25

ଭୁବନେଶ୍ବର: ପ୍ରେମ ଏକ ଭାବନାକୁ ବୁଝାଇଥାଏ । ଏହାଛଡା ବ୍ୟକ୍ତିଗତ ସ୍ନେହ ଓ ସଂଯୋଗକୁ ମଧ୍ୟ ପ୍ରେମ କୁହାଯାଏ । ଦୁଇଜଣଙ୍କ ମଧ୍ୟରେ ଥିବା ଦୟା, କ୍ଷମା, ସ୍ନେହ, ପ୍ରଣୟ ଇତ୍ୟାଦି ପ୍ରେମର ଏକ ରୂପ । ପ୍ରେମ ଶବ୍ଦଟି ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରରେ ବ୍ୟବହାର ହୋଇଥାଏ । ବିଭିନ୍ନ ଭାଷାରେ ଏହାର ସଜ୍ଞା ଭିନ୍ନ ଭିନ୍ନ । ପ୍ରେମ ବ୍ୟକ୍ତିଗତ କିମ୍ବା ସାର୍ବଜନୀନ ହୋଇପାରେ । ଗବେଷଣା ଅନୁଯାୟୀ ବିପରୀତ ଲିଙ୍ଗର ପ୍ରାଣୀମାନଙ୍କ ମଧ୍ୟରେ ଥିବା ଆକର୍ଷଣ ଯୋଗୁ ସେମାନେ ପରସ୍ପରର ନିକଟବର୍ତ୍ତୀ ହୋଇଥାନ୍ତି, ଏହାକୁ ପ୍ରେମ କୁହାଯାଏ । ଭାରତୀୟମାନେ ସାଧାରଣତଃ ପ୍ରେମକୁ ଏକ ଶାଶ୍ୱତ ଭାବନା ବା ଭକ୍ତ ଭଗବାନଙ୍କ ସମ୍ପର୍କକୁ ବୁଝିଥାନ୍ତି । ଏହା ଛଡା କିଶୋର କିଶୋରୀମାନଙ୍କ ମଧ୍ୟରେ ଅଧିକ ଭାବେ ଏହି ପ୍ରେମ ଦେଖାଯାଏ ।

ହିନ୍ଦୁ ଧର୍ମରେ କାମଦେବଙ୍କ ସୂଚୀତ ସୁଖଦ, ଯୌନ ସମ୍ବଳିତ ପ୍ରେମ ହେଉଛି କାମ । ବେଦରେ କାମକୁ ତୃତୀୟ ପୁରୁଷାର୍ଥ ଭାବେ ବର୍ଣ୍ଣନା କରାଯାଇଛି । କାମଦେବ ଆଖୁର ଧନୁ ଓ ପୁଷ୍ପଶର ଧରି ଶୁକ ବାହନରେ ଭ୍ରମଣ କରନ୍ତି । ପତ୍ନୀ ରତି ଓ ଋତୁରାଜ ବସନ୍ତ ତାଙ୍କର ସଦା ସହଚର ଥାଆନ୍ତି । କର୍ଣାଟକର ବେଲୁର୍‌ ଚେନ୍ନାକେଶବ ମନ୍ଦିର କବାଟରେ କାମଦେବ ଓ ରତିଙ୍କର ଯୁଗଳମୂର୍ତ୍ତୀ ଦଣ୍ଡାୟମାନ । କାମ ହେଉଛି ପ୍ରେମର ଅନ୍ୟ ଏକ ନାମ । ଏହା ବ୍ୟତୀତ ଭାରତରେ ଅନେକ ହିନ୍ଦୁ ମନ୍ଦିରରେ କାମ ତଥା ପ୍ରେମର ମୂର୍ତ୍ତି ଦେଖିବାକୁ ମିଳିଥାଏ । କୁହାଯାଏ ପ୍ରକୃତିର ଛଅ ଋତୁ । କିନ୍ତୁ ପ୍ରେମୀ ଯୁଗଳଙ୍କ ପାଇଁ ଏହା ସାତ ଋତୁ । ତାହା ହେଉଛି ପ୍ରେମର ଋତୁ । ପ୍ରତ୍ୟେକଙ୍କ ଜୀବନରେ କେବେ ନା କେବେ ଆସେ ପ୍ରେମ ଋତୁ । ଆଉ ଏହି ଋତୁ ଯେମିତି ଜୀବନକୁ ରଙ୍ଗୀନ କରିଦିଏ । ଆଉ ପ୍ରେମରେ ଋତୁରେ ଭିଜନ୍ତି ପ୍ରେମୀ ଯୁଗଳ । ପ୍ରେମକୁ ପରିପ୍ରକାଶ କରିବା ପାଇଁ ପ୍ରତିବର୍ଷ ଫେବୃଆରୀ ୭ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରେମ ସପ୍ତାହ ପାଳନ କରାଯାଏ ।

