ଫୁଲୁଛି ମହାନଦୀ : ୫ ଫୁଟର ବନ୍ୟା ଜଳ ପ୍ରବାହିତ,ମା’ ଭଟ୍ଟାରିକାଙ୍କ ଗମ୍ଭୀରା ଭିତରେ ପଶିଲା ପାଣି

24

ଭୁବନେଶ୍ବର: ରାଜ୍ୟରେ ଲଗାଣ ବର୍ଷା । ହୀରାକୁଦ ଗେଟ ଖୋଲିବା ପରେ ମୁଣ୍ଡଳୀ ନିକଟରେ ମହାନଦୀ ଜଳସ୍ତର ବୃଦ୍ଧି ପାଉଛି । ନରାଜ ବ୍ୟାରେଜ ଦେଇ ସକାଳ ୬ଟା ସୁଦ୍ଧା ସେକେଣ୍ଡ ପ୍ରତି ୪ ଲକ୍ଷ୍ୟ ୨୮ ହଜାର ୭୭୮ ଘନଫୁଟ ଜଳ ପ୍ରବାହିତ ହେଉଛି । ବ୍ୟାରେଜର ଅପ୍ ଷ୍ଟ୍ରିମରେ ଜଳସ୍ତର ୨୬.୨୫ ମିଟର ରହିଥିବା ବେଳେ ଡାଉନ୍ ଷ୍ଟ୍ରିମରେ ଜଳସ୍ତର ୨୩.୧୦ ମିଟର ରହିଛି । ଏଠାରେ ଅପ୍ ଷ୍ଟ୍ରିମରେ ବିପଦ ସଙ୍କେତ ରହିଛି ୨୬.୪୧ ମିଟର । ସେପଟେ ବରମୁଳରେ ପ୍ରତି ସେକେଣ୍ଡରେ ୬ ଲକ୍ଷ୍ୟ ୫୨ ହଜାର ଓ ଖଇରମାଳରେ ୮ ଲକ୍ଷ୍ୟ ୩୦ ହଜାର କ୍ୟୁସେକ ବନ୍ୟାଜଳ ମହାନଦୀରେ ପ୍ରବାହିତ ହେଉଛି । ଏହି ପାଣି ମୁଣ୍ଡଳୀ ଠାରେ ଦିନ ପ୍ରାୟ ୧ଟା ରୁ ୨ଟାରେ ପହଞ୍ଚିବ । ସେହି ସମୟରେ ମୁଣ୍ଡଳୀରେ ପ୍ରତି ସେକେଣ୍ଡରେ ପ୍ରାୟ ୯ ଲକ୍ଷ୍ୟ ଘନଫୁଟ ବନ୍ୟା ଜଳ ପ୍ରବାହିତ ହେବ ବୋଲି ଅନୁମାନ କରା ଯାଉଛି ।​​​​​ମହାନଦୀର ଉପର ମୁଣ୍ଡରେ ବର୍ଷା ସାଙ୍ଗକୁ ହୀରାକୁଦ ଡ୍ୟାମ ରୁ ଜଳ ନିଷ୍କାସିତ ହେଉଥିବାରୁ ମା’ ଭଟ୍ଟାରିକାଙ୍କ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରି ଦେଇଛି । କଟକ ଜିଲ୍ଲା ବଡମ୍ବା ଗଡର ଅଧିଷ୍ଠାତ୍ରୀ ଦେବୀ ​​​​​​​ମା’ ଭଟ୍ଟାରିକାଙ୍କ ଗମ୍ଭୀରା ଭିତରେ ପଶିଲା ମହାନଦୀର ବନ୍ୟା ଜଳ । ମନ୍ଦିର ନିକଟରେ ଥିବା ରତ୍ନଗିରି ପର୍ବତକୁ ମା’ଙ୍କର ଚଳନ୍ତି ପ୍ରତିମା କୁ ସ୍ଥାନାନ୍ତର କରାଯାଇଛି । ସେଠାରେ ମା’ଙ୍କ ଅସ୍ଥାୟୀ ଗମ୍ଭୀରା ରହିଛି ।ସେବାୟତ ଏହାକୁ ସ୍ଥାନାନ୍ତର କରିଛନ୍ତି । ଅସ୍ଥାୟୀ ଗମ୍ଭୀରାରେ ମା’ଙ୍କର ପୂଜାର୍ଚନା ରୀତିନୀତି ଅନୁସାରେ ସମାପନ ହେବ । ମା’ଙ୍କର ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନ ଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରା ଯାଇଛି । 

Comments are closed, but trackbacks and pingbacks are open.