ଛତିଶଗଡ଼ ସହ ମହାନଦୀ ଜଳ ବିବାଦର ହେବ ଆପୋଷ ସମାଧାନ : ମୁଖ୍ୟମନ୍ତ୍ରୀ

156

ଭୁବନେଶ୍ୱର: ଜଳ ସଂରକ୍ଷଣ, ଜଳ ପରିଚାଳନାରେ ସରକାରଙ୍କର ସବୁଠାରୁ ବଡ଼ ଭୂମିକା ରହିଛି। ଏଥିରେ ବ୍ୟକ୍ତିଗତ ସ୍ତରରେ ତଥା ଗୋଷ୍ଠୀଗତ ସ୍ତରରେ ସମସ୍ତେ ନିଜ ନିଜ ଯୋଗଦାନ ରଖିବା ନିତାନ୍ତ ଆବଶ୍ୟକ ବୋଲି ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ ଜଳ ଦିବସ ଅବସରରେ ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍ ସେଣ୍ଟରଠାରେ ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ଆୟୋଜିତ ସମାରୋହରେ ଯୋଗଦେଇ କହିଛନ୍ତି। ଶନିବାର ବିଭିନ୍ନ ରାଜ୍ୟ ସହିତ ଥିବା ଜଳ ବିବାଦ ବିଷୟରେ ଆଲୋକପାତ କରି ଶ୍ରୀ ମାଝୀ କହିଥିଲେ, ଓଡ଼ିଶା ସହିତ ଜଳକୁ ନେଇ ଯେଉଁଠି ବିବାଦ ଅଛି, ତାକୁ ଆମେ ଗୁରୁତ୍ୱର ସହ ନେଇଛୁ । ତା’ର ତ୍ୱରିତ୍ ସମାଧାନ କରାଯିବ। ମହାନଦୀକୁ ନେଇ ଛତିଶଗଡ଼ ସହ ବିବାଦ ଚାଲିଛି। ଲୋକସେବା ଭବନରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଅବସରରେ ଏହି ବିଷୟରେ ଆଲୋଚନା ହୋଇଥିଲା। ଯେହେତୁ କେନ୍ଦ୍ର, ଛତିଶଗଡ଼ ଓ ଓଡ଼ିଶାରେ ଟ୍ରିପଲ-ଇଞ୍ଜିନ୍ ସରକାର ଚାଲିଛି, ତେଣୁ ଏ ବିବାଦର ଆପୋଷ ସମାଧାନ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଳ ବିନା ଜୀବନ ସୃଷ୍ଟିହେବା ଅସମ୍ଭବ। ବିଶ୍ୱ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବ୍ୟବହାର ଯୋଗ୍ୟ ଜଳର ଉପଲବ୍ଧତା ନେଇ ବିଶ୍ୱ ପାଣିପାଗ ସଂଘ ଆଶଙ୍କା ପ୍ରକାଶ କରିଛି। ଗତ ୨୦ ବର୍ଷ ଧରି, ମାଟିର ଆର୍ଦ୍ରତା ଏବଂ ଗ୍ଲାସିଆର୍‌ରେ ଗଚ୍ଛିତ ଜଳର ପରିମାଣ କ୍ରମାଗତ ଭାବେ କମିବାର ଲକ୍ଷ୍ୟ କରାଯାଇଛି। ଏ ସବୁ ଦୃଷ୍ଟିକୋଣରୁ ଆଗାମୀ ଦିନରେ ଜଳ ସଂରକ୍ଷଣ ଓ ଜଳକୁ ପ୍ରଦୂଷଣ ମୁକ୍ତ ରଖିବା ଅପରିହାର୍ଯ୍ୟ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୨୧ ମସିହା ତଥ୍ୟ ଅନୁଯାୟୀ, ୨୨୦ କୋଟିରୁ ଉର୍ଦ୍ଧ୍ୱ ଲୋକ ଜଳ ସଙ୍କଟ ଦେଖା ଯାଉଥିବା ଦେଶରେ ବାସ କରୁଛନ୍ତି। ବିଶ୍ୱ ଜଳବାୟୁ ପରିବର୍ତ୍ତନ ଓ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ବିଶ୍ୱର ପ୍ରତ୍ୟେକ ବ୍ୟକ୍ତିଙ୍କୁ ବିଶୁଦ୍ଧ ଜଳ ଯୋଗାଇଦେବା ସହିତ, ଏହାର ଉପଯୋଗିତା ବିଷୟରେ ଜନସଚେତନତା ସୃଷ୍ଟି କରିବା ପାଇଁ ବିଶ୍ୱ ଜଳ ଦିବସ ପାଳନ କରାଯାଉଛି। ୨୦୩୦ ସୁଦ୍ଧା ଷଷ୍ଠନେବଲ୍ ଡେଭ୍‌ଲପ୍‌ମେଣ୍ଟ ଲକ୍ଷ୍ୟ ହାସଲ କରି ସମସ୍ତଙ୍କୁ ଶୁଦ୍ଧ ଜଳ ଓ ପରିମଳ ବ୍ୟବସ୍ଥା ସୁନିଶ୍ଚିତ କରିବା ହେଉଛି ଏହାର ଉଦ୍ଦେଶ୍ୟ। ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ, ଆଗାମୀ ଦିନରେ କିଭଳି ଜଳ ସଂରକ୍ଷଣ ଓ ଜଳ ପରିଚାଳନାର ସୁବନ୍ଦୋବସ୍ତ ହେଇପାରିବ, ତାକୁ ଗୁରୁତ୍ୱ ଦେଇ ସେ ଦିଗରେ ଆମ ସରକାର ଆସିବା ପରେ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି। କେନାଲର ତଳ ମୁଣ୍ଡରେ ରହୁଥିବା ଚାଷୀ ପାଖରେ କିଭଳି ପାଣି ପହଞ୍ଚିବ ସେଥିପ୍ରତି ଆମେ ଧ୍ୟାନ ଦେଉଛୁ। ଆଗାମୀ ୫ ବର୍ଷ ଅର୍ଥାତ୍ ୨୦୨୯ ସୁଦ୍ଧା ଅତିରିକ୍ତ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚିତ କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ। ଜଳ ସମ୍ପଦର ସୁରକ୍ଷା ଓ ଏହାର ସୁପରିଚାଳନା ପାଇଁ ଚଳିତ ବର୍ଷ ବଜେଟରେ ୧୪ ହଜାର ୮୪୧ କୋଟି ୭୨ ଲକ୍ଷ ୯୨ ହଜାର ଟଙ୍କାର ବ୍ୟୟବରାଦ କରାଯାଇଛି। ଆମ ସରକାରଙ୍କ ଲକ୍ଷ୍ୟ କେବଳ ଜଳସେଚନ ଯୋଗାଇବା ନୁହେଁ, ସାମଗ୍ରିକ ଭାବେ ଜଳ ପରିଚାଳନା କରିବା, ଯାହାଦ୍ୱାରା ରାଜ୍ୟର ପ୍ରତ୍ୟେକ ଲୋକେ ପରିବେଶକୁ କ୍ଷତି ନ ପହଞ୍ଚାଇ ଆବଶ୍ୟକ ଜଳ ପାନୀୟ ତଥା ଅନ୍ୟ କାର୍ଯ୍ୟ ପାଇଁ ହାତ ପାହାନ୍ତାରେ ପାଇପାରିବେ। ଆମ ସରକାର, ରାଜ୍ୟରେ ନୂତନ ଜଳ ନୀତି ପ୍ରଣୟନ କରିବାକୁ ଯାଉଛନ୍ତି। ଏଥିସହିତ ପଟୁ ଜମି ଯାଇଥିବା ଓ ପ୍ରଦୂଷିତ ନଦୀ ନାଳଗୁଡ଼ିକର ପୁନରୁଦ୍ଧାର କରାଯିବା ପାଇଁ ପଦକ୍ଷେପ ନିଆଯାଉଛି। ଜଳ ସଂରକ୍ଷଣ ପାଇଁ ଜଳସମ୍ପଦ ବିଭାଗ ଦ୍ୱାରା ୯ ଗୋଟି ବୃହତ୍ତ୍‌, ୪୮ ମଧ୍ୟମ ଓ ୩୮୫୩ ଗୋଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇ ଅପାତତଃ ୨୪.୬୫ ବିଲିୟନ୍ କ୍ୟୁବିକ୍ ମିଟର ଜଳ ସଂରକ୍ଷଣ କରାଯାଇଛି। ଏତଦ୍ ବ୍ୟତୀତ ଆମ ରାଜ୍ୟରେ ୧୬ ହଜାର ୭୦୪ ଗୋଟି ଆଡି ବନ୍ଧ (ଚେକ ଡ୍ୟାମ୍‌) ନିର୍ମାଣ କରାଯାଇଛି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ନଦୀରେ ୭୨ଟି ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ କରି ୬୫ ହଜାର ୭୯୨ ହେକ୍ଟର ମିଟର ଜଳ ସଂରକ୍ଷଣ କରିବା ପାଇଁ ଯୋଜନା କରାଯାଇଛି। ତନ୍ମଧ୍ୟରୁ ୨୨ ଗୋଟି ନିର୍ମାଣାଧୀନ ଅଛି, ୬ ଗୋଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯାଇଛି। ଜଳବାୟୁ ପରିବର୍ତ୍ତନ କୁପ୍ରଭାବକୁ ମୁକାବିଲା କରିବା ପାଇଁ ଏହି ଜଳଭିତ୍ତିଭୂମିଗୁଡିକ ଯଥେଷ୍ଟ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେ ଆହୁରି କହିଥିଲେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୧, ମସିହାରେ ବିଶ୍ୱ ଜଳ ଦିବସରେ ଜଳଶକ୍ତି ଅଭିଯାନର ଶୁଭାରମ୍ଭ କରି କହିଥିଲେ, ଜଳ ସୁରକ୍ଷା ଓ ଜଳର ସୁ-ପରିଚାଳନା ବିନା ଦ୍ରୁତ ବିକାଶ ଅସମ୍ଭବ। ଜଳ ଶକ୍ତି ଅଭିଯାନ-୨୦୨୪ ଅନ୍ତର୍ଗତ ବିଭିନ୍ନ ଯୋଜନା ମାଧ୍ୟମରେ ଆମ ରାଜ୍ୟରେ ୧,୮୦,୬୪୩ ଗୋଟି ଜଳ ସଂରକ୍ଷଣ ଷ୍ଟ୍ରକ୍‌ଚର, ୩୫୮୬୨ ଗୋଟି ପାରମ୍ପରିକ ଜଳାଶୟର ନବୀକରଣ, ୩୪,୫୩୪ ଭୂତଳ ପୁନର୍ଭରଣ ଷ୍ଟ୍ରକ୍‌ଚର ଏବଂ ୧,୭୮,୧୦୯ ଗୋଟି ଜଳଛାୟା ପ୍ରକଳ୍ପ କରାଯାଇଛି। ଶେଷରେ ମୁଖ୍ୟମନ୍ତ୍ରୀ ଜଳ ସଂରକ୍ଷଣ, ଘରୋଇ ବ୍ୟବହାରରେ ଜଳ ଅପବ୍ୟବହାର ରୋକିବା, କୃଷି ଓ ଶିଳ୍ପ କ୍ଷେତ୍ରରେ ଜଳର ସୁବିନିଯୋଗ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୮୦ କୋଟି ଟଙ୍କା ବ୍ୟୟରେ ୨୦ଟି ଜିଲ୍ଲା ପାଇଁ କରାଯାଇଥିବା ୧୦୦ ଟି ଚେକ ଡ୍ୟାମକୁ ଲୋକାର୍ପଣ କରିବା ସହିତ ୪ ଗୋଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଯଥା କେନ୍ଦୁଝର ଜିଲ୍ଲାର ଘାସିଡ଼ିହି ଏମ୍‌ଆଇପି, ଗଞ୍ଜାମ ଜିଲ୍ଲାର ବିଲୁଆମରା ଏମ୍‌ଆସିପି , ଗଜପତି ଜିଲ୍ଲାର କୁରଲଣ୍ଡା ଏମ୍‌ଆଇପି ଏବଂ ମୟୂରଭଞ୍ଜ ଜିଲ୍ଲାର ବାଘିଆ ଏମ୍‌ଆଇପିର ୬୧.୫୩ କୋଟି ବ୍ୟୟରେ ହୋଇଥିବା ଭୂତଳ ନେଟ୍‌ୱାର୍କ ମଧ୍ୟ ଲୋକାର୍ପିତ କରିଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, ମୟୂରଭଞ୍ଜ ଜିଲ୍ଲାର ୨୭,୩୩୭ ହେକଟରେ ଉଚ୍ଚ ଚାଷଜମିକୁ ଜଳସେଚନ କରାଯିବା ପାଇଁ ୧,୨୨୭କୋଟି ଟଙ୍କା ମୂଲ୍ୟର ୧୮ଟି ବୃହତ ଉଠା ଜଳସେଚନ ଯୋଜନାର ଶିଳାନ୍ୟାସ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ, “ଗୋ ୱାଟର୍‌’ ଇଆରପିର ଶୁଭାରମ୍ଭ କରିବା ସହିତ ଏହି ସମ୍ପର୍କିତ ସୂଚନା ପୁସ୍ତିକାକୁ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ନୂଆ ସରକାର ଜଳସମ୍ପଦର ବିକାଶ ଓ ଜଳ ସଂରକ୍ଷଣକୁ ବିଶେଷ ଗୁରୁତ୍ୱ ଦେଉଛନ୍ତି । ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶାର ଲକ୍ଷ୍ୟ ରଖି ଜଳସମ୍ପଦ ବିଭାଗ ପକ୍ଷରୁ ସମସ୍ତଙ୍କ ପାଇଁ ପାନୀୟଜଳ, କୃଷି ପାଇଁ ଜଳସେଚନ, ପରିବେଶ ପର୍ଯ୍ୟଟନ ଓ ବିଦ୍ୟୁତ ଶକ୍ତି, ଶିଳ୍ପ ଆଦି ସବୁ କ୍ଷେତ୍ରରେ ଜଳର ଆବଶ୍ୟକତା ପୂରଣ କରିବା ପାଇଁ ଯୋଜନା ଓ କାର୍ଯ୍ୟକ୍ରମ ମାନ ପ୍ରସ୍ତୁତ କରାଯାଇଛି। କାର୍ଯ୍ୟକ୍ରମରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ର ଶେଖର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବୋଚ୍ଚ ଯନ୍ତ୍ରୀ ଯୋଜନା ଓ ପରିକଳ୍ପନା, ଲିଙ୍ଗରାଜ ଗୌଡ଼ ଏବଂ ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ୱତନ୍ତ୍ର ଶାସନ ସଚିବ ଆଶୁତୋଷ ଦାଶ ଅଭିଭାଷଣ ରଖିଥିଲେ।

Comments are closed, but trackbacks and pingbacks are open.