ଭୁବନେଶ୍ଵର : ମତ୍ସ୍ୟଚାଷୀ ଓ ପ୍ରାଣିପାଳକମାନେ ରାଜ୍ୟ ସମୃଦ୍ଧିର ମେରୁଦଣ୍ଡ ବୋଲି ମାନ୍ୟବର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି କହିଛନ୍ତି । ଆଜି ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆଠାରେ ଆୟୋଜିତ ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୫ର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି । ଏହି ସମାବେଶରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ରାଜ୍ୟର ବିସ୍ତୀର୍ଣ୍ଣ ଉପକୂଳ, ଆଭ୍ୟନ୍ତରୀଣ ଜଳଉତ୍ସ ରହିଥିବାରୁ ଓଡ଼ିଶା ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ କ୍ଷେତ୍ରରେ ଦେଶର ଏକ ଅଗ୍ରଣୀ ରାଜ୍ୟଭାବେ ନେତୃତ୍ଵ ନେବାର ଅପାର ସମ୍ଭାବନା ଓ ସୁଯୋଗ ରହିଛି । ଗ୍ରାମୀଣ ଜୀବିକାକୁ ସୁନିଶ୍ଚିତ କରିବା, ଅର୍ଥନୈତିକ ଅଭିବୃଦ୍ଧି କରିବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଏହାର ସାମର୍ଥ୍ୟ ରହିଛି ।

ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ “ବିକଶିତ ଓଡ଼ିଶା ଓ ବିକଶିତ ଭାରତ” ଗଠନ ସହ ଜଡ଼ିତ । ଯେହେତୁ ଆମେ ବିକଶିତ ଓଡ଼ିଶା ଓ ଆତ୍ମନିର୍ଭର ଭାରତ ପାଇଁ କାର୍ଯ୍ୟ କରୁଛେ ଆମକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରକୁ ଗୁରୁତ୍ୱ ଦେଇ ଚାଷୀମାନଙ୍କୁ ସଶକ୍ତ କରିବାକୁ ପଡ଼ିବ ବୋଲି ରାଜ୍ୟପାଳ କହିଥିଲେ। ଆଧୁନିକ ଜ୍ଞାନ କୌଶଳ ଅବଲମ୍ବନରେ ମତ୍ସ୍ୟ ଓ ପ୍ରାଣୀଙ୍କର ଖାଦ୍ୟ ପରିଚାଳନା, ରୋଗ ନିୟନ୍ତ୍ରଣ, ଉତ୍ପାଦନ ବୃଦ୍ଧି, ପ୍ରକ୍ରିୟାକରଣ, ବିପଣନର ସୁବିଧା ନିମନ୍ତେ ବଜାର ସୃଷ୍ଟି ସହିତ ସହଜ ପରିବହନ ବ୍ୟବସ୍ଥା, ପ୍ରାଣୀଧନ ବୀମା, ମହିଳାମାନଙ୍କୁ ଏ କ୍ଷେତ୍ରରେ ସାମିଲ କରି ସେମାନଙ୍କର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ।
ରାଜ୍ୟରେ ଦୁଗ୍ଧ, ଅଣ୍ଡା, ମାଂସ ଉତ୍ପାଦନରେ ଅଭିବୃଦ୍ଧି ସହିତ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ କ୍ଷେତ୍ରରେ ପ୍ରାଣିପାଳକ ଓ ମତ୍ସ୍ୟଜୀବୀମାନେ ଲାଭବାନ ହେଉଥିବା ଜାଣି ରାଜ୍ୟପାଳ ଖୁସି ପ୍ରକଟ କରିଥିଲେ। କେନ୍ଦ୍ର ସରକାରଙ୍କ ‘ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦ ଯୋଜନା’ ମତ୍ସ୍ୟ ଉତ୍ପାଦନକୁ ବୃଦ୍ଧି କରିବା ସହିତ ଏହାକୁ ଅଧିକମୁଲ୍ୟଯୁକ୍ତ କରିବା ତଥା ଉଦ୍ୟୋଗକୁ ପ୍ରୋତ୍ସାହିତ କରିବାରେ ସଫଳ ହୋଇଛି। ସେହିପରି ଆଗାମୀ ୫ ବର୍ଷ ମଧ୍ୟରେ ୩ ଲକ୍ଷ ଚାଷୀଙ୍କୁ ସିଧାସଳଖ ଲାଭ ଦେବା ଲକ୍ଷ୍ୟରେ ‘ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା’ ଅନ୍ତର୍ଗତ ୧୭ଟି କାର୍ଯ୍ୟକ୍ରମ ସମେତ ବିଭିନ୍ନ ଯୋଜନା ରାଜ୍ୟ ସରକାର ପ୍ରବର୍ତ୍ତନ କରିଛନ୍ତି। ଏଣୁ, ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ସଦୁପଯୋଗ କରି ରାଜ୍ୟର ଯୁବଗୋଷ୍ଠୀ ଉଦ୍ୟୋଗୀ ହେବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଛନ୍ତି।
