ବିହାର ବିଷାକ୍ତ ମଦ କାଣ୍ଡର ମାଷ୍ଟରମାଇଣ୍ଡ୍ ଦିଲ୍ଲୀରୁ ଗିରଫ

30

ନୂଆଦିଲ୍ଲୀ: ବିହାର ବିଷାକ୍ତ ମଦ କାଣ୍ଡର ମାଷ୍ଟର୍ ମାଇଣ୍ଡ୍ ରାମ ବାବୁ ମହତୋଙ୍କୁ ଦିଲ୍ଲୀ ପୁଲିସର କ୍ରାଇମ୍ ବ୍ରାଞ୍ଚ୍ ଗିରଫ କରିଛି । ନିକଟରେ ବିହାରର ଛପରା, ସିୱାନ୍ ଏବଂ ଅନ୍ୟ କେତେକ ସ୍ଥାନରେ ବିଷାକ୍ତ ମଦପିଇ ୭୦ରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିଲେ । ଏହାକୁ ନେଇ ରାଜନୀତି ମଧ୍ୟ ଗରମ ହୋଇପଡ଼ିଥିଲା । ମୃତକଙ୍କ ପରିବାରକୁ କୌଣସି କ୍ଷତିପୂରଣ ମିଳିବ ନାହିଁ ବୋଲି ମଧ୍ୟ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଧାନସଭାରେ କହିଥିଲେ । ସେ କହିଥିଲେ, ଯିଏ ପିଇବ ସେ ମରିବ । ବିଷାକ୍ତ ମଦକାଣ୍ଡର ମୁଖ୍ୟ ମାଷ୍ଟରମାଇଣ୍ଡ୍ ରାମବାବୁ ମହତୋ ଦିଲ୍ଲୀରେ ଲୁଚିଥିବା କ୍ରାଇମ୍ ବ୍ରାଞ୍ଚ୍‌ର ଇଣ୍ଟର ଷ୍ଟେଟ୍ ସେଲ୍‌କୁ ସୂଚନା ମିଳିଥିଲା । ଏହାପରେ ଟେକ୍ନିକାଲ୍ ସର୍ଭେଲାନ୍ସ ଜରିଆରେ ତାକୁ ଦ୍ୱାରକାରୁ ଗିରଫ କରାଯାଇଛି ବୋଲି ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚ୍ ସ୍ପେଶାଲ ସିପି ରବୀନ୍ଦ୍ର ଯାଦବ କହିଛନ୍ତି । ପୁଲିସ ଅନୁସାରେ ରାମବାବୁ ବିହାରର ସାରଣ ଜିଲ୍ଲା ନିବାସୀ । ଅଷ୍ଟମ ପର୍ଯ୍ୟନ୍ତ ପଢ଼ିଥିବା ରାମବାବୁର ପରିବାର ୪ ଭାଇ ଓ ଦୁଇଜଣ ଭଉଣୀ ଅଛନ୍ତି । ତା’ ଅନୁସରେ ପରିବାର ଅବସ୍ଥା ଖରାପ ଥିବାରୁ ସେ ବିହାରକୁ ମଦମୁକ୍ତ ରାଜ୍ୟ ଘୋଷଣା କରାଯିବା ପରେ ଶୀଘ୍ର ଅର୍ଥ ଆୟ ପାଇଁ ଅପମିଶ୍ରିତ ମଦ ପ୍ରସ୍ତୁତ ଏବଂ ବିକ୍ରି ଆରମ୍ଭ କରିଥିଲା । ଅଭିଯୁକ୍ତ ବିରୋଧରେ ଏପରି ୭ଟି ମାମଲା ପୂର୍ବରୁ ରୁଜୁ କରାଯାଇଛି । ରାମବାବୁ ମହତୋର ଗିରଫ ସମ୍ପର୍କରେ ବିହାର ପୁଲିସକୁ ସୂଚନା ଦିଆଯାଇଛି ।

Comments are closed, but trackbacks and pingbacks are open.