ମାଟ୍ରିକ୍‌ ପରୀକ୍ଷାଫଳ: ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ, ୩୨୨୨ ବିଦ୍ୟାଳୟରେ ପାସ୍ ହାର ଶତ ପ୍ରତିଶତ

39

ପ୍ରକାଶ ପାଇଛି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୩ ମାଟ୍ରିକ୍‌ ପରୀକ୍ଷାଫଳ। ଏଥର ପରୀକ୍ଷାଫଳକୁ ଲକ୍ଷ୍ୟ କଲେ ଜଣାଯାଏ ଯେ ଛାତ୍ରଙ୍କଠାରୁ ଆଗରେ ଛାତ୍ରୀ ରହିଛନ୍ତି। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର ଅଧିକ ରହିଛି । ଏଥର ଛାତ୍ରମାନଙ୍କ ପାସ୍ ହାର ରହିଛି ୯୫.୭୫ ପ୍ରତିଶତ। ଅପରପକ୍ଷରେ ଚଳିତ ଥର ୯୭.୦୫ ପ୍ରତିଶତ ଛାତ୍ରୀ ପାସ୍ କରିଛନ୍ତି। ଏବର୍ଷ ମୋଟ ୫୦୫୪୦୪ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୫୧୨୯୮ ଜଣ ଛାତ୍ର ଓ ୨୫୭୧୦୬ଜଣ ଛାତ୍ରୀ ଥିବା ଜଣାଯାଇଛି। ଏମାନଙ୍କ ମଧ୍ୟରୁ ୨୨୫୪ ଜଣ ଛାତ୍ରୀ ଏ-୧ ଗ୍ରେଡରେ ପାସ୍ କରିଥିବା ବେଳେ ୧୯୦୫ଜଣ ଛାତ୍ରୀ ଏ-୧ ଗ୍ରେଡରେ ପାସ୍ କରିଛନ୍ତି।

ଏଥର ଏ-୧ ଗ୍ରେଡରେ ପାସ୍ କରିଛନ୍ତି ୪୧୫୮ ଜଣ ଛାତ୍ରଛାତ୍ରୀ । ସେହିପରି ଏ-୨ ଗ୍ରେଡରେ ୩୫, ୮୩୮ ଜଣ ଛାତ୍ରଛାତ୍ରୀ, ବି-୧ ଗ୍ରେଡରେ ୭୭,୫୬୭ ଏବଂ ବି-୨ ଗ୍ରେଡରେ ୧, ୧୮, ୭୫୧ ଜଣ ପାସ୍ କରିଛନ୍ତି । ଏଣେ କଟକ ଓ ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ୯୭.୯୯ ପ୍ରତିଶତ ପାସ ହାର ହୋଇଥିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ମ‌ାଲକାନଗିରିରେ ସର୍ବନିମ୍ନ ୯୨.୬୬ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ତେଣେ  ରାଜ୍ୟର ୩୨୨୨ ବିଦ୍ୟାଳୟରେ ପାସ୍ ହାର ଶତ ପ୍ରତିଶତ ରହିଛି।

ଏଣେ ଦିନ ୧୨ଟା ସୁଦ୍ଧା ୱେବ୍‌ସାଇଟ୍‌ ଓ ଏସ୍‌ଏମ୍‌ଏସ୍‌ ଜରିଆରେ ପରୀକ୍ଷାଫଳ ଉପଲବ୍ଧ ହୋଇଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଛାତ୍ରଛାତ୍ରୀ ନିଜ ମୋବାଇଲରୁ ପରୀକ୍ଷାଫଳ ଜାଣିବାକୁ ହେଲେ OR10 ନିଜର ରୋଲ୍‌ ନମ୍ବର ଲେଖି 5676750 ନମ୍ବରକୁ ଏସ୍‌ଏମ୍‌ଏସ୍‌ କଲେ ପରୀକ୍ଷାଫଳ ଜାଣିପାରିବେ। ଏହା ବ୍ୟତୀତ ବୋର୍ଡର ୱେବ୍‌ସାଇଟ୍‌ www.bseodisha.ac.in ରେ ମଧ୍ୟ ପରୀକ୍ଷାଫଳ ଉପଲବ୍ଧ ହେବ ବୋଲି ବୋର୍ଡ ଉପସଭାପତି ଡକ୍ଟର ନିହାରରଂଜନ ମହାନ୍ତି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଚଳିତବର୍ଷ ୫ଲକ୍ଷ ୪୧ହଜାର ୨୪୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ବେଳେ ୫ଲକ୍ଷ ୩୨ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ମାର୍ଚ୍ଚ ୧୦ରୁ ୨୦ତାରିଖ ପର୍ଯ୍ୟନ୍ତ ରାଜ୍ୟର ୩୨୧୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏପ୍ରିଲ୍‌ ୩ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୫୫ଟି କେନ୍ଦ୍ରରେ ଖାତା ମୂଲ୍ୟାୟନ କରାଯାଇଥିଲା।

Comments are closed, but trackbacks and pingbacks are open.