କୋଲକାତା: ଦୀର୍ଘ ୧୬୧ ଦିନ ପରେ କୋଲକାତା ଆର୍ଜି କର ମେଡିକାଲ କଲେଜ ଓ ହସ୍ପିଟାଲ୍ର ପୀଡ଼ିତାଙ୍କୁ ନ୍ୟାୟ ମିଳିଛି। ହସ୍ପିଟାଲର ୩୧ ବର୍ଷୀୟା ଟ୍ରେନି ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ଭାବେ ସନ୍ଦେହଘେରରେ ରହିଥିବା ସଞ୍ଜୟ ରୟ ଶନିବାର ଦୋଷୀ ସାବ୍ୟସ୍ତ ହୋଇଛି। ପଶ୍ଚିମବଙ୍ଗ ସିଆଲଦା କୋର୍ଟ ଏହି ମାମଲାର ଶୁଣାଣି କରି ସଞ୍ଜୟ ରୟକୁ ଦୋଷୀ ଘୋଷିତ କରିଛନ୍ତି। ତେବେ ଆସନ୍ତା ୨୦ତାରିଖ ଅର୍ଥାତ୍ ସୋମବାର ଦିନ କୋର୍ଟ ସଞ୍ଜୟ ରାୟ ବିରୋଧରେ ଚୂଡ଼ାନ୍ତ ଦଣ୍ଡାଦେଶ ଶୁଣାଇବେ ବୋଲି ତାରିଖ ଧାର୍ଯ୍ୟ କରିଛନ୍ତି। ୨୦୨୪ ଅଗଷ୍ଟ ୯ରେ ଆର୍ଜି କର ମେଡିକାଲ କଲେଜ ନାମକ ଏହି ସରକାରୀ ହସ୍ପିଟାଲ୍ରେ ଜଣେ ସ୍ନାତକୋତ୍ତର ତାଲିମ୍ପ୍ରାପ୍ତ ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା। ଏହି ଘଟଣାରେ ସଞ୍ଜୟ ରୟ ବିରୋଧରେ ଅଭିଯୋଗ ହୋଇଥିଲା। କୋଲକାତା ପୁଲିସ୍ ଅଗଷ୍ଟ ୧୦ତାରିଖରେ ସଞ୍ଜୟକୁ ଗିରଫ କରିଥିଲା। ତେବେ ଗତ ନଭେମ୍ବର ୧୨ତାରିଖରେ ଏକ ବନ୍ଦ କୋଠରୀରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା ଏବଂ ୫୭ଦିନ ପରେ, ଅର୍ଥାତ୍ ଆଜି ସିଆଲଦା କୋର୍ଟ ନିଜ ରାୟ ଶୁଣାଇଛନ୍ତି। ସୋମବାର କୋର୍ଟ ନିଜ ଚୂଡାନ୍ତ ରାୟ ଶୁଣାଇବା ପୂର୍ବକ ସଞ୍ଜୟ ରୟ ବିରୋଧରେ ଦଣ୍ଡାଦେଶ ଘୋଷଣା କରିବେ। କୋର୍ଟ ସଞ୍ଜୟ ରୟକୁ ଆଜି ବିଚାର ବିଭାଗୀୟ ହାଜତ୍କୁ ପଠାଇଛନ୍ତି। ଅନ୍ୟପକ୍ଷେ କୋର୍ଟଙ୍କ ଏହି ରାୟ ଆସିବା ବେଳେ ମୃତ ଟ୍ରେନି ଡାକ୍ତରଙ୍କ ବାପା ସେଠାରେ ଉପସ୍ଥିତ ଥିଲେ। ସେ କାନ୍ଦି ପକାଇଥିଲେ ଓ ବିଚାରପତିଙ୍କୁ କହିଥିଲେ, ନ୍ୟାୟ ବ୍ୟବସ୍ଥା ଉପରେ ତାଙ୍କର ସଂପୂର୍ଣ୍ଣ ବିଶ୍ୱାସ ଥିଲା। ଏହି ବିଶ୍ୱାସକୁ ସମ୍ମାନ ଦେଇଥିବାରୁ ନ୍ୟାୟପାଳିକାକୁ ଅନେକ ଧନ୍ୟବାଦ। ଆର୍ଜି ମେଡିକାଲ କଜେଲ ଓ ହସ୍ପିଟାଲରେ ଘଟିଥିବା