ପୁରୀ ରେ ହେବ ମେଗା ବିଦ୍ୟୁତ ପ୍ରକଳ୍ପ : ଶ୍ରୀମନ୍ଦିର ଚାରିପଟ ମୁଖ୍ୟ ରାସ୍ତାରେ ବିଛାଯିବ ଭୂତଳ କେବୁଲ

16

ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଓ ପୁରୀ ସହରର ୫ ଟି ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଅଂଚଳରେ ଆରମ୍ଭ ହେବ ମେଗା ବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟ I ବଡ଼ ଦାଣ୍ଡ ପାଖାପାଖି ଥିବା ପ୍ରମୁଖ ରାସ୍ତା ରେ ବିଛାଯିବ ଭୂତଳ କେବୁଲ। ଏହି ଭୂତଳ ବିଦ୍ୟୁତ କେବୁଲ ଦ୍ୱାରା ଶ୍ରୀ ମନ୍ଦିର ର ସୌନ୍ଦର୍ଯ୍ୟ କରଣ ଦ୍ବିଗୁଣିତ ହେବ ସହିତ ବର୍ଷା, ପବନ ସମୟରେ ବିଦ୍ୟୁତ କାଟର ଭୟ ରହିବ ନାହିଁ। ଉପଭୋକ୍ତା ମାନଙ୍କୁ ୨୪ ଘଣ୍ଟିଆ ନିରବଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେବା ସହ ଯାତାୟାତ ମଧ୍ୟ ସୁବିଧା ହେବ । ତେବେ ଖୁବଶୀଘ୍ର ଏହି କାମ ଆରମ୍ଭ ହେବାକୁ ଥିବା ବେଳେ ୨୦୨୩ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ଶେଷ କରାଯିବ। ରାଜ୍ୟ ସରକାର ୧୫ କି.ମି ଭୂତଳ କେବୁଲ ବିଛାଇବା ପାଇଁ ୪୫ କୋଟି ଟଙ୍କା ଖର୍ଚ୍ଚ କରିବା ସହ ଆଲୋକୀକରଣ ଓ ରାସ୍ତାର ପ୍ରସସ୍ଥୀକରଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।

ଚୈତନ୍ୟ ଛକରୁ ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ରାସ୍ତା, ଲୋକନାଥ ମନ୍ଦିରରୁ ଶ୍ରୀମନ୍ଦିର, ମୋଚି ସାହି ଛକରୁ ଶ୍ରୀମନ୍ଦିର, ନରେନ୍ଦ୍ର ପୁଷ୍କରିଣୀରୁ ଶ୍ରୀମନ୍ଦିର ଏବଂ ରେଡକ୍ରସ ରୋଡରୁ ଗ୍ରାଣ୍ତ ରୋଡକୁ ସଂଯୋଗ କରୁଥିବା ରାସ୍ତା ତଳେ ଭୂତଳ କେବୁଲ ବିଛାଯିବା ନେଇ ଆରମ୍ଭ ହୋଇଛି ପ୍ରକ୍ରୀୟା। ଏଥିପାଇଁ ଟେଣ୍ତର ସରିଥିବା ବେଳେ ଟାଟା ପାୱାର କମ୍ପାନୀ ଦୁଇବର୍ଷ ମଧ୍ୟରେ ଅର୍ଥାତ୍ ୨୦୨୩ ମାର୍ଚ୍ଚ ସୁଦ୍ଧା ଏହି କାର୍ଯ୍ୟ ସମ୍ପୁର୍ଣ୍ଣ କରିବାକୁ ଲକ୍ଷ ରଖିଛି। ତେବେ ରାସ୍ତାରୁ ବିଦ୍ୟତ୍ ଖୁଣ୍ଟି ହଟିବା ସହ ରାସ୍ତାର ପ୍ରସସ୍ଥିକରଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।ଏହାଦ୍ୱାରା ପର୍ଯ୍ୟଟକ ତଥା ସହର ବାସୀଙ୍କ ଯାତାୟତ ହେଉ ଅବା ଠାକୁରଙ୍କ ବିମାନ ଓ ପାଲିଙ୍କି ନେବାରେ ସମସ୍ୟା ସୃଷ୍ଟି ହେବ ନାହିଁ ।

ଏହି ମେଗା ପ୍ରକଳ୍ପ କାର୍ଯ୍ୟକୁ ସବୁସ୍ତରରେ ସ୍ବାଗତ କରାଯାଇଥିବା ବେଳେ ସହରରେ ଥିବା ଉପଭୋକ୍ତାମାନଙ୍କ ଘରେ ଟାଟା ପାୱାର ର ମନମୁଖୀ କାରବାର ଯଥା ଉପଭୋକ୍ତାମାନଙ୍କୁ ବେଆଇନ ଭାବେ ମିଟର ପରିବର୍ତ୍ତନ ପାଇଁ ବାଧ୍ୟ କରିବା , ମିଟରରେ ବ୍ୟାପକ ଅନିୟମିତତା,ଏବଂ ଉପଭୋକ୍ତାମାନଙ୍କୁ ଅତ୍ୟଧିକ ବିଦ୍ୟୁତ ବିଲ ଦେବାକୁ ବାଧ୍ୟ କରାଯାଉଥିବାରୁ ତୀବ୍ର ଜନ ଅସନ୍ତୋଷ ଦେଖାଦେଇଛି I ଏହାସହ ଘରେ ପଶି କର୍ମଚାରୀ ମାନେ ବିଦ୍ୟୁତ ସଂଯୋଗ ମଧ୍ୟ ବିଛିନ୍ନ କରି ଦେଉଥିବା ଅଭିଯୋଗ ହୋଇଛି। ତେଣୁ ଜିଲ୍ଲାପାଳ ତୁରନ୍ତ ଏହି ସମସ୍ୟାର ସମାଧାନ କରିବା ପାଇଁ ସହର ବାସୀ ନିବେଦନ କରିଛନ୍ତି I

Leave A Reply

Your email address will not be published.