ଏହି ଅବସରରେ ରାଜ୍ୟପାଳ କହିଥିଲେ ଯେ, ‘ନୀଳ ଅର୍ଥନୀତି’ (ବ୍ଲୁ ଇକୋନୋମି)ଭାବେ ଅଭିହିତ ମତ୍ସ୍ୟ ଚାଷ କ୍ଷେତ୍ରରେ ନିଯୁକ୍ତି ସୁଯୋଗ, ଖାଦ୍ୟ ନିରାପତ୍ତା ଓ ବୈଦେଶିକ ମୁଦ୍ରା ରୋଜଗାର ପାଇଁ ଓଡ଼ିଶାରେ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଓଡ଼ିଶା ଭାରତର ଏକ ପ୍ରମୁଖ ସାମୁଦ୍ରିକ ଖାଦ୍ୟ ରପ୍ତାନୀକାରୀ ରାଜ୍ୟଭାବେ ଉଭା ହୋଇଛି। ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ କ୍ଷେତ୍ରକୁ ଅଧିକ ପରିବ୍ୟାପ୍ତ ଓ ସୁଦୃଢ଼ କରିବା ସହିତ ଅଭିନବ କୌଶଳ, ଡିଜିଟାଲ ପ୍ଲାଟ୍ଫର୍ମ ଆପଣାଇବା ପାଇଁ ଚାଷୀ, ନୀତି ନିର୍ଦ୍ଧାରକଓ ଉଦ୍ୟୋଗୀମାନଙ୍କୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ। ମତ୍ସ୍ୟ-ପ୍ରାଣୀ ସମାବେଶରୁ ପ୍ରାପ୍ତ ଜ୍ଞାନକୁ କ୍ଷେତ, ଫାର୍ମ ଓ ବୃତ୍ତିରେ ପ୍ରୟୋଗ କରି ଏହି ଅଭିଯାନକୁ ଏକ ଆନ୍ଦୋଳନରେ ପରିଣତ କରିବାକୁ ରାଜ୍ୟପାଳ ଡକ୍ଟର କମ୍ଭମ୍ପାଟି ଆହ୍ୱାନ ଜଣାଇଥିଲେ।
ଏହି ସମାରୋହରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବକ୍ତବ୍ୟ ପ୍ରଦାନ କରି, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶରେ ସହଯୋଗର ହାତ ବଢାଇବାକୁ ସମସ୍ତଙ୍କୁ ନିବେଦନ କରିଥିଲେ ଏବଂ “ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଓ ଗୋମାତା ଯୋଜନା” ଦୁଗ୍ଧ ଉତ୍ପାଦନରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବ ବୋଲି କହିଥିଲେ ।

ବିଏମସିର ମେୟର ଶ୍ରୀମତୀ ସୁଲୋଚନା ଦାସ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ପ୍ରାରମ୍ଭରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଶେଷରେ ଉଦ୍ୟାନକୃଷି ବିଭାଗର ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାରୋହରେ ଓମଫେଡର ପ୍ରେସିଡେଣ୍ଟ କିଶୋର ଚନ୍ଦ୍ର ପ୍ରଧାନୀ ମଞ୍ଚାସୀନ ହୋଇଥିଲେ । ଏହି ଅବସରରେବିଭିନ୍ନ ବର୍ଗର ସଫଳ ଚାଷୀମାନଙ୍କୁ ଅନଲାଇନ ମାଧ୍ୟମରେ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବା ସହିତହିତାଧିକାରୀ ଓ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
Comments are closed, but trackbacks and pingbacks are open.