ଆଜିଠୁ ଆରମ୍ଭ ହେଲା ପ୍ରେମର ପର୍ବ ‘ଭାଲେଣ୍ଟାଇନ ଓ୍ବିକ’ ବା ପ୍ରେମ ସପ୍ତାହ । ପ୍ରେମ ପର୍ବର ପ୍ରଥମ ଦିବସ ‘ରୋଜ ଡେ’ ରୁ ଆରମ୍ଭ ହୋଇଥାଏ । ଆଜି ଗୋଲାପ ଫୁଲ ବା ରୋଜ ଦେଇ ମନ କଥା ଜଣାଇବେ ପ୍ରେମୀ ଯୁଗଳ । ପରସ୍ପରକୁ ଗୋଲାପ ଦିବସର ଅଭିନନନ୍ଦନ ଜଣାଇବେ । ଗୋଲାପର ରକ୍ତିମ ପାଖୁଡା ପରି ପ୍ରେମର ଗଭୀରତା ସେମିତି ଚମକୁଥାଉ ବୋଲି ପ୍ରତିଶୃତି ଦେବେ । ପ୍ରେମୀଯୁଗଳଙ୍କ ପାଇଁ ଏହି ଦିବସ ଅନେକ ଗୁରୁତ୍ବ ବହନ କରୁଛି । ଅନେକଙ୍କ ପ୍ରେମ ଗୋଲାପ ଦିବସରୁ ଆରମ୍ଭ ମଧ୍ୟ ହୋଇଥାଏ । ନିଜ ହୃଦୟରେ ଥିବା ପ୍ରେମକୁ ପ୍ରକାଶ ପାଇଁ ଗୋଲାପ ସବୁଠାରୁ ଭଲ ମାଧ୍ୟମ ବୋଲି ମାନା ଯାଉଥିବା ବେଳେ ଗୋଲାପ ଦିବସ ଅବସରରେ ଏହାର ଗୁରୁତ୍ବ ଅଧିକ ବଢ଼ିଯାଇଥାଏ । ଲାଲ୍‌ ଗୋଲାପକୁ ପ୍ରେମର ପ୍ରତୀକ ବୋଲି କହାଯାଏ ।

ଏହାର ଗାଢ଼ ଲାଲ୍‌ ରଙ୍ଗ ପ୍ରେମର ଗଭୀରତାକୁ ଦର୍ଶାଇଥାଏ । ଲାଲ୍‌ ରଙ୍ଗର ଗୋଲାପକୁ ନେଇ ପ୍ରେମ କାହାଣୀରେ ଅନେକ କଥା ରହିଛି । ଗ୍ରୀକ୍‌ ପୁରାଣ ଅନୁସାରେ ପ୍ରେମର ଦେବୀ ଭେନସ୍‌ ଗୋଲାପ୍‌ ଫୁଲକୁ ଖୁବ୍‌ ପସନ୍ଦ କରନ୍ତି । ସେହିଭଳି ରୋଜ୍‌କୁ ଓଲଟାଇ ଲେଖିଲେ ‘Eros’ ହୋଇଥାଏ । ଈରୋସ୍‌ଙ୍କୁ ପ୍ରେମର ଦେବତା ବୋଲି କୁହାଯାଏ । ଆଜିର ଦିନ ପ୍ରେମୀ ଯୁବଳଙ୍କ ପାଇଁ ଗୁରୁତ୍ବ ବହନ କରୁଥିବା ବେଳେ ସକାଳୁ ସକାଳୁ ଫୁଲ ଦୋକାନଗୁଡିକରେ ଭିଡ଼ ଦେଖିବାକୁ ମିଳିଛି । ତେଣୁ ପ୍ରେମ ସପ୍ତାହରେ ଲାଲ୍‌ ଗୋଲାପର ଚାହିଦା ସବୁଠାରୁ ଅଧିକ ଥିବାବେଳେ, ବଜାର ଚାହିଦାକୁ ଦୃଷ୍ଟିରେ ରଖି , ଦୋକାନ ଗୁଡିକରେ ଦର ମଧ୍ୟ ବୃଦ୍ଧି ପାଇଛି । ନିଜ ସାଥୀର ମନକୁ ପାଇଲା ଭଳି ସୁନ୍ଦର ଗୋଲାଫ ଫୁଲ ଟିଏ କିଣି ନେଉଛନ୍ତି । ଆଉ କେହି କେହି ଫିଲର ବୁକ୍ ମଧ୍ୟ ନେଉଛନ୍ତି ।

ତେବେ ଗୋଲାପ କେବଳ ନିଜ ପ୍ରେମକୁ ଜଣାଇବାକୁ ଦିଆଯାଏ ତା ନୁହଁ ଏହା ବନ୍ଧୁଙ୍କୁ ମଧ୍ୟ ଦିଆଯାଏ । ଲାଲ୍ ଗୋଲାପ ବାଦ୍ ଅନ୍ୟ ରଙ୍ଗର ଗୋଲାପର ମଧ୍ୟ ଅଲଗା ଅଲଗା ମହତ୍ବ ରହିଛି…
ଗୋଲାପୀ: ଯଦି ଆପଣ କାହାଦ୍ୱାରା ଅନୁପ୍ରାଣିତ ହୋଇଛନ୍ତି, କାହାର ଆଦର୍ଶରେ ଆପଣ ନିଜକୁ ସୁନ୍ଦର କରି ଗଢ଼ି ତୋଳିଛନ୍ତି ତେବେ ଆଜି ସେହି ବ୍ୟକ୍ତିଙ୍କୁ ଗୋଲାପୀ ଗୋଲାପ ଟିଏ ଦେଇ ନିଜର କୃତଜ୍ଞତା ଜଣାନ୍ତୁ । କାରଣ ନିଜର ଖୁସି ସହ କୃତଜ୍ଞ ଭାବନା ଓ ତାଙ୍କ ମହତ୍ତ୍ବ ପାଇଁ ଗୋଲାପୀ ରଙ୍ଗର ଗୋଲାପ ଦିଆଯାଇଥାଏ । ଧଳା ଗୋଲାପ: ଧଳା ରଙ୍ଗକୁ ପବିତ୍ର ଓ ଶାନ୍ତିର ପ୍ରତୀକ ବୋଲି କୁହାଯାଏ । ଆଉ ଧଳା ରଙ୍ଗର ଗୋଲାପ ନିଃସର୍ତ୍ତ ଓ କୋମଳ ପ୍ରେମର ପ୍ରତୀକ । ସରଳତା ଓ ଶୁଦ୍ଧତାର ପ୍ରତୀକ ଭାବରେ ଧଳା ଗୋଲାପକୁ ବ୍ୟବହାର କରାଯାଏ ।

ହଳଦିଆ ଗୋଲାପ: ଗଭୀର ବନ୍ଧୁତ୍ୱର କଥା କହେ ହଳଦିଆ ଗୋଲାପ । ଗୋଲାପ ଦେଇ ଏହି ସମ୍ପର୍କକୁ ଆରମ୍ଭ କରିବା ପୂର୍ବରୁ ମଜଭୁତ କରିପାରିବା । ଯଦି ଆପଣ ନିଜ ବନ୍ଧୁଙ୍କ ଖୁବ୍ ଭଲପାଉଛନ୍ତି, ତାଙ୍କୁ ଆଦୌ ଛାଡ଼ିବାକୁ ଚାହୁଁ ନାହାନ୍ତି, ତେବେ ଆଜି ତାଙ୍କୁ ଗୋଟିଏ ହଳିଦିଆ ଗୋଲାପ ଦେଇ ଗଭୀର ବନ୍ଧୁତ୍ୱର ଅନୁଭବ କରାନ୍ତୁ ।

Comments are closed, but trackbacks and pingbacks are open.