ମମିତା ହତ୍ୟା ମାମଲା : ମୁହଁ ଖୋଲିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଲେ ‘ମୋ ବିରୋଧରେ ଯଦି ପ୍ରମାଣ ଅଛି ତେବେ କୋର୍ଟକୁ ଯାଅ’

0 102

ବହୁଚର୍ଚ୍ଚିତ ମହାଲିଙ୍ଗ ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଆଜି ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଏକ ପ୍ରେସ୍‌ ମିଟ ଜରିଆରେ ସେ ଗଣମାଧ୍ୟମକୁ କହିଛନ୍ତି କି ‘ମମିତାଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ପାଇଁ ମୁଁ ଗଭୀର ମର୍ମାହତ। ମମିତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି। ଆଇନ ଅନୁଯାୟୀ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବା ଆବଶ୍ୟକ’ ବୋଲି କ୍ୟାପ୍‌ଟେନ୍‌ କହିଛନ୍ତି। ଏହାବାଦ ମିଥ୍ୟା ଆଧାରରେ କେତେକ ଗଣମାଧ୍ୟମ ତାଙ୍କର ଚରିତ୍ର ସଂହାର କରିଥିବା କହିଛନ୍ତି ଦିବ୍ୟଶଙ୍କର। ଏହାକୁ ନେଇ ତାଙ୍କ ପରିବାର ମାନହାନୀ ମୋକଦ୍ଦମା କରିଛନ୍ତି। ଦୁଇଟି ଘରୋଇ ଟିଭି ଚ୍ୟାନେଲ ସହିତ ଏକ ୱେବ ଚାନେଲ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି।
ଏହାସହିତ ମହାଲିଙ୍ଗ କଲେଜ କାର୍ଯ୍ୟକ୍ରମରେ ଯୋଗଦେବା ସଂପର୍କରେ ସ୍ପଷ୍ଟୀକରଣ ଦେବାକୁ ଯାଇ କ୍ୟାପ୍‌ଟେନ୍‌ ମିଶ୍ର ଲେଖିଛନ୍ତି-“ଜନ ପ୍ରତିନିଧିମାନେ ଶିକ୍ଷାନୁଷ୍ଠାନର କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି। ମୁଁ ଯଦି ଏପରି କୌଣସି ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମରେ ଯୋଗଦେଇଥାଏ ଓ ସେଠି ପରେ କିଛି ଅପରାଧ ଘଟେ, ସେଥିପାଇଁ ମୋତେ ଦାୟୀ କରାଯାଇପାରିବ ନାହିଁ । ମୋ ବିରୋଧରେ ଯଦି ପ୍ରମାଣ ଅଛି ତେବେ କୋର୍ଟକୁ ଯାଅ ବୋଲି ଦିବ୍ୟଶଙ୍କର ବିରୋଧୀ ଦଳ ଏବଂ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଲୋକଙ୍କୁ ସିଧାସଳଖ ଚ୍ୟାଲେଞ୍ଜ ଦେଇଛନ୍ତି। ଅଭିଯୋଗର ସତ୍ୟତା ଥିଲେ ରାଜନୀତିରୁ ସନ୍ନ୍ୟାସ ନେବି ଏବଂ ମନ୍ତ୍ରୀ ପଦରୁ ଇସ୍ତଫା ଦେବି ବୋଲି ଦିବ୍ୟଶଙ୍କର କହିଛନ୍ତି। ଏହା ସହ କହିଛନ୍ତିକି ବାୟୁସେନାର ଆଦର୍ଶ ନେଇ ମୁଁ ରାଜନୀତିକୁ ଆସିଛି। ମୁଁ ପଛେ କ୍ଷତିଗ୍ରସ୍ତ ହେବି, ଜଣେ ହେଲେ ବ୍ୟକ୍ତିକୁ ଦୁଃଖ ଭୋଗିବାକୁ ଦେବିନି। ମାଣିକେଶ୍ୱରୀଙ୍କ ନାଁରେ ଶପଥ କରୁଛି, ଏ ଅପରାଧ ସହ ମୋର କିଛି ସଂପର୍କ ନାହିଁ।”

ସୂଚନାରୁ ପ୍ରକାଶ, ମହାଲିଙ୍ଗ ସନ୍‌ସାଇନ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ମମିତାଙ୍କୁ ମହାଲିଙ୍ଗ କଲେଜ ସଭାପତି ଗୋବିନ୍ଦ ସାହୁ ହତ୍ୟା କରି ବିଭତ୍ସ ଭାବରେ ଖଣ୍ଡ ଖଣ୍ତ କରି କାଟି ନିଆଁରେ ପୋଡି ଗାତରେ ପୋତିଦେଇଥିଲା Iଏହି ମାମଲାରେ ଗୋବିନ୍ଦ ସାହୁ ଏବଂ ତାର ସହଯୋଗୀ ଜେସିବି ଡ୍ରାଇଭର ରାଧେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ତେବେ ଗୋବିନ୍ଦ ସହିତ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପର୍କ ସାମ୍ନାକୁ ଆସିବା ପରେ ବିରୋଧୀଙ୍କ ବିରୋଧ ପ୍ରଦର୍ଶନ ଓ ତୁମ୍ବି ତୋଫାନ ଏବଂ ଘନ ଘନ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳ ସରକାର ବିରୋଧରେ ଗର୍ଜିବା ପରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ତେବେ ଏହି ଘଟଣା କୁ ନେଇ ବିରୋଧୀ ଦଳ ସିଧାସଳଖ ରାଜ୍ୟ ସରକାରଙ୍କୁ ଦାୟୀ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା ସାଜିଛନ୍ତି।

Leave A Reply

Your email address will not be published.