ପୁଣିଥରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ହେବେ ମାନିକ ଶାହା

22

ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ବରିଷ୍ଠ ବିଜେପି ନେତା ମାନିକ ଶାହା ପୁନର୍ବାର ଆସନ୍ତା ୮ରେ ଦାୟିତ୍ବ ଗ୍ରହଣ କରିବେ। ମାନିକ ଶାହା ନିର୍ବାଚନ ପୂର୍ବରୁ ତ୍ରିପୁରା ମୁଖ୍ୟମନ୍ତ୍ରୀ ଥିଲେ। ତ୍ରିପୁରା ବିଧାନସଭାର ନବନିର୍ବାଚିତ ବିଜେପି ବିଧାୟକଙ୍କ ଏକ ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ସର୍ବସମ୍ମତିକ୍ରମେ ମାନିକ ଶାହାଙ୍କୁ ନେତା ଭାବେ ମନୋନୀତ କରାଯାଇଥିଲା।

ଆସନ୍ତା ୮ରେ ମାନିକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଥିବା ବେଳେ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ପ୍ରମୁଖ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ବାମଦଳ ମେଣ୍ଟ କରିଥିଲେ ମଧ୍ୟ ବିଜେପି ଦଳ ବିଜୟୀ ହୋଇଥିଲା।

ନିର୍ବାଚନର କିଛିମାସ ପୂର୍ବରୁ ବିପ୍ଲବ ଦେବଙ୍କ ସ୍ଥାନରେ ମାନିକ ଶାହାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ପ୍ରଦାନ କରାଯାଇଥିଲା। ମାନିକ ୨୦୧୬ରେ ବିଜେପିରେ ଯୋଗ ଦେଇଥିଲେ। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ମାନିକ ଶାହା ତ୍ରିପୁରା ମେଡିକାଲ୍‌ କଲେଜରେ ଶିକ୍ଷାଦାନ କରୁଥିଲେ।

Comments are closed, but trackbacks and pingbacks are open.