ଲୁଟିନେଲେ ଠାକୁରଙ୍କ ଲକ୍ଷାଧିକ ଟଙ୍କାର ଅଳଙ୍କାର

639

ଢେଙ୍କାନାଳ: ଲୁଟେରାଙ୍କ ଟାର୍ଗେଟରେ ଏବେ ଠାକୁର । ମନ୍ଦିର ତାଲା ଭାଙ୍ଗି ଲୁଟି ନେଉଛନ୍ତି ବହୁମୂଲ୍ୟ ଅଳଙ୍କାର ।  ଭୁବନ ଥାନା ଅନ୍ତର୍ଗତ ବାଲିବୋ ଗ୍ରାମର ଐତିହାସିକ ରଘୁନାଥଜୀଉ ମନ୍ଦିର ତାଲା ଭାଙ୍ଗି ବହୁମୁଲ୍ୟ ରୁପା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ପ୍ରଭୁ ରାମ , ଲକ୍ଷ୍ମଣ, ସୀତା, ହନୁମାନ ଓ ଅନ୍ୟାନ୍ୟ ଦେବାଦେବୀଙ୍କ ମସ୍ତକରୁ ରୁପା ମୁକୁଟ ଚୋରି ହୋଇଯାଇଛି । ରଘୁନାଥଜୀଉ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏନେଇ ଭୁବନ ଥାନାରେ ଅଭିଯୋଗ ହୋଇଛି ।

ଅଭିଯୋଗ ପାଇ  ଭୁବନ ଥାନାଧିକାରୀ  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମନ୍ଦିର ପୂଜକ ପ୍ରସନ୍ନ କୁମାର ପଣ୍ଡା ଜରୁରୀ କାମରେ ବାହାରକୁ ଯାଇଥିବାରୁ ଗତକାଲି ରାତିରେ ତାଙ୍କ ପୁଅ ଅଭିଜିତ ପଣ୍ଡା  ପୂଜା କରିଥିଲେ । ତାଙ୍କର କହିବାନୁଯାୟୀ ସେ ପୂଜା ସାରି ପହଡ଼ ପକାଇଥିଲେ । ରାତି ପ୍ରାୟ ୮ ଟାରେ ମନ୍ଦିର ତାଲା ପକାଇ ଘରକୁ ଆସିଥିଲେ । ହେଲେ ସକାଳୁ ଆସି ଦେଖିଲା ବେଳକୁ ମନ୍ଦିର ତାଲା ଭଙ୍ଗା ଯାଇଛି ଆଉ ଭିତରେ ଦେବାଦେବୀଙ୍କ ଅଳଙ୍କାର ଚୋରି ହୋଇଯାଇଛି ।

କାର୍ଯ୍ୟରତ ମନ୍ଦିର ଟହଲିଆ ଦୀନବନ୍ଧୁ ଖଟୁଆ  କହିଛନ୍ତି, ସେ  ଗତକାଲି ରାତିରେ ମନ୍ଦିର ପରିସରରେ ଥିବା ପରିଚାଳନା କମିଟି କାର୍ଯ୍ୟାଳୟରେ ଥିଲେ । ହେଲେ ଅସହ୍ୟ ଗରମ ଯୋଗୁଁ ନି  ରାତି ୨ ଟା ପର୍ଯ୍ୟନ୍ତ ସେ ଜାଗ୍ରତ ଥିଲେ। ହେଲେ ଚୋରି କେତେବେଳେ ହେଲା ସେ ଜାଣି ନ ଥିବା କହିଛନ୍ତି ।  ତେଣୁ ଏହାର ତଦନ୍ତ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପ୍ରାୟ ଏକ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ରୁପା ଅଳଙ୍କାର ଚୋରି ହୋଇଯାଇଛି ।  ସେହି ରାତିରେ କେବଳ ରଘୁନାଥଜୀଉ ମନ୍ଦିର ନୁହେଁ ବରଂ ଗ୍ରାମର ଅନେକ ସ୍ଥାନରୁ ଲୁହା ଗ୍ରୀଲ୍ ଓ ସାଇକେଲ ମଧ୍ୟ ଚୋରି ହୋଇଥିବା ଜଣାପଡ଼ିଛି । ତେବେ ସ୍ଥାନୀୟ ଅଞ୍ଚଳରେ ପୋଲିସ ପାଟ୍ରୋଲିଂ  ହେଉ ନଥିବାରୁ ଏପରି ବାରମ୍ବାର ଚୋରି ହେଉଥିବା ଅଭିଯୋଗ ହୋଇଛି ।

Comments are closed, but trackbacks and pingbacks are open.