ଖଣିଜ କ୍ଷେତ୍ରରୁ ସର୍ବାଧିକ ଟିକସ ଆଦାୟ

35

ଭୁବନେଶ୍ୱର: ରାଜ୍ୟରେ ଖଣି ରାଜସ୍ୱ ଆଦାୟ ଅନ୍ୟ ସମସ୍ତ ଟିକସଠାରୁ ଆଗରେ ରହିଥିବାବେଳେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଏ କ୍ଷେତ୍ରରୁ ସର୍ବାଧିକ ଟିକସ ପାଇବେ । ଗତବର୍ଷ ତୁଳନାରେ ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା ଖଣି କ୍ଷେତ୍ରରୁ ଅଧିକ ରାଜସ୍ୱ ଆଦାୟ ହୋଇଛି । ୨୦୨୧ ସେପ୍ଟେମ୍ବର ସୁଦ୍ଧା ଖଣିଜ କ୍ଷେତ୍ରରୁ ରାଜ୍ୟ ସରକାର ୧୮,୮୭୫ କୋଟି ଟଙ୍କାର ଟିକସ ପାଇଥିବାବେଳେ ଚଳିତବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ଏହି କ୍ଷେତ୍ରରୁ ରାଜକୋଷକୁ ଆସି ୧୯,୪୫୮.୯୩ କୋଟି ଟଙ୍କା । ରାଜସ୍ୱ ଆଦାୟ ନେଇ ମିଳିଥିବା ସର୍ବଶେଷ ସୂଚନାରୁ ଜଣାଯାଇଛି ଯେ ଖଣି ରାଜସ୍ୱ ଆଦାୟ ପରିମାଣ ଗତବର୍ଷ ତୁଳନାରେ ୩.୯ ପ୍ରତିଶତ ବଢିଥିବାବେଳେ ଗତ ଛଅମାସ ମଧ୍ୟରେ ବଜେଟ୍‍ ଆକଳନର ୪୪.୭୯ ପ୍ରତିଶତ ପୂରଣ କରିପାରିଛି । ୨୦୨୨-୨୩ ବର୍ଷ ବଜେଟ୍‍ରେ ଖଣିଜ କ୍ଷେତ୍ରରୁ ୪୩,୪୪୪ କୋଟି ଟଙ୍କାର ରାଜସ୍ୱ ମିଳିବାର ଆକଳନ କରାଯାଇଛି । ୨୦୨୧-୨୨ ବର୍ଷରେ ଖଣିଜ ରାଜସ୍ୱ ବାବଦରେ ରେକର୍ଡ ୪୮,୬୪୨ କୋଟି ଟଙ୍କା ମିଳିଥିବାବେଳେ ଚଳିତବର୍ଷ ଏହି ପରିମାଣ ଆହୁରି ବଢିଯିବ ବୋଲି ଆଶା କରାଯାଉଛି । ୨୦୨୦ ସେପ୍ଟେମ୍ବର ଶେଷ ସୁଦ୍ଧା ଖଣିଜ କ୍ଷେତ୍ରରୁ ମାତ୍ର ୫୮୭୦.୭୪ କୋଟି ଟଙ୍କାର ରାଜସ୍ୱ ମିଳିଥିବାବେଳେ ପରବର୍ତ୍ତୀ ଦୁଇବର୍ଷ ୨୦୨୧ ଓ ୨୦୨୨ରେ କିନ୍ତୁ ଖଣିଜ କ୍ଷେତ୍ରରୁ ବିପୁଳ ରାଜସ୍ୱ ଆସିବାରେ ଲାଗିଛି । ଖଣି ରାଜସ୍ୱ ବୃଦ୍ଧି ମଧ୍ୟ ରାଜ୍ୟରେ ଅଣଟିକସ ରାଜସ୍ୱ ଆୟକୁ ବଢାଇଛି । ୨୦୨୧-୨୨ ବର୍ଷର ସେପ୍ଟେମ୍ବର ଶେଷ ସୁଦ୍ଧା ଅଣଟିକସ ରାଜସ୍ୱ ବାବଦରେ ୫୪,୨୫୮.୮୧ କୋଟି ଟଙ୍କା ଆଦାୟ ହୋଇଥିବାବେଳେ ୨୦୨୦-୨୧ ରେ ଏହା ମାତ୍ର ୨୦,୨୧୯ କୋଟି ଟଙ୍କା ଥିଲା । ତେବେ ଚଳିତବର୍ଷ ସେପ୍ଟେମ୍ବର ୩୦ରେ ଅଣ ଟିକସ ଆଦାୟ ପରିମାଣ ୨୧,୭୧୨ କୋଟି ଟଙ୍କା ହୋଇଛି ଯାହାକି ୧୫୦୦ କୋଟି ଟଙ୍କା ଅଧିକ । ଚଳିତ ଆର୍ଥିକ ବର୍ଷରେ ଅଣ ଟିକସ ରାଜସ୍ୱ ଆଦାୟ ୭.୩୯ ପ୍ରତିଶତ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ଗତ ଛଅ ମାସ ମଧ୍ୟରେ ବଜେଟ୍‍ ଆକଳନ ଅନୁଯାୟୀ ଅଣଟିକସ ରାଜସ୍ୱ ଟିକସ ଆଦାୟ ୪୫.୦୫ ପ୍ରତିଶତ ଲକ୍ଷ ହାସଲ କରିଥିବାବେଳେ ଏହା ଏକ ସକରାତ୍ମକ ଧାରା ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ରାଜସ୍ୱ ଆଦାୟରେ ନିୟୋଜିତ ଅଧିକାରୀଙ୍କ ସକ୍ରିୟତା ଓ ସକରାତ୍ମକ ପଦକ୍ଷେପ ପାଇଁ ରାଜସ୍ୱ ଆଦାୟରେ ଏଭଳି ସଫଳତା ମିଳୁଥିବା କୁହାଯାଉଛି ।

Comments are closed, but trackbacks and pingbacks are open.