ଏହି ଜଘନ୍ୟ ହତ୍ୟାକାଣ୍ଡ କେବଳ ପଶ୍ଚିମବଙ୍ଗ ନୁହେଁ ବରଂ ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା। ପୀଡ଼ିତାଙ୍କୁ ନ୍ୟାୟ ଏବଂ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତରଙ୍କୁ ସୁରକ୍ଷା ଯୋଗାଇଦେବା ଦାବି ଦେଶବ୍ୟାପୀ ଜୋର ଧରିଥିଲା। ପଶ୍ଚିମବଙ୍ଗ ସରକାର ବାଧ୍ୟାହୋଇ ଏହି ଘଟଣାର ତଦନ୍ତ ଭାର ସିବିଆଇ ଉପରେ ନ୍ୟସ୍ତ କରିଥିଲେ। ସିବିଆଇ ନିଜ ତଦନ୍ତ ରିପୋର୍ଟ ଦାଖଲ କରିସାରିଥିବା ବେଳେ ଏଥିରେ ସଞ୍ଜୟ ରୟ ହିଁ ଟ୍ରେନି ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା ପାଇଁ ଏକମାତ୍ର ଦୋଷୀ ବୋଲି ସିବିଆଇ ଦର୍ଶାଇଛି। ତେବେ ସିବିଆଇ ରିପୋର୍ଟରେ ପ୍ରମାଣ ନଷ୍ଟ କରାଯାଇଥିବା ନେଇ ସିବିଆଇ ନିଜ ଚାର୍ଜସିଟ୍ରେ ଉଲ୍ଲେଖ କରିଥିବାରୁ ଏହି ଅପରାଧିକ ଘଟଣାରେ ଆହୁରି କିଛି ଲୋକ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ତେବେ ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ପାଇଁ ସଞ୍ଜୟଙ୍କ ବିରୁଦ୍ଧରେ ଶୁଣାଣି ଜାନୁଆରୀ ୯ ତାରିଖରେ ଶେଷ ହୋଇଥିଲା ଏବଂ ଏହି ସମୟରେ ୫୦ ଜଣ ସାକ୍ଷୀଙ୍କୁ ଜେରା କରାଯାଇଥିଲା। ସଞ୍ଜୟ ରୟ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୬୪ (ଦୁଷ୍କର୍ମ), ଧାରା ୬୬ (ହତ୍ୟା) ଓ ଧାରା ୧୦୩ (୧)ରେ ମାମଲା ରୁଜୁ ହୋଇଛି। ଧାରା ୬୪ ପାଇଁ ସର୍ବାଧିକ ଦଣ୍ଡ ଆଜୀବନ କାରାଦଣ୍ଡ ହୋଇଥିବା ବେଳେ ଧାରା ୬୬ ପାଇଁ ସର୍ବାଧିକ ଦଣ୍ଡ ଆଜୀବନ କାରାଦଣ୍ଡ ବା ମୃତ୍ୟୁଦଣ୍ଡ ଏବଂ ୧୦୩ (୧) ପାଇଁ ସର୍ବାଧିକ ଦଣ୍ଡ ଆଜୀବନ କାରାଦଣ୍ଡ ବା ମୃତ୍ୟୁଦଣ୍ଡ ରହିଛି। ତେଣୁ ସୋମବାର କୋର୍ଟ ସଞ୍ଜୟ ରୟଙ୍କୁ କି ଦଣ୍ଡ ଶୁଣାଇବା, ତାକୁ ସମସ୍ତେ ଅପେକ୍ଷା କରିଛନ୍ତି।
Comments are closed, but trackbacks and pingbacks are open.