ଭୁବନେଶ୍ୱର : ତ୍ରିଶୁଳିଆ ନୁହେଁ କଟକ ପର୍ଯ୍ୟନ୍ତ ଗଡିବ ମେଟ୍ରୋ । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ପୂର୍ବ ସରକାର ଯେଉଁ ମେଟ୍ରୋର ପରିକଳ୍ପନା କରିଥିଲେ ତ୍ରିଶୁଳିଆ ପର୍ଯ୍ୟନ୍ତ, ତାହାର କାର୍ଯ୍ୟକ୍ଷମ ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ଟେକ୍ନିକାଲ ଲୋକଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ଏବଂ ଏହି କମିଟି ସର୍ଭେ ମଧ୍ୟ କରିଛି । ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ । କେଉଁଠୁ କେଉଁ ପର୍ଯ୍ୟନ୍ତ ଗଲେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ସେ ନେଇ କମିଟି ତର୍ଜମା କରୁଛି । ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ନେଇ ଖୁବ ଶୀଘ୍ର ହେବ ନୂଆ DPR । ମେଟ୍ରୋ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପ ବଦ୍ଧ । ପୂର୍ବ DPR କୁ ନେଇ ତର୍ଜମା କରୁଛି ଉଚ୍ଚ ସ୍ତରୀୟ କମିଟି। ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତା ତିନିଥାକିଆ ହେବ । ଉପରେ ମେଟ୍ରୋ ଓ ତଳେ ଗାଡି ଯାତାୟତ କରିବ ବୋଲି ମନ୍ତ୍ରୀ କହିଛନ୍ତି । ଏହାସହ ସେ କହିଛନ୍ତି, ରାଜ୍ୟରେ ମେଟ୍ରୋ ପ୍ରକଳ୍ପର ଆବଶ୍ୟକତା ରହିଛି । ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ପୂର୍ବରୁ ମେଟ୍ରୋ ଯିବା ନେଇ ପ୍ଲାନ କରାଯାଇଥିଲା । ହେଲେ ଲୋକେ ତ୍ରିଶୁଳିଆ ପର୍ଯ୍ୟନ୍ତ ଯାଇ କ’ଣ କରିବେ ? କଟକ ପର୍ଯ୍ୟନ୍ତ ଯିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ସେହିଭଳି ଅନ୍ୟାନ୍ୟ ସ୍ଥାନକୁ ମଧ୍ୟ ଯିବାର ଆବଶ୍ୟକତା ରହିଛି । କମିଟି ଅନୁଧ୍ୟାନ କରୁଛି ଏବଂ ଏହାର ପରିଧିକୁ ବିସ୍ତୃତ କରାଯିବ ଏବଂ ଏହି ପ୍ରକଳ୍ପକୁ ବାତିଲ କରାଯିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଇଏ ଲୋକଙ୍କ ସରକାର । ଲୋକଙ୍କର ଯାହା ଆବଶ୍ୟକତା ତାହା କରାଯିବ । ଏହି ପ୍ରକଳ୍ପ ୨୦୨୭ ସୁଦ୍ଧା ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୬ ହଜାର ୨୫୫ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି । ତେବେ ଏହାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଏୟାରପୋର୍ଟରୁ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ପ୍ରାୟ ୨୬ କିଲୋମିଟର ଏହି ମେଟ୍ରୋ ରେଳ ଚଳାଚଳ କରିବ । ଏହା ମଧ୍ୟରେ ୨୦ଟି ମେଟ୍ରୋ ରେଳ ଷ୍ଟେସନ ରହିବ ।
Comments are closed, but trackbacks and pingbacks are open.