ପଦଯାତ୍ରା ଭାରତର ଭାବାବେଗର ପ୍ରତିନିଧିତ୍ଵ କରୁଛି: ରାହୁଲ୍‌ ଗାନ୍ଧୀ

34

ନୂଆଦିଲ୍ଲୀ: ‘ବୁଲେଟ୍‌ ପ୍ରୁଫ୍‌’ ବା ଗୁଳି ନିରୋଧକ କାର୍‌ରେ ବସି ‘ଭାରତ ଯୋଡ଼ୋ ଯାତ୍ରା’ କରିବା ସମ୍ଭବ ନୁହେଁ ବୋଲି ଆଜି କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ କହିଛନ୍ତି। ସୂଚନାଯୋଗ୍ୟ, ‘ଭାରତ ଯୋଡ଼ୋ ଯାତ୍ରା’ ଦିଲ୍ଲୀରେ ପ୍ରବେଶ କରିବା ବେଳେ ରାହୁଲ୍‌ ଗାନ୍ଧୀଙ୍କ ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ତ୍ରୁଟି ପାଇଁ କଂଗ୍ରେସ ପାର୍ଟି ଦିଲ୍ଲୀ ପୁଲିସ ଓ ‘ସେଣ୍ଟ୍ରାଲ୍‌ ରିଜର୍ଭ ପୋଲିସ୍‌ ଫୋର୍ସ’ଙ୍କୁ ଦାୟୀ କରିଥିଲା। କିନ୍ତୁ, ସ୍ବୟଂ ରାହୁଲ୍‌ ଗାନ୍ଧୀ ସୁରକ୍ଷା ପ୍ରୋଟୋକଲ୍‌ ଉଲ୍ଲଂଘନ କରିଥିଲେ ବୋଲି ଉଭୟ ଦର୍ଶାଇବାରେ ପରେ ବିବାଦର ସୂତ୍ରପାତ ହୋଇଥିଲା।ଏ ସଂକ୍ରାନ୍ତରେ ସଫେଇ ଦେବାକୁ ଯାଇ ରାହୁଲ୍‌ ଗାନ୍ଧୀ କହିଛନ୍ତି, ସରକାର ମୋତେ ବୁଲେଟ୍‌ ପ୍ରୁଫ୍‌ କାର୍‌ରେ ବସି ‘ଭ‌ାରତ ଯୋଡ଼ୋ ଯାତ୍ରା’ କରାଇବାକୁ ଚାହୁଁଛନ୍ତି। ମୁଁ କେମତି ତାହା କରିପାରିବି? ଏଇଟା ତ ପଦଯାତ୍ରା। କେତେକ ‌କ୍ଷେତ୍ରରେ ଶାସକ ‘ବିଜେପି’ ସରକାରର ନେତାମାନେ ବୁଲେଟ୍‌ ପ୍ରୁଫ୍‌ କାର୍‌ରୁ ବାହାରି ସୁରକ୍ଷା ନିୟମ ଉଲ୍ଲଂଘନ କରିଥିବା କଥା ମଧ୍ୟ ରାହୁଲ୍‌ ଗାନ୍ଧୀ କହିଛନ୍ତି। କିନ୍ତୁ, ସେମାନଙ୍କ ବିରୋଧରେ କ‌ୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଅର୍ଥାତ୍‌ ଭିନ୍ନ ଦଳ ପାଇଁ ଭିନ୍ନ ପ୍ରୋଟୋକଲ୍‌ ବ୍ୟବସ୍ଥା ରହିଛି। ରାହୁଲ୍‌ ଗାନ୍ଧୀ କହିଛନ୍ତି, ପଦଯାତ୍ରା ଭାରତର ଭାବାବେଗର ପ୍ରତିନିଧିତ୍ବ କରୁଛି। ସେଥିରୁ ମୁଁ ଅନେକ କିଛି ଶିଖିଛି। ଯାତ୍ରା ଆରମ୍ଭ କରିବା ସମୟରେ ମୋର କୌଣସି ପୂର୍ବପରିକଳ୍ପିତ ଧାରଣା ନ ଥିଲା। କେବଳ ଯାତ୍ରାର ଅନୁଭୂତି ହାସଲ କରିବାକୁ ବାହାରିଥିଲି। ଦିନ ଗଡ଼ିଚାଲିବା ପରେ ମୋର ହୃଦ୍‌ବୋଧ ହେଲା ଏହା ପଦଯାତ୍ରାଠୁ ଢେର୍‌ କିଛି ଅଧିକ। ଜୀବସତ୍ତା ପରି ଏହି ପଦଯାତ୍ରାର ବି ଭାବାବେଗ ରହିଛି। ଏହି ପଦଯାତ୍ରା ଭାରତର ଭାବାବେଗର ପ୍ରତିନିଧିତ୍ବ କରୁଛି। ସେଥିରୁ ମୁଁ ଲାଭ କରିଥିବା ଶିକ୍ଷା ମୋର କଳ୍ପନାତୀତ ବୋଲି କହିଛନ୍ତି।

Comments are closed, but trackbacks and pingbacks are open.