦ୍ରିକ ହେଲିକପ୍ଟର

139

ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ସେନାରେ ସାମିଲ ହେଲା MH-60R ସାମୁଦ୍ରିକ ହେଲିକପ୍ଟର । ନୌସେନାର ଏହି ପଦକ୍ଷେପ ପରେ ଏହାର ସାମରିକ ସାମର୍ଥ୍ୟରେ ଏକ ବଡ଼ ବୃଦ୍ଧି ଘଟିବ । ନୌସେନା ମୁଖ୍ୟ ଆର ହରି କୁମାରଙ୍କ ଉପସ୍ଥିତିରେ କୋଚିର INS ଗରୁଡରେ ଏକ ସମାରୋହରେ MH-60R ସାମୁଦ୍ରିକ ହେଲିକପ୍ଟରକୁ ନୌସେନା ବାୟୁ ସ୍କ୍ବାର୍ଡନରେ ସାମିଲ କରାଯାଇଛି । ଆସନ୍ତୁ ଜାଣିବା ଏହି ହେଲିକପ୍ଟରର କିଛି ମୁଖ୍ୟ ବୈଶିଷ୍ଟ୍ୟ…

MH-60R ସାମୁଦ୍ରିକ ହେଲିକପ୍ଟରକୁ ଆମେରିକା ଡିଫେନ୍ସ କମ୍ପାନୀ ଲାକହିଡ୍ ମାର୍ଟିନ ଦ୍ୱାରା ନିର୍ମିତ କରାଯାଇଛି । ୨୦୨୦ ମସିହାରେ ଏହିପରି ୨୪ ଟି ହେଲିକପ୍ଟର ପାଇଁ ଭାରତ ୨.୬ ବିଲିୟନ ଅରବ ଡଲାରର ଚୁକ୍ତି କରିଥିଲା । ଏହି ହେଲିକପ୍ଟରଗୁଡ଼ିକ ନୌସେନାର ପୁରୁଣା ହୋଇଯାଇଥିବା ହେଲିକପ୍ଟର ବଦଳରେ କାର୍ଯ୍ୟ କରିବ ।

MH-60R ସାମୁଦ୍ରିକ ହେଲିକପ୍ଟର ଏହାର ବର୍ଗରେ ସବୁଠାରୁ ଅତ୍ୟାଧୁନିକ ବୋଲି କୁହାଯାଉଛି । ନୌସେନାର ଆଧୁନିକୀକରଣ ଦିଗରେ MH-60R ସାମୁଦ୍ରିକ ହେଲିକପ୍ଟର ଏକ ବଡ ପଦକ୍ଷେପ ଅଟେ । MH-60R ହେଲିକପ୍ଟର ହେଉଛି ଏକ ସର୍ବ-ପାଣିପାଗ ସାମୁଦ୍ରିକ ହେଲିକପ୍ଟର ଯାହା ଏକାଧିକ ମିଶନକୁ ସମର୍ଥନ କରିବା ପାଇଁ ଅତ୍ୟାଧୁନିକ ବୈମାନିକୀ ସହିତ ଡିଜାଇନ୍ ହୋଇଛି ।

ହେଲିକପ୍ଟରଗୁଡିକ ମଧ୍ୟ ଅନେକ ଉପକରଣ ଏବଂ ଅସ୍ତ୍ରଶସ୍ତ୍ର ଯଥା, ଅତ୍ୟାଧୁନିକ ରାଡାର, ହେଲଫାୟାର କ୍ଷେପଣାସ୍ତ୍ର, ନାଇଟ୍ ଭିଜନ ଉପକରଣ, MK 54 ଟର୍ପେଡୋ ଏବଂ ରକେଟ୍ ଇତ୍ୟାଦି ସହିତ ସଜାଯାଇଛି । ଏହା ସମୁଦ୍ରରେ ଲୁଚି ରହିଥିବା ପଣ୍ଡୁବିକୁ ଖୋଜି ନଷ୍ଟ କରିବ । ଏହି ହେଲିକପ୍ଟରଟି ଅନ୍ୟ ମିଶନ ମଧ୍ୟରେ ଆଣ୍ଟି-ସବମେରାଇନ ଓ୍ବାରଫେୟାର, ଆଣ୍ଟି-ସରଫେସ ଓ୍ବାରଫେୟାର, ପାଣିଭିତରୁ ଖୋଜିବା, ଉଦ୍ଧାର କରିବା ଏବଂ ମେଡିକାଲ କ୍ଷେତ୍ରରେ କାର୍ଯ୍ୟ ପାଇଁ ଡିଜାଇନ୍ କରାଯାଇଛି ।

MH-60R ନୌସେନାର ସ୍ୱଦେଶୀ ବିମାନ ପରିବହନକାରୀ INS ବିକ୍ରାନ୍ତ ରେ ନିୟୋଜିତ ହେବ । ଏହି ହେଲିକପ୍ଟରଟି ଫ୍ରିଗେଟ୍, କର୍ଭେଟ୍ କିମ୍ବା ବିନାଶକାରୀ ଉପରେ ମଧ୍ୟ ନିୟୋଜିତ ହୋଇପାରିବ । ଏହି ହେଲିକପ୍ଟରଟି ପାଣିଭିତରେ ଗୁପ୍ ଭାବେ ଆକ୍ରମଣ କରୁଥିବା ବୁଡ଼ାଜାହାଜକୁ ଧ୍ବସଂ କରିବ ।

ଏହା ସର୍ବାଧିକ ଓଜନ ୧୦,୪୩୩ କିଲୋଗ୍ରାମ ଓଜନର ସାମଗ୍ରୀ ଧରିବାର କ୍ଷମତା ରହିଛି । MH-60R ସାମୁଦ୍ରିକ ହେଲିକପ୍ଟର ୮୩୦ କିଲୋମିଟର ଦୂରତା ଅତିକ୍ରମ କରିପାରେ ଏବଂ ୨୭୦ କିଲୋମିଟର ବେଗରେ ଉଡିପାରେ ।

ଲାକହିଡ୍ ମାର୍ଟିନ୍ ଇଣ୍ଡିଆର ଉପାଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ୱିଲିୟମ୍ ବ୍ଲେୟାର ଏକ ବିବୃତ୍ତିରେ କହିଛନ୍ତି, “MH-60R ହେଉଛି ସବୁଠାରୁ ଉନ୍ନତ ସାମୁଦ୍ରିକ ମଲ୍ଟି ମିଶନ୍ ହେଲିକପ୍ଟର। ଏହା ବିଶ୍ୱ ସ୍ତରରେ ସେବା କରୁଛି ଏବଂ ଏହାର ପ୍ରଦର୍ଶନ ଆଜି ପର୍ଯ୍ୟନ୍ତ କେଉଁଠି ବି କମ ହୋଇ ନାହିଁ। ”

Comments are closed, but trackbacks and pingbacks are open.