ମାହାଙ୍ଗା ଡବଲ ମର୍ଡର ଘଟଣା : ଆସନ୍ତା ୨୦ସୁଦ୍ଧା ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

115

ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ତଦନ୍ତକାରୀ ଅଫିସରଙ୍କୁ ନୋଟିସ ଜାରି କରିଛନ୍ତି କୋର୍ଟ । ସାଲେପୁର ଜେଏମଏଫସି କୋର୍ଟ ଆଇଓଙ୍କୁ ଏହି ଘଟଣାର କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ତେବେ ଖାଲି ସେତିକି ନୁହେଁ ଷ୍ଟାଟସ ରିପୋର୍ଟ ଦାଖଲ କରିବାରେ ବିଳମ୍ବ ହୋଇଥିବା କାରଣରୁ କୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ଆସନ୍ତା ୨୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର ଜେଏମଏଫସି କୋର୍ଟ ।

ତେବେ ଗତ ମେ’ ମାସ ୪ ତାରିଖ ଦିନ ଏହି ଘଟଣାର ତଦନ୍ତ କାହିଁକି ଶିଥିଳ ପଡିଛି ଏବଂ ତଦନ୍ତ କାହିଁକି ବିଳମ୍ବ ହେଉଛି ଏନେଇ କୋର୍ଟଙ୍କୁ ଏହି ଘଟଣାର ଅଭିଯୋଗକାରୀ ରମାକାନ୍ତ ବରାଳ ଲିଖିତ ଭାବେ ଜଣାଇଥିଲେ ।

ଅନ୍ୟପଟେ ମାହାଙ୍ଗା ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି ଏବେ ଅନ୍ୟତ୍ର ବଦଳି ହୋଇଯିବା ଫଳରେ ଏବେ କେଉଁ ଅଫିସର ଏହି ତଦନ୍ତର ଭାର ନେଇଛନ୍ତି ତାହା ରିପୋର୍ଟ ଦାଖଲ ପରେ ଜଣାପଡିବ।
ସୂଚନାନୁସାରେ ଗତବର୍ଷ ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାରର ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ସଂପର୍କୀୟ ଦିବ୍ୟସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଭିତ୍ତି କରି ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ମାମଲାରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା । ଏପରିକି ସ୍ଥାନୀୟ ବିଧାୟକ ତଥା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ମଧ୍ୟ ହୋଇଥିଲା ମାମଲା । କିନ୍ତୁ ପରେ ମନ୍ତ୍ରୀ ଙ୍କ ନାଁ ଚାର୍ଜସିଟ ରୁ କାଟିଦିଆ ଯାଇଥିଲା I ଏ ନେଇ ମୃତ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ କୋର୍ଟରେ ପ୍ରୋଟେଷ୍ଟ ପିଟିସନ୍ କରିଥିଲେ। ଗତବର୍ଷ ଅଗଷ୍ଟ ୨୫ରେ ଏହାର ଶୁଣାଣି କରି କୋର୍ଟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ମାହାଙ୍ଗା ଥାନା ଅଧିକାରୀକୁ ନିର୍ଦ୍ଦେଶ ଦେଇଥିଲେ।

Comments are closed, but trackbacks and pingbacks are open.