ଲିମ୍ଫୋମା ସଚେତନତା ଦିବସ : ପ୍ରାକ୍‍ ନିଦାନ ଓ ଚିକିତ୍ସା ହୋଇପାରିଲେ ଆରୋଗ୍ୟ ସମ୍ଭବ, କିମ୍‍ସ ବିଶେଷଜ୍ଞ

104

ଭୁବନେଶ୍ୱର, ୧୫ । ୯: ଶରୀରରେ ଲସିକା ଗ୍ରନ୍ଥି ଫୁଲିଲେ ଏହାକୁ ଅଣଦେଖା କରିବା ଉଚିତ ନୁହେଁ । ଲସିକା ଗ୍ରନ୍ଥି ଫୁଲିବା ସହ ଯଦି ଜ୍ୱର, ରକ୍ତହୀନତା, କାମଳ ଓ ଦୁର୍ବଳତା ଲାଗି ରହେ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ । କାରଣ ହୁଏତ ଏହା ଲିମ୍ଫୋମା ଆଡ଼କୁ ଅଗ୍ରସର ହୋଇପାରେ । ଲିମ୍ଫୋମା ଏକ ରକ୍ତ ସମ୍ବନ୍ଧୀୟ ରୋଗ ବା ହେମାଟୋଲୋଜିକାଲ ମାଲିଗ୍ନାନ୍‍ସୀ (କୋଷର ଅନିୟନ୍ତ୍ରିତ ବୃଦ୍ଧି) ରୋଗ, ଏହା କର୍କଟ ରୋଗର ଏକ ସାଧାରଣ ରୂପ । ଏହି ରୋଗ ନିର୍ଣ୍ଣୟ କରିବାକୁ ହେଲେ ବାୟୋପ୍‍ସୀ ଏବଂ ହିଷ୍ଟୋପାଥୋଲୋଜି ସହ ସମସ୍ତ ଶରୀରର ସ୍କାନ ଓ ବୋନ୍‍ ମାରୋ ପରୀକ୍ଷଣ କରିବାକୁ ହୋଇଥାଏ । ପରୀକ୍ଷାରୁ ଲିମ୍ଫୋମା ଥିବା ଜଣାପଡ଼ିଲେ ରୋଗୀର କେମୋଥେରାପୀ ଓ ରେଡ଼ିଓଥେରାପୀ କରାଯାଏ ନହେଲେ କେବଳ କେମୋଥେରାପୀ କରାଯାଏ ବୋଲି ବିଶ୍ୱ ଲିମ୍ଫୋମା ସଚେତନତା ଦିବସ ଅବସରରେ କିମ୍‍ସ ମେଡିକାଲ ଅନ୍‍କଲୋଜି ସହକାରୀ ପ୍ରଫେସର ଡା ଯୋଗମାୟା ପଟ୍ଟନାୟକ ସୂଚନା ଦେଇଛନ୍ତି । ପ୍ରାକ୍‍ ନିଦାନ ଓ ଠିକ୍‍ ସମୟରେ ଚିକିତ୍ସା କରାଯାଇପାରିଲେ ଲିମ୍ଫୋମାରୁ ଆରୋଗ୍ୟ ହେବାର ଯଥେଷ୍ଟ ଆଶା ରହିଛି ବୋଲି ଡା. ପଟ୍ଟନାୟକ କହିଛନ୍ତି । ଶରୀରର ଲସିକା ବ୍ୟବସ୍ଥା କହିଲେ ଲସିକା ଗ୍ରନ୍ଥି, ପ୍ଳିହା, ଥାଇମସ୍‍ ଗ୍ରନ୍ଥି ଏବଂ ଅସ୍ଥି ମଜ୍ଜା ସମୂହକୁ ବୁଝାଏ । ଏହି ରୋଗର ଲକ୍ଷଣଗୁଡ଼ିକ ହେଲା ଲସିକା ଗ୍ରନ୍ଥି ଫୁଲିବା, ରାତିରେ ଝାଳ ବୋହିବା, ଜ୍ୱର, ଶ୍ୱସକ୍ରିୟାରେ କଷ୍ଟ ଏବଂ ବିନାକାରଣରେ ଓଜନ ହ୍ରାସ ଆଦି । ଏଥିପାଇଁ ଆମକୁ ମେଦ ବହୁଳତାଠାରୁ ଦୂରରେ ରହିବା ସହ ଭଲ ଶାରୀରିକ ବ୍ୟାୟାମ, ସ୍ୱାସ୍ଥ୍ୟକର ଖାଦ୍ୟ ଗ୍ରହଣ ସହ ରେଡ୍‍ମିଟ୍‍, ଲୁଣ ଓ ଚିନିର ଅତ୍ୟଧିକ ବ୍ୟବହାର କମ୍‍ କରିବା ଦରକାର ।

Comments are closed, but trackbacks and pingbacks are open.