ମହାଶିବରାତ୍ରୀ ପୂଜାବିଧି ଓ ପ୍ରସାଦ

34

ମହାଶିବରାତ୍ରୀରେ ଭଗବାନ ଶିବଙ୍କ ସହିତ ମାତା ଗୌରୀ ଙ୍କୁ ମଧ୍ୟ ଆରାଧନା କରାଯାଏ I କିନ୍ତୁ ମନ୍ଦିର ମାନଙ୍କରେ ଦିନସାରା ଶିବ ଶଙ୍କରଙ୍କର ପୂଜା କରାଯାଏ। ଏହି ଦିନ ହିନ୍ଦୁ ନରନାରୀ ଶୁଦ୍ଧପୂତ ଭାବରେ ଉପବାସ ପୂର୍ବକ ଅଖଣ୍ଡ ଦୀପ ଜାଳି ରାତ୍ରି ଉଜାଗର ରହି ବ୍ରତ ପାଳୁଥିବାରୁ ଏହାକୁ ଜାଗର ଓଷା ବା ଜାଗର ବ୍ରତ ମଧ୍ୟ କୁହାଯାଇଥାଏ ।ସେହିପରି ଏହି ପୂଜା ସନ୍ଧ୍ୟା କାଳରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଧରାଯାଏ I କାରଣ ଅନ୍ୟ ସମସ୍ତ ପୂଜା ଦିନ ରେ ପାଳନ କରାଯାଉଥିବା ବେଳେ ଶିବରାତ୍ରୀ ପୂଜା ସନ୍ଧ୍ୟା ବେଳ ଠାରୁ ଆରମ୍ଭ ହୁଏ I ଏହି ଦିନ ପ୍ରତ୍ୟକ ଶିବ ମନ୍ଦିର ଓ ଘରେ ମାନଙ୍କରେ ଦୀପ ଜାଳି ଜାଗର ବ୍ରତ କରାଯାଏ I ଜାଗର ବ୍ରତ ଦୁଇ ପ୍ରକାର ହୋଇଥାଏ ସନ୍ଧ୍ୟା ଜାଗର ଓ ଅଖଣ୍ଡ ଜାଗର I ସନ୍ଧ୍ୟା ଜାଗରରେ ସନ୍ଧ୍ୟାବେଳେ ଜାଗର ଜାଲା ଯାଉଥିବାବେଳେ,ଅଖଣ୍ଡ ଜାଗର ବ୍ରତ ଦିନ ଭୋରରୁ ପାଳନ କରାଯାଇଥାଏ I ଯେଉଁମାନେ ଅଖଣ୍ଡ ଜାଗର ବ୍ରତ କରନ୍ତି ସେମାନେ ଶିବରାତ୍ରୀ ଦିନ ଶୁଦ୍ଧପୂତ ଭାବରେ ସ୍ନାନ ସାରି ଭୋର ସମୟରୁ ଦୀପ ଲଗାଇ ପରଦିନ ସକାଳ ପର୍ଯ୍ୟନ୍ତ ଉଜାଗର ରହି ଦୀପ ଜାଳିଥାନ୍ତି I ବ୍ରତ ଧାରୀ ମାନେ ମନ୍ଦିର ନଯାଇ ଘରେ ମଧ୍ୟ ଶିବରାତ୍ରୀ ବ୍ରତ ଅତ୍ୟନ୍ତ ନିଷ୍ଠା ସହକାରେ ପାଳନ କରନ୍ତି I ଶିବଙ୍କ ଉଦ୍ଦେଶ୍ୟ ରେ ରାତ୍ରି ଉଜାଗର ରହି ପ୍ରଭୁଙ୍କୁ ଉପାସନା କଲେ ଭୋଳାନାଥ ଖୁବ ଜଲ୍ଦି ପ୍ରସନ୍ନ ହୋଇଥାନ୍ତି I

ଶିବରାତ୍ରିକୁ ଚାରୋଟି ପ୍ରହରରେ ସମ୍ପନ୍ନ କରାଯାଏ । ପ୍ରତ୍ୟେକ ପ୍ରହରର ସମୟ ତିନି ଘଟିକା । ପ୍ରଥମ ପ୍ରହର ବା ସନ୍ଧ୍ୟା ସମୟରେ ଶିବଲିଙ୍ଗକୁ ଦୁଗ୍ଧରେ ଅଭିଷେକ କରାଯାଏ । ଦ୍ୱିତୀୟ ପ୍ରହର ବା ସନ୍ଧ୍ୟାର ପରବର୍ତ୍ତୀ ସମୟରେ ଲିଙ୍ଗକୁ ଦହିରେ ଅଭିଷେକ କରାଯାଏ । ତୃତୀୟ ପ୍ରହର ବା ଘୋର ରାତ୍ର ସମୟରେ ଶିବଲିଙ୍ଗକୁ ମହୁରେ ଅଭିଷେକ କରାଯାଏ । ଏହାକୁ ପହରକିଆ ପୂଜା କୁହାଯାଏ I ଏହି ଦିନ ବ୍ରତଧାରୀମାନେ ନିଜ ପରିବାରର ଶୁଭ ମନାସି ପ୍ରତ୍ୟକ ପହରରେ କେଉଁ କେଉଁ ଫୁଲ ଫଳ ଚଢ଼ାଯିବ ମାନସିକ ରଖି ଥାଆନ୍ତି I ରାତ୍ରର ପ୍ରତ୍ୟେକ ପ୍ରହରରେ ଶିବଲିଙ୍ଗକୁ ପୁଷ୍ପ, ପତ୍ର ଓ ଫଳ ଆଦି ଚଢାଯାଇ ଉପାସନା କରାଯାଏ । ସେହିପରି ବ୍ରତଧାରୀମାନେ ଏହିଦିନ ଭଗବାନ ଶିବଙ୍କ ଉପରେ ବେଲପତ୍ର ,ତୁଳସୀ ଜଟା, କେତକୀଫୁଲ,ଅରଖ,ଧତୁରା,ଏବଂ ଗୈସ ଫୁଲ ଚଢ଼ାଯିବାର ବିଧି ରହିଛି । ସେହିପରି ଏହିଦିନ ନଡ଼ିଆ,କଦଳୀ,ଓ ବିଭିନ୍ନ ପ୍ରକାର ଫଳ ଭଗବାନଙ୍କ ନିକଟରେ ପ୍ରସାଦ ଲାଗି କରାଯାଇଥାଏ I

ଏହାପରେ ରାତ୍ରର ଶେଷ ପ୍ରହର ସମୟରେ ଶିବ ମନ୍ଦିରର ଚୁଡ଼ାଦେଶକୁ ମହାଦୀପ ଉଠାଯାଏ । ମହାଦୀପ ଦର୍ଶନ କରି ବ୍ରତ ଧାରୀ ମାନେ ନିଜ ବ୍ରତ ପୁରା କରିଥାନ୍ତି I ବ୍ରତଧାରୀମାନେ ଯେଉଁ ଦୀପ ଜାଳିଥାନ୍ତି,ତାକୁ ଗୋଟିଏ କଂସା ଥାଳିରେ ଚାଉଳ ଦେଇ ରଖି ମୁଣ୍ଡ ଉପରକୁ ଉଠାଇ ସାତ ଘେରା ବୁଲନ୍ତି I ଏହା ସହିତଅଁଳା କାଠିରେ କପା ତୁଳାରେ ଘିଅ ଦେଇ ଗୁଡ଼ାଇ ସେଥିରେ ନିଆଁ ଜାଳି ମହାଦୀପ ଉଠିବା ବେଳେ ଠାକୁରଙ୍କ ଉଦ୍ଦେଶ୍ୟରେ ଦେଖା ଯାଇଥାଏ Iସାରା ସଂସାରରୁ ଅଜ୍ଞାନରୂପକ ଅନ୍ଧକାରକୁ ଦୂରକରି ଆଲୋକ ପ୍ରଦାନ କରିବା ହେଉଛି ମହାଦୀପ ଉଠାଣର ଉଦ୍ଦେଶ୍ୟ ।

Comments are closed, but trackbacks and pingbacks are open.