ମହାବାହୁଙ୍କ ପୋଢୁଁଆ ପ୍ରଥା କିଛି ଅନୋଖା ; ଆସନ୍ତୁ ପଢିବା

83

ପୁରୀ: ଆସନ୍ତା କାଲି ପ୍ରଥମାଷ୍ଟମୀ । ରୀତିନୀତି ଅନୁସାରେ ପୋଢୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ମାର୍ଗଶୀର ଅଷ୍ଟମୀ ତିଥିରେ ଶ୍ରୀଜଗନ୍ନାଥଙ୍କ ପୋଢୁଆଁ । ଏ ନେଇ ପ୍ରଥମାଷ୍ଟମୀ ପୂର୍ବଦିନ ଅର୍ଥାତ ଆଜି (ସୋମବାର) ସପ୍ତମୀ ତିଥିରେ ଠାକୁରଙ୍କ ମାମୁଁ ଘର ଶ୍ରୀମାଧବଙ୍କ ପୀଠରୁ ଶ୍ରୀଜଗନ୍ନାଥଙ୍କା ପାଇଁ ପୋଢୁଆଁ ଭାର ଯାତ୍ରା ବାହାରିଛି । ଶ୍ରୀଜିଉଙ୍କ ପାଇଁ ପାଟବସ୍ତ୍ର ଓ ଅନ୍ୟାନ୍ୟ ପୋଢୁଆଁ ସାମଗ୍ରୀ ପଠାଯାଉଛି ।

ଭୋଇ ସେବକ ମାନେ ଆଗରେ ପତାକା ଧରି ଚାଲିଛନ୍ତି । ଢୋଲିଆ ଓ ମହୁରିଆ ମଙ୍ଗଳବାଦ୍ୟରେ କମ୍ପୁଛି ପରିବେଶ । ପଛକୁ ଗଡ଼ୁଆ ସେବକ ଓ ପାଇକ ଆଖଡା କରୁଛନ୍ତି । ଏହା ସହିତ ରାମତାଳି ଓ ଲାଉଡ଼ି ପ୍ରଦର୍ଶନ କରାଯାଉଛି ।

ଯାତ୍ରା ବାଟରେ ପ୍ରାୟ 90 ରୁ ଅଧିକ ସୁଶୋଭିତ ସଂକୀର୍ତ୍ତନ ଦଳ ଓ ଘଣ୍ଟ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । 20 ଜଣ ବେହେରା ସେବକ ନିଷ୍ଠାର ସହ ଉପବାସ ବ୍ରତ ପାଳି ଏହି ଦିବ୍ୟଭାର ନେଇ ଶ୍ରୀକ୍ଷେତ୍ର ଯାତ୍ରା କରିଛନ୍ତି । ଶୋଭାଯାତ୍ରା ମାଧବରୁ ବାହାରି ଚନ୍ଦ୍ରମଉଳି, ଚାରିଛକ, ଗୋପ, ଗଣେଶ୍ବରପୁର, ନାଗପୁର, ଷୋଳପୁର, ମଦରଙ୍ଗ, ଛଇତନା, ବାଲିଘାଇ ଦେଇ ଅପରାହ୍ନ 2.30 ରେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବ ।ବାଲିଘାଇଠାରେ ପରମହଂସ ପ୍ରଜ୍ଞାନାନନ୍ଦଙ୍କ ଆଶ୍ରମଠାରେ ସାମୟିକ ରହଣିର ବ୍ୟବସ୍ଥା ହୋଇଛି ।
ସେଠାରୁ ଅପରାହ୍ନ 3 ଟାରେ ଦ୍ଵିତୀୟ ପର୍ଯ୍ୟାୟ ଶୋଭାଯାତ୍ରା ଆରମ୍ଭ ହେବ । ଅପରାହ୍ନ 5ଟା ସୁଦ୍ଧା ମହାପ୍ରଭୁଙ୍କ ପୋଢୁଆଁ ଭାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚାଇବା ସହ ଏହି ପବିତ୍ର ଯାତ୍ରା ସମ୍ପନ୍ନ ହେବ । ଏହି ଯାତ୍ରାକୁ ମାଧବାନନ୍ଦ ବିକାଶ ପରିଷଦ ପକ୍ଷରୁ ପରିଚାଳନା କରାଯାଉଛି ।

Comments are closed, but trackbacks and pingbacks are open.