ମହୀଶୂର ଦଶହରା ରାଷ୍ଟ୍ରପତିଙ୍କ ଦ୍ୱାରା ଉଦ୍‌ଘାଟିତ

21

ମହୀଶୂର: ମହୀଶୂର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର କର୍ଣ୍ଣାଟକର ମହୀଶୂର ସହରରେ ପବିତ୍ର ଦଶହରା ଉତ୍ସବକୁ ଉଦ୍‌ଘାଟନ କରିଛନ୍ତିି । ମହୀଶୂର ସହର ସନ୍ନିକଟ ଚାମୁଣ୍ଡି ହିଲ୍‌ସରେ ଆୟୋଜିତ ଏହି ଉତ୍ସବରେ ଭାଷଣ ଦେବା ଅବସରରେ ଶ୍ରୀମତୀ ମୁର୍ମୁ କହିଛନ୍ତି ଯେ ଦେଶବ୍ୟାପୀ ପବିତ୍ର ଦଶହରା ଧୁମଧାମରେ ପାଳିତ ହେଉଥିବାବେଳେ ମହଶୂର ଦଶହରା ଉତ୍ସବର ସ୍ୱାତନ୍ତ୍ର ରହିଛି । ମହୀଶୂରରର ଅଧିଷ୍ଠାତ୍ରୀ ଦେବୀ ମା’ ଚାମୁଣ୍ଡେଶ୍ୱରୀଙ୍କ କୃପାରୁ ସମସ୍ତେ ସୁଖ, ଶାନ୍ତିରେ କାଳାତିପାତ କରିବା ସହ ସୁସ୍ଥ ରୁହନ୍ତୁ ବୋଲି ଶ୍ରୀମତୀ ମୁର୍ମୁ ମା’ଙ୍କୁ ପ୍ରାର୍ଥନା କରିଥିବା କହିଛନ୍ତି । ଚାମୁଣ୍ଡି ହିଲ୍‌ସ ଶିଖରରେ ଥିବା ଚାମୁଣ୍ଡେଶ୍ୱରୀଙ୍କ ମନ୍ଦିରରେ ପହଞ୍ଚିବାପରେ ତାଙ୍କୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଭବ୍ୟ ସ୍ୱାଗତ ଜ୍ଞାପନ କରାଯାଇଥିଲା । ବୈଦିକ ମନ୍ତ୍ର ଉଚ୍ଚାରଣ ଚାଲିଥିବାବେଳେ ବୃଶ୍ଚିକ ଲଗ୍ନରେ ମାଆଙ୍କ ମୂର୍ତ୍ତିରେ ପୁଷ୍ପ ଅର୍ପଣ କରି ରାଷ୍ଟ୍ରପତି ଦଶହରା ଉତ୍ସବକୁ ଉଦ୍‌ଘାଟନ କରିଥିବା ଜଣାପଡିଛି । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କର୍ଣ୍ଣାଟକ ରାଜ୍ୟପାଳ ଥୱରଚାନ୍ଦ ଗେହଲଟ୍‌, ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ, ଦୁଇ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ଓ ଶୋଭା କରନ୍ଦଲାଜେଙ୍କ ସମେତ ରାଜ୍ୟର ଏକାଧିକ ମନ୍ତ୍ରୀ ଉପସ୍ଥିତ ଥିଲେ । ମହୀଶୂରରେ ଦଶହରା ଉତ୍ସବ ଦୀର୍ଘ ୧୦ ଦିନ ଧରି ମହା ସମାରୋହରେ ପାଳିତ ହୋଇଥାଏ । ମହୀଶୂର ପରେ ରାଷ୍ଟ୍ରପତି ହୁବ୍‌ଲି ସହର ଗସ୍ତ କରିଥିବାବେଳେ ତାଙ୍କୁ ‘ପୌର ସମ୍ମାନ’ ସମ୍ମାନିତ କରାଯାଇଥିଲା । ଏହାପରେ ସେ ଧରୱାଡ୍‌ସ୍ଥିତ ଆଇଆଇଆଇଟି (ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇନଫର୍ମେସନ ଟେକ୍ନୋଲୋଜି)ର ନୂଆ କ୍ୟାମ୍ପସ ଉଦ୍‌ଘାଟନ କରିଥିଲେ । ସୂଚନାଯୋଗ୍ୟ ଚଳିତବର୍ଷ ଜୁଲାଇରେ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବାପରେ ଶ୍ରୀମତୀ ମୁର୍ମୁ ପ୍ରଥମ ଥର ଦେଶର କୌଣସି ସ୍ଥାନକୁ ସରକାରୀ ଗସ୍ତ କରିଛନ୍ତି ।

Comments are closed, but trackbacks and pingbacks are open.