୫ରେ ପୁଣି ଲଘୁଚାପ, ରାଜ୍ୟରେ ୯ରୁ ପ୍ରବଳ ବର୍ଷା

182

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ସାମାନ୍ୟରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ତେବେ କିଛି ଜିଲ୍ଲାରେ ବର୍ଷା ଆଦୌଂ ନହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜଣାପଡିଛି। ତେବେ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୫ରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ୫ ଦିନ ସମୁଦ୍ରରେ ରହିବା ପରେ ତାହା ଅବପାତରେ ପରିଣତ ହେବ। ଏହାର ପ୍ରଭାବରେ ଆସନ୍ତା ୮ ଓ ୯ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ୭ ତାରିଖରେ ରାୟଗଡ଼ା, ମାଲକାନଗିରି ଓ କୋରାପୁଟରେ ବର୍ଷା ସମ୍ଭାବନା ଅଛି। ୮ ଓ ୯ ତାରିଖରେ ପ୍ରବଳ ବର୍ଷା ହେବ। ଅବପାତ ସୃଷ୍ଟି ପରେ ଏହା ଉତ୍ତର ଆଡ଼କୁ ଗତି କରିପାରେ। ୯ କିମ୍ବା ୧୦ ତାରିଖରେ ଉତ୍ତର ଓଡ଼ିଶା ବା ସଂଲଗ୍ନ ପଶ୍ଚିମବଙ୍ଗ ଦେଇ ସ୍ଥଳଭାଗକୁ ଅତିକ୍ରମ କରିବ। ୯ରୁ ୧୧ ତାରିଖ ଯାଏ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ପାରାଦୀପରୁ ସମ୍ବଲପୁରକୁ ସଂଯୋଗ କରୁଥିବା ସରଳରେଖାର ଦକ୍ଷିଣରେ ବର୍ଷା ହେବ। କିନ୍ତୁ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଜଣାପଡିଛି। ସେହିପରି ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁସାରେ, ୫ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତିରେ ୭୦ରୁ ୧୧୦ ମିମି ଯାଏ ବର୍ଷା ହୋଇପାରେ। ୬ ତାରିଖରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ ଓ ଗଜପତିରେ ଭାରୀ ବର୍ଷା ସମ୍ଭାବନା ଅଛି। ଗତ ୨୪ଘଣ୍ଟାରେ ରାଜ୍ୟର ରାଉରକେଲାରେ ୧୯.୨ମିମି ବର୍ଷା ହୋଇଥିବା ବେଳେ ଯାଜପୁରରେ ୧୨ମିମି, ବଲାଙ୍ଗୀରରେ ୯ ମିମି ଓ କେନ୍ଦୁଝରରେ ୭.୨ମିମି ବର୍ଷା ରେକର୍ଡ କରାଯାଇଛି।

Comments are closed, but trackbacks and pingbacks are open.