ଗେଂଡୁ ଫୁଲ ଚାଷ

26

ଗେଂଡୁ ଫୁଲ ଆମର ଅତି ପରିଚିତ । ଏହା ବଗିଚାର ସୌନ୍ଦର୍ଯ୍ୟ ବୃଦ୍ଧି କରେ । ଏହାର ପତ୍ର ଓ ଫୁଲରେ ଔଷଧୀୟ ଗୁଣ ରହିଛି । କେତେକ ଫସଲରେ ରୋଗ ନ ହେବାପାଇଁ ଏହାକୁ ଅନ୍ତଃଫସଲ ଭାବେ ଲଗାଯାଇଥାଏ । ଆଜିକାଲି ବ୍ୟବସାୟିକ ଭିତ୍ତିରେ ଗେଣ୍ଡୁଫୁଲ ଚାଷ କରାଗଲାଣି । ଗେଣ୍ଡୁ ଗଛର ଜନ୍ମ ମେକ୍‌ସିକୋ ବୋଲି ଜଣାଯାଏ । ତେବେ ବାମନ ଜାତିର ଗେଣ୍ଡୁଗଛ ଦକ୍ଷିଣ ଆମେରିକାରେ ଜନ୍ମ ହୋଇଛି ବୋଲି କେହିକେହି ମତ ଦିଅନ୍ତି ।
ଆର୍ଦ୍ର ଜଳବାୟୁରେ ଗେଣ୍ଡୁଗଛ ଭଲ ହୋଇଥାଏ । ବାୟୁମଣ୍ଡଳର ଉତ୍ତାପ ୧୪ରୁ ୨୮ ଡିଗ୍ରୀ ସେଲସିଅସ୍ ମଧ୍ୟରେ ରହିଲେ ଭଲ । ଅତ୍ୟଧିକ ଗରମ ହେଲେ ଫୁଲର ମାନ କମିଯାଇଥାଏ । ବିଭିନ୍ନ ପ୍ରକାରର ମାଟିରେ ଗେଣ୍ଡୁଚାଷ କରାଯାଇପାରିବ । ତେବେ ନିଗିଡ଼ା, ଦୋରସା, ମାଟିରେ ଏହା ଭଲ ହୋଇଥାଏ । ମାଟିର ଅମ୍ଳ ପରିମାପକ ମୂଲ୍ୟ ୭-୭.୫ ମଧ୍ୟରେ ରହିଲେ ଗଛ ଭଲ ବଢ଼ିପାରେ ।
ଗେଣ୍ଡୁଫୁଲ ସାଧାରଣତଃ ଡେଙ୍ଗାଜାତୀୟ ଓ ବାମନ ଜାତୀୟ ଅଟେ । ଡେଙ୍ଗା କିସମ ଭାବେ ସ୍ପୋବାର୍ଡ, ସ୍ପନୟେଲୋ, ଜିଆଣ୍ଟ ଡବଲ, ଆଫ୍ରିକାଲ୍ ଅରେଞ୍ଜ, ଗୋଲ୍‌ଡ ଇନ୍‌କୋ ଅରେଞ୍ଜ, ରୟାଲ ୟେଲୋ, ଅରେଞ୍ଜ ଆଦି କିସମ ଚାଷ କରାଯଶଇ ପାରିବ ।
ବାମନ ଜାତୀୟ କିସମ ଭାବରେ ହାପି ଅରେଞ୍ଜ, ଅରେଞ୍ଜ ବୟ, ଲୋମନ ଡ୍ରପ ଆଦି ଚାଷ କରାଯାଇଥାଏ ।
ଆମ ରାଜ୍ୟରେ ସବୁ ଋତୁରେ ଗେଣ୍ଡୁ ଚାଷ କରାଯାଇପାରିବ । ଏଥିପାଇଁ ଜୁନ୍‌-ଜୁଲାଇ, ଅଗଷ୍ଟ-ସେପ୍ଟେମ୍ବର ଓ ଜାନୁଆରୀ-ଫେବୃଆରୀ ମାସରେ ତଳି ଲଗାଯାଇଥଶଏ । ମଞ୍ଜିରୁ ଚାରା ପ୍ରସ୍ତୁତ କରି ଗେଣ୍ଡୁ କରଯାଏ । ଡାଳ ଖଣ୍ଡ ସାହାଯ୍ୟରେ ମଧ୍ୟ ଗେଣ୍ଡୁ ଗଛ ଲଗାଯାଇଥାଏ । ଏକ ଏକର ଜମିରେ ଲଗାଇବା ପାଇଁ ପ୍ରାୟ ୨୦୦ ଗ୍ରାମ ମଞ୍ଜି ଦରକାର ହୋଇଥାଏ । ଚାରା ଗଛ ୨୫-୩୦ ଦିନର ହେଲେ ମୁଖ୍ୟ ଜମିରେ ଲଗାଯାଏ ।
ଚାରା ଲଗାଇବା ପୂର୍ବରୁ ହଳ କରି ମାଟି ଗୁଣ୍ଡ କରାଯାଏ । ଡେଙ୍ଗା କିସମ ଚାଷ କରୁଥିଲେ ଧାଡ଼ିକୁ ଧାଡ଼ି ୪୦ ସେଣ୍ଟିମିଟର ଓ ଗଛକୁ ଗଛ ୩୦ ସେଣ୍ଟିମିଟର ଦୂରତାରେ ଲଗାଇବାକୁ ହେବ । ଏହି ଭାବରେ ଲଗାଇଲେ ଏକର ପ୍ରତି ପ୍ରାୟ ୩୩ ହଜାର ଗଛ ଲାଗିପାରିବ । ବାମନ କିସମ ଲଗାଉଥିଲେ ଧାଡ଼ିକୁ ଧାଡ଼ି ୩୦ ସେଣ୍ଟିମିଟର ଓ ଗଛକୁ ଗଛ ୨୦ ସେଣ୍ଟିମିଟର ଦୂରତାରେ ଗଛ ଲଗାଯିବ । ଏହି ହିସାବରେ ଏକର ପ୍ରତି ପ୍ରାୟ ୬୭ ହଜାର ଗଛ ରହିବ ।
ଶେଷ ଓଡ଼ ଚାଷ ବେଳେ ଏକର ପ୍ରତି ୪୦-୫୦ କ୍ୱିଣ୍ଟାଲ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରିବାକୁ ପଡ଼ିବ । ଏଥି ସହିତ ଚାରା ଲଗାଇବା ବେଳେ ଏକର ପ୍ରତି ୩୨ କିଲୋଗ୍ରାମ ଫସଫରସ ଓ ୧୬ କିଲୋଗ୍ରାମ ପଟାସ ପ୍ରୟୋଗ କରିବାକୁ ହେବ । ଏଥିପାଇଁ ଏକର ପ୍ରତି ୨୦୦ କିଲୋଗ୍ରାମ ସିଙ୍ଗଲ ସୁପର ଫସଫେଟ୍ ଓ ୨୭ କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ ଆବଶ୍ୟକ ପଡ଼ିବ । ଚାରା ଲଗାଇବାର ଦୁଇ ପ୍ତାହ ପରେ ଏକର ପ୍ରତି ୧୬ କିଲୋଗ୍ରାମ ଯୁବକ୍ଷାର ବା ୩୫ କିଲୋଗ୍ରାମ ୟୁରିଆ ପ୍ରୟୋଗ କରିବାକୁ ହେବ । ଚାରା ଲଗାଇବାର ଦେଢ଼ମାସ ପରେ ଏକର ପ୍ରତି ୧୬ କିଲୋଗ୍ରାମ ଯୁବକ୍ଷାର ଓ ୧୬ କିଲୋଗ୍ରାମ ପଟାସ ସାର ପ୍ରୟୋଗ କରାଯିବ । ଏଥିପାଇଁ ୩୫ କିଲୋଗ୍ରାମ ୟୁରିଆ ଓ ୨୭ କିଲୋଗ୍ରାମ ମ୍ୟୁରେଟ୍ ଅଫ ପଟାସ ଆବଶ୍ୟକ ହେବ ।
ଚାରା ଲଗାଇବାର ୧୫ ଦିନ ପରେ ମାଟିକୁ ଖୁସାଇ ଘାସ ମାରିଦେବା ଆବଶ୍ୟକ । ଗଛ ମୂଳକୁ ହୁଡ଼ା ଟେକିଦେଲେ ପାଣି ମଡ଼ାଇବା ସୁବିଧାଜନକ ହୋଇଥାଏ । ବର୍ଷାଦିନେ ବଳକା ପାଣି ନିଗିଡ଼ିଯାଏ । ଗଛର ଅଗ ଛିଣ୍ଡାଇଦେଲେ ଏହା ଝଙ୍କାଳିଆ ହୁଏ ଓ ଅଧିକ ଫୁଲ ଧରିଥାଏ ।
ଶୀତଦିନେ ଓ ଖରାଦିନେ ପାଣି ମଡ଼ାଇବା ଦରକାର । ଦେଖିବା କଥା ଯେମିତି ମାଟି ଅଧିକ ଶୁଖି ନ ଯିବ । ଫୁଲ ତୋଳିବା ବେଳେ ମାଟିରେ ବତର ଥିବା ଦରକାର । ଏହା ହେଲେ ଫୁଲ ଅଧିକ ଦିନ ସତେଜ ରହିଥାଏ ।
ଗେଣ୍ଡୁ ଗଛରେ ପତ୍ର ଡିଆଁ ପୋକ ଲାଗନ୍ତି । ଏମାନେ ପତ୍ରରୁ ରସ ଶୋେି ଖାଇଦିଅନ୍ତି । ଫଳରେ ଗଛ ରୁଗ୍‌ଣ ହୋଇଯାଏ । ବେଳେବେଳେ ପତ୍ର ଉଙ୍କୁଣୀ ପୋକ ମଧ୍ୟ ଲାଗିଥାଏ । ଏହାକୁ ଦମନ କରିବା ପାଁ ଏକର ପ୍ରତି ୪୦୦ ମିଲିଲିଟର ଡାଇମିଥଏଟ୍ ବା କୁଇନାଲଫସକୁ ୨୦୦ ଲିଟର ପାଣି ସହ ମିଶାଇ ସ୍ପ୍ରେ କରିବାକୁ ହେବ । ଗେଣ୍ଡୁ ଗଛରେ ପାଉଁଶିଆ ରୋଗ ହେଲେ ପତ୍ର ଉପରେ ଦାଗ ଦେଖାଯାଏ । ବେଳେବେଳେ ପତ୍ରପେଡ଼ା ରୋଗ ମଧ୍ୟ ଲାଗିଥାଏ । ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୩ ଗ୍ରାମ ବ୍ଲାଇଟକ୍‌ସ-୫୦ ବା ଇଣ୍ଡୋଫିଲ ଏମ୍‌-୪୫ ଔଷଧକୁ ୨୦୦ ଲିଟର ପାଣି ସହ ମିଶାଇ ପ୍ରୟୋଗ କରିବାକୁ ହେବ ।
ଫୁଲଗୁଡ଼ିକ ବଡ଼ ହୋଇଗଲେ ଅମଳ କରାଯାଏ । ହାତରେ ତୋଳି ଫୁଲ ଅମଳ କରାଯାଏ । ସକାଳେ ବା ଅପରାହ୍ନରେ ଫୁଲ ତୋଳିବା ଭଲ । ଏକ ଏକର ଜମିରୁ ପ୍ରାୟ ୮୦ କ୍ୱିଣ୍ଟାଲ ଫୁଲ ଅମଳ ହୋଇଥାଏ । ବାମନ ଜାତୀୟ କିସମ ଚାଷ କରୁଥିଲେଶ ୫୦ କ୍ୱିଣ୍ଟାଲ ଫୁଲ ମିଳେ ।

Comments are closed, but trackbacks and pingbacks are open.