ଅମିତ ଶାହାଙ୍କୁ ଭେଟିଲେ ମନମୋହନ ସାମଲ

297

ଭୁବନେଶ୍ବର: ଆଜି ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଏ ନେଇ ମନମୋହନ ତାଙ୍କ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ, “ଆଜି ନୂଆ ଦିଲ୍ଲୀରେ ମାନ୍ୟବର ଗୃହମନ୍ତ୍ରୀ ଶ୍ରୀ ଅମିତ୍ ଶାହାଙ୍କୁ ସୌଜନ୍ୟମୂଳକ ଭାବେ ସାକ୍ଷାତ କରିବାର ଅବସର ପ୍ରାପ୍ତ ହେଲା । ଏହି ଅବସରରେ ରାଜ୍ୟର ବିକାଶ, ସାଂଗଠନିକ ସୁଦୃଢ଼ୀକରଣ ସମେତ ବିଭିନ୍ନ ଗୁରୁତ୍ତ୍ୱପୁର୍ଣ୍ଣ ବିଷୟ ସମ୍ଵନ୍ଧରେ ଆଲୋଚନା କଲି।” ସେ ଆହୁରି ଲେଖିଛନ୍ତି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦି ଙ୍କ ନେତୃତ୍ୱରେ ଆମ ଦେଶ ବିକଶିତ ଭାରତ ଦିଗରେ ଅଗ୍ରସର ହେଉଛି । ଓଡ଼ିଶାରେ ମଧ୍ୟ ଡବଲ ଇଞ୍ଜିନ ସରକାର କିପରି ବିକଶିତ ଭାରତର ଗ୍ରୋଥ୍ ଇଞ୍ଜିନ ହୋଇ ପାରିବ ସେ ଦିଗରେ ଆହୁରି ଦୃଢ଼ତାର ସହ କାର୍ଯ୍ୟ କରିବା ପାଇଁ ମାନ୍ୟବର ଗୃହ ମନ୍ତ୍ରୀଙ୍କର ମାର୍ଗଦର୍ଶନ ପ୍ରାପ୍ତ ହେଲା । ତେବେ ଏହା ହେଉଛି ମନମୋହନଙ୍କ ଲୋକଙ୍କୁ ଅବଗତ କରାଇବା ତଥ୍ୟ। ହେଲେ ପ୍ରକୃତରେ ସେ କଣ କଥା ହୋଇଛନ୍ତି ସେ ନେଇ ରାଜ୍ୟ ରାଜନୀତିରେ ଚାଲିଛି ଚର୍ଚ୍ଚା। ବର୍ତ୍ତମାନ ରାଜ୍ୟରେ ବିଜେପି ସରକାର ଆସିବାର ତେର ମାସ ବିତିଗଲାଣି। ହେଲେ ଏ ପର୍ଯ୍ୟନ୍ତ ଦଳ ନିଗମ ଅଧ୍ୟକ୍ଷ ନିଯୁକ୍ତି କରିପାରୁ ନାହିଁ। ସଭାପତି ଓ ମୁଖ୍ୟମନ୍ତ୍ରୀ ଯେଉଁମାନଙ୍କୁ ଅଧ୍ୟକ୍ଷ କରିବାକୁ ଚାହୁଁଛନ୍ତି ସେଥିରେ କେଁ ପଶିଯାଉଛି। ତେବେ ସେ କେଁ କିଏ ପୁରାଉଛି ତାହା କାହାକୁ ଅଛପା ନାହିଁ। ବାରମ୍ବାର ତାଲିକା ପ୍ରସ୍ତୁତ ହେଉଥିଲେ ମଧ୍ୟ ତାହା ଚୁଡାନ୍ତ ହୋଇପାରୁ ନାହିଁ। ଏପରିକି ରାଷ୍ଟ୍ରୀୟ ବିଜେପିର ଦବଦବା ନେତା ସୁନୀଲ ବଂଶଲ ଆସି ଆଲୋଚନା କରି ତାଲିକା ଚୁଡାନ୍ତ କରିଥିଲେ ମଧ୍ୟ ତାହା ପ୍ରକାଶ ପାଇପାରୁ ନାହିଁ। ଏହାକୁ ନେଇ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସେତିକି ନୁହେଁ, ସାଧାରଣରେ ବିଜେପି ମଧ୍ୟ ନିନ୍ଦିତ ହେବାରେ ଲାଗିଛି। ଏ ସବୁ ଘଟଣା ସଂପର୍କରେ ମନମୋହନ ଶାହାଙ୍କ ସହିତ ନିଶ୍ଚିତ ଆଲୋଚନା କରିଥିବାର ଅନୁମାନ କରାଯାଉଛି। ଯଦି ଏହି ନିଗମ ଅଧ୍ୟକ୍ଷ ଚୁଡାନ୍ତ ନ କରାଯାଏ ତେବେ ବିଜେପି ଭିତରେ ଠିକ ଚାଲୁ ନାହିଁ ବୋଲି ଧାରଣା ସୃଷ୍ଟି ହେଉଛି। ସେଥିପାଇଁ ସାମଲ ନିଶ୍ଚିତ ଭାବେ ଶାହାଙ୍କ ଠାରୁ ଏକ ବଡ ସାହା ପାଇଥିଲେ ବୋଲି ଆଶା କରାଯାଉଛି। ଅନ୍ୟପଟେ ଓଡିଶା ପ୍ରଭାରୀ ବିଜୟ ପାଲ ସିଂ ତୋମାର ମଧ୍ୟ ସୂଚନା ଦେଇସାରିଲେଣି ଯେ, ଖୁବ ଶିଘ୍ର ତାଲିକା ଘୋଷଣା ହେବ। ତେଣୁ ମନମୋହନ ଶାହାଙ୍କ ସହିତ ଆଲୋଚନା କରି ତାହା ଚୁଡାନ୍ତ କରି ଫେରିବେ। ଏହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଆଲୋଚନା ଚାଲିଛି। ନିଗମ ଅଧ୍ୟକ୍ଷ ପଦ ପାଇଁ ଆଶାୟୀମାନେ ମନମୋହନ ସାମଲଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ବୋଲି ଜଣାପଡିଛି।

Comments are closed, but trackbacks and pingbacks are open.