ଏମବିଏ ଛାତ୍ର ପଢିବେ ଭଗବଦ ଗୀତା ଓ ଉପନିଷଦ

137

ଲକ୍ଷୌ: ଆହ୍ଲାବାଦ ବିଶ୍ୱବିଦ୍ୟାଳୟ ଏକାଡେମିକ ଅଧିବେଶନ ୨୦୨୩ର ପାଞ୍ଚ ବର୍ଷର ଇଣ୍ଟିଗ୍ରେଟେଡ୍ ବ୍ୟାଚେଲର ଅଫ୍ ବିଜିନେସ ଆଡମିନିଷ୍ଟ୍ରେସନ୍ (ବିବିଏ) ଏବଂ ମାଷ୍ଟର୍ସ ଇନ୍ ବିଜିନେସ୍ ଆଡମିନିଷ୍ଟ୍ରେସନ (ଏମବିଏ ) ପାଠ୍ୟକ୍ରମ ଆରମ୍ଭ କରିଛି । ଏଥିରେ ଚଳିତବର୍ଷ ବିଶ୍ବବିଦ୍ୟାଳୟ ପକ୍ଷରୁ ଭଗବତ ଗୀତା ଏବଂ ଉପନିଷଦ ସାମିଲ କରାଯାଇଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗ ଦ୍ୱାରା ଆରମ୍ଭ ହୋଇଥିବା ଏହି ନୂତନ ଇଣ୍ଟିଗ୍ରେଟେଡ୍ ମ୍ୟାନେଜମେଣ୍ଟ ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ଭଗବଦ୍ ଗୀତା, ରାମାୟଣ, ଉପନିଷଦ ତଥା ଚାଣକ୍ୟ ନିତି ମାଧ୍ୟମରେ ପରିଚାଳନା ମନ୍ତ୍ର ଶିଖିବେ ।

ରିପୋର୍ଟ ଅନୁଯାୟୀ, ପ୍ରଥମ ଥର ପାଇଁ ମ୍ୟାନେଜମେଣ୍ଟ ଛାତ୍ରମାନେ ଜେଆରଡି ଟାଟା, ଅଜିମ ପ୍ରେମଜୀ, ଧୀରୁଭାଇ ଅମ୍ବାନୀ, ନାରାୟଣ ମୁର୍ତ୍ତୀ, ସୁନୀଲ ମିତ୍ତଲ ଏବଂ ବିର୍ଲା ଭଳି ଶ୍ରେଷ୍ଠ ଶିଳ୍ପପତିଙ୍କ ସ୍ମାର୍ଟ ପରିଚାଳନାଗତ ନିଷ୍ପତ୍ତି ଉପରେ ଅଧ୍ୟୟନ କରିବେ । ଏହା ବ୍ୟତୀତ ସେମାନଙ୍କୁ ଅଷ୍ଟାଙ୍ଗ ଯୋଗ ମଧ୍ୟ ଶିଖାଯିବ । ଏହା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଶାନ୍ତ ରହିବାର ଗୁଣ ବିକାଶ କରିବ ।

ପାଠ୍ୟକ୍ରମ ସଂଯୋଜକ ଶେଫାଳୀ ନନ୍ଦନ କହିଛନ୍ତି ଯେ, ଏହି ପାଠ୍ୟକ୍ରମର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଭାରତୀୟ ଆଧ୍ୟାତ୍ମିକତା ବିଚାର, ସାଂସ୍କୃତିକ ନୈତିକତା, ମାନବିକ ମୂଲ୍ୟବୋଧ ଏବଂ ପରିଚାଳନା, ଅଷ୍ଟାଙ୍ଗା ଯୋଗ, ଜୀବନର ସମସ୍ତ ଦୃଷ୍ଟିକୋଣ, ଧ୍ୟାନ ଏବଂ ଚାପ ସହିତ ଜୀବନକୁ କିପରି ପରିଚାଳନା କରିବ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକର ପାରମ୍ପାରିକ ଅଧ୍ୟୟନ ପ୍ରଦାନ କରାଯିବ । ଏହା ବ୍ୟତୀତ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ ଷ୍ଟାର୍ଟଅପ୍ ମ୍ୟାନେଜମେଣ୍ଟକୁ ମଧ୍ୟ ଏହି ନୂତନ ପାଠ୍ୟକ୍ରମରେ ପ୍ରମୁଖ ସ୍ଥାନ ଦିଆଯାଇଛି ।

Comments are closed, but trackbacks and pingbacks are open.