ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳାଫଳ

245

ଭୁବନେଶ୍ଵର: ଆଜି ରାଜ୍ୟରେ ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ଆଜି ଅପରାହ୍ନ ୪ ଟାରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇଛି। କଟକ ସ୍ଥିତ ବିଏସଇ ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ପ୍ରକାଶ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି। ଏହା ପରେ ସନ୍ଧ୍ୟା ୬ଟା ପରେ ଛାତ୍ରଛାତ୍ରୀମାନେ ବୋର୍ଡର ଅଫିସିଆଲ ୱେବସାଇଟ୍ www.bseodisha.ac.in ଏବଂ www.orissaresults.nic.in ରେ ସେମାନଙ୍କର ଫଳାଫଳ ଦେଖିପାରିବେ। ଛାତ୍ରଛାତ୍ରୀମାନେ ସେମାନଙ୍କର ରୋଲ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ୱେବସାଇଟ୍‌ରେ ଫଳାଫଳ ଯାଞ୍ଚ କରିପାରିବେ। ତେବେ ଚଳିତ ଥର ମାଟ୍ରିକରେ ୯୪.୯୩ ପ୍ରତିଶତ ରେଜଲ୍ଟ ହୋଇଛି। ପୁଅଙ୍କ ପାସ ହାର ୯୪ ପ୍ରତିଶତ ରହିଥିବା ବେଳେ ଝିିଅଙ୍କ ପାସ୍ ହାର ୯୬ ପ୍ରତିଶତ ରହିଛି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ ୫ ଲକ୍ଷ ୨ ହଜାର ୪୧୭ ଜଣ। ପାସ୍ କରିଛନ୍ତି ୪ ଲକ୍ଷ ୮୪ ହଜାର ୮୬୩ ଜଣ। ସେମାନଙ୍କ ମଧ୍ୟରୁ ୧୮୧୨ ଜଣ ଏ୧ ଗ୍ରେଡ ପାଇଥିବାବେଳେ, ୧୨ ହଜାର ୨୦୦ ଜଣ ଛାତ୍ରଛାତ୍ରୀ ଏ-୨ ଗ୍ରେଡ ପାଇଛନ୍ତି। ସେହିପରି ବି-୧ ଗ୍ରେଡ ପାଇଛନ୍ତି ୩୮ ହଜାର ୮୩୧ ଜଣ ଛାତ୍ରଛାତ୍ରୀ। ବି-୨ ଗ୍ରେଡ ପାଇଛନ୍ତି ୮୪,୯୭୧ ଜଣ ଛାତ୍ରଛାତ୍ରୀ। ସି ଗ୍ରେଡ ପାଇଛନ୍ତି ୧ ଲକ୍ଷ ୩୩ ହଜାର ୮୮୨ ଜଣ ଛାତ୍ରଛାତ୍ରୀ। ଡି ଗ୍ରେଡ ପାଇଛନ୍ତି ୧ ଲକ୍ଷ ୪୬ ହଜାର ୧୫୪ ଜଣ ଛାତ୍ରଛାତ୍ରୀ। ଇ ଗ୍ରେଡ ପାଇଛନ୍ତି ୭୬,୦୧୩ ଜଣ ଛାତ୍ରଛାତ୍ରୀ। ଏଫ ଗ୍ରେଡ ପାଇଛନ୍ତି ୭,୩୮୪ ଜଣ ଛାତ୍ରଛାତ୍ରୀ। ଗଜପତି ଜିଲ୍ଲାରେ ସର୍ବାଧିକ ପାସହାର ୯୯.୩୫ ପ୍ରତିଶତ ରହିଛି। ସେହିଭଳି କୋରାପୁଟ ଜିଲ୍ଲାରେ ସର୍ବନିମ୍ନ ପାସ ହାର ୯୨.୮୩ ପ୍ରତିଶତ ଅଛି। ଏହା ସହିତ ଏସ୍‌ଏମ୍‌ଏସ୍ ମାଧ୍ୟମରେ ମଧ୍ୟ ରେଜଲ୍ଟ ଜାଣିବାର ସୁବିଧା ଉପଲବ୍ଧ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଏଥିପାଇଁ ଛାତ୍ରଛାତ୍ରୀମାନେ ନିର୍ଦ୍ଦିଷ୍ଟ ନମ୍ବରକୁ ମେସେଜ ପଠାଇପାରିବେ।

Comments are closed, but trackbacks and pingbacks are open.