ହଷ୍ଟେଲ ଛାତରୁ ପଡି ସନ୍ଦେହଜନକ ଅବସ୍ଥାରେ ମେଡିକାଲ ଛାତ୍ରଙ୍କ ମୃତ୍ୟୁ

115

ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ରେ ଅଘଟଣ I ମେଡିକାଲ କଲେଜ ହଷ୍ଟେଲ ଛାତରୁ ପଡି ଜଣେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ଏମ୍‌ବିବିଏସ୍‌ ପ୍ରଥମ ବର୍ଷର ଛାତ୍ର ଥିଲେ। ତାଙ୍କ ନାଁ ନିଶାନ୍ତ କୁମାର। ତାଙ୍କ ଘର ହରିଆଣାରେ।ନିଶାନ୍ତ କଲେଜର ନ୍ୟୁ ବଏଜ ହଷ୍ଟେଲରେ ରହୁଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଆଜି ସେ ମଧ୍ୟାହ୍ଣ ଭୋଜନ କରିବା ପରେ ଛାତ ଉପରକୁ ଯାଇଥିଲେ। କିନ୍ତୁ ସେଠାରେ କ’ଣ ଘଟିଲା, ସେ କେମିତି ଛାତରୁ ପଡ଼ିଗଲେ, ତାହା କେହି ଜାଣି ନାହାନ୍ତି।

ଦୁର୍ଘଟଣା ପରେ ପରେ ନିଶାନ୍ତଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ଭୀମଭୋଇ ମେଡିକାଲ୍ କଲେଜ ଓ ହସ୍‌ପିଟାଲକୁ ନିଆଯାଇଥିଲା। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଏହା ଏକ ଦୁର୍ଘଟଣା ନା ଆଉ କିଛି ଘଟିଛି, ତାହା ସ୍ପଷ୍ଟ ହୋଇନି। ତେବେ ନିଶାନ୍ତଙ୍କୁ ରାଗିଂ କରାଯାଉଥିଲା ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ମୃତ ଛାତ୍ର ନିଶାନ୍ତଙ୍କ ମାମୁ କହିଛନ୍ତି ଯେ ରାଗିଂ କରାଯାଉଥିବା ନେଇ ୪ଦିନ ହେଲା ପୁଅ ପୁଅ ଘରକୁ ଫୋନ କରି କହୁଥିଲେ। ପୁଅ ଆଉ କୌଣସି ପ୍ରକାର ବ୍ୟକ୍ତିଗତ ଚାପରେ ନ ଥିଲା। ରାଗିଂ ଯୋଗୁ ପୁଅର ଜୀବନ ଯାଇଛି ବୋଲି ମାମୁ ଅଭିଯୋଗ କରିଛନ୍ତି।

ଅପରପକ୍ଷରେ ରାଗିଂ ଅଭିଯୋଗ ନେଇ ଭୀମଭୋଇ ମେଡ଼ିକାଲ କଲେଜ ଏବଂ ହସପିଟାଲର ଡିନ ସବିତା ମହାପାତ୍ର କହିଛନ୍ତି ଯେ କଲେଜରେ ରାଗିଂ ହେଉନାହିଁ। ରାଗିଂ ରୋକିବା ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ବରିଷ୍ଠ ଅଧ୍ୟାପକ ଓ ମେଣ୍ଟର ଛାତ୍ରଛାତ୍ରୀଙ୍କ ସହିତ ନିୟମିତ ବ୍ୟବଧାନରେ କଥାବାର୍ତ୍ତା ଓ ଆଲୋଚନା କରୁଛନ୍ତି। ଏହାସହିତ ସେମାନଙ୍କୁ କାଉନସେଲିଂ ମଧ୍ୟ କରୁଛନ୍ତି।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ନିଶାନ୍ତଙ୍କ ସହପାଠୀ ଏବଂ ସେ ରହୁଥିବା ଅନ୍ତେବାସୀଙ୍କୁ ପଚରା ଉଚୁରା କରୁଥିବା ସୂଚନା ମିଳିଛି।

Comments are closed, but trackbacks and pingbacks are open.