ନିର୍ମାଣ ହେବ ‘ମହାଲକ୍ଷ୍ମୀ କରିଡର’:ସରକାର ବାଣ୍ଟିବେ ୧ କୋଟି ଲକ୍ଷ୍ମୀପୁରାଣ ବହି

15

ଭୁବନେଶ୍ୱର: ମିଶନ ଶକ୍ତି ଭବନସ୍ଥିତ ଅଡିଟୋରିଅମ୍ ହଲ୍‌ରେ ପର୍ଯ୍ୟଟନ ବିଭାଗ ପକ୍ଷରୁ “ଶକ୍ତି ବନ୍ଦନାର ମହାଗାଥା – ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣ” ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଉଦ୍‌ଘାଟନ କରିଥିଲେ। ଉଦ୍‌ବୋଧନରେ ଉପ-ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଲକ୍ଷ୍ମୀ ପୁରାଣର ମୂଳ ସନ୍ଦେଶ କେବଳ ଧାର୍ମିକ ନୁହେଁ, ଏହା ଏକ ସାମାଜିକ ବିପ୍ଳବର ପ୍ରତୀକ। ନ୍ୟାୟ, ସମାନତା, ପରିଶ୍ରମ, ସ୍ୱାଭିମାନ ଓ ସମ୍ମାନ ଉପରେ ଆଧାରିତ ପ୍ରକୃତ ସମୃଦ୍ଧିର ଧାରଣାକୁ ଏହି ଗ୍ରନ୍ଥ ପ୍ରତିଷ୍ଠିତ କରେ ବୋଲି ସେ ମତ ପ୍ରକାଶ କରିଥିଲେ।ଏହା ସହିତ ସେ କହିଥିଲେ ସରକାରଙ୍କ ପକ୍ଷରୁ ସାରା ରାଜ୍ୟରେ ପ୍ରାୟ ୧ କୋଟି ସଂଶୋଧିତ ‘ଲକ୍ଷ୍ମୀପୁରାଣ’ ବହି ବଣ୍ଟନ କରାଯିବ । ଏହି ନୂତନ ଏବଂ ସଂଶୋଧିତ ଲକ୍ଷ୍ମୀପୁରାଣକୁ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ ଏବଂ ଗୀତା ଦାସ ନିଜ ସ୍ୱରରେ ଗାଇବେ । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏହି ସମ୍ପର୍କରେ ଆନୁଷ୍ଠାନିକ ଭାବେ ସୂଚନା ଦେଇଛନ୍ତି । ସରକାରଙ୍କ ଏହି ପଦକ୍ଷେପ ଓଡ଼ିଆ ଅସ୍ମିତା ଏବଂ ମାଣବସା ଗୁରୁବାର ପରମ୍ପରାକୁ ଆହୁରି ସମୃଦ୍ଧ କରିବ । ଏହା ସହିତ ଲକ୍ଷ୍ମୀପୁରାଣର ରଚୟିତା ମହାପୁରୁଷ ବଳରାମ ଦାସଙ୍କ ଜନ୍ମପୀଠର ବିକାଶ ପାଇଁ ଏକ ବଡ଼ ଯୋଜନା ପ୍ରସ୍ତୁତ ହୋଇଛି । ଏହି ପବିତ୍ର ସ୍ଥାନରେ ଏକ ଭବ୍ୟ ‘ମହାଲକ୍ଷ୍ମୀ କରିଡର’ ନିର୍ମାଣ କରାଯିବ । ଏହି ପ୍ରସ୍ତାବିତ କରିଡର ମଧ୍ୟରେ ବଳରାମ ଦାସଙ୍କ ସ୍ମୃତି ରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଗ୍ୟାଲେରି ସ୍ଥାପନ ହେବ । ଏହା ସହ ମା’ ଲକ୍ଷ୍ମୀଙ୍କ ସମ୍ପର୍କିତ ତଥ୍ୟକୁ ନେଇ ଏକ ‘ରିସର୍ଚ୍ଚ ଗ୍ୟାଲେରି’ ମଧ୍ୟ ସେଠାରେ ରହିବ। ଏହି ପ୍ରକଳ୍ପ ଦ୍ୱାରା ପର୍ଯ୍ୟଟନର ବିକାଶ ହେବ ଏବଂ ସ୍ଥାନୀୟ ଅଞ୍ଚଳର ଅନେକ ଲୋକଙ୍କୁ ନୂତନ ରୋଜଗାର ସୁଯୋଗ ମିଳିପାରିବ । ଏହି ସାଂସ୍କୃତିକ କରିଡର ମହିଳା ସଶକ୍ତୀକରଣ ଏବଂ ଆଧ୍ୟାତ୍ମିକତାର ଏକ ଅପୂର୍ବ କେନ୍ଦ୍ର ପାଲଟିବ । ଏଠାରେ ପ୍ରାୟ ୫୦୦ ମହିଳା ଏକାଠି ବସି ସାମୂହିକ ଭାବେ ମା’ଙ୍କ ଲକ୍ଷ୍ମୀପୁରାଣ ଗାନ କରିବାର ବ୍ୟବସ୍ଥା କରାଯିବ ।

Comments are closed, but trackbacks and pingbacks